ନୂଆଦିଲ୍ଲୀ,୫।୫: ସୁପ୍ରିମକୋର୍ଟ ଓ୍ବାକଫ୍ ଆବେଦନ ଉପରେ ୧୫ ମଇକୁ ପରବର୍ତ୍ତୀ ଶୁଣାଣି ତାରିଖ ଘୁଞ୍ଚାଇ ଦେଇଛନ୍ତି। ପ୍ରଧାନ ବିଚାରପତି(ସିଜେଆଇ) ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହାକୁ ଏବେ ଆଗାମୀ ପ୍ରଧାନ ବିଚାରପତି ଜଷ୍ଟିସ୍ ବି ଆର ଗଭଇଙ୍କୁ ହସ୍ତାନ୍ତର କରିଛନ୍ତି। କାରଣ ଆସନ୍ତା ସପ୍ତାହରେ ଜଷ୍ଟିସ୍ ଖାନ୍ନା ଅବସର ନେବାକୁ ଯାଉଛନ୍ତି। ସେ ୧୩ ମଇରେ ଅବସର ନେବେ, ସେଭଳି ଜଷ୍ଟିସ୍ ଗଭଇ ୧୪ ମଇରେ ଦେଶର ଆଗାମୀ ସିଜେଆଇ ଭାବରେ ଶପଥ ଗ୍ରହଣ କରିବେ। 

ସିଜେଆଇ ଖାନ୍ନା ଶୁଣାଣି ସ୍ଥଗିତ କରି କହିଛନ୍ତି, ମାମଲାର ଅନ୍ତରୀଣ ନିର୍ଦେଶ ପାସ୍ କରିବା ପୂର୍ବରୁ ଦୀର୍ଘ ଶୁଣାଣି ଦରକାର ରହିଛି। ସେଭଳି ଆଗାମୀ ସପ୍ତାହ ସେ ଅବସର ନେଉଛନ୍ତି। ତେଣୁ ଏହି ମାମଲାକୁ ଏବେ ଆଗାମୀ ଚିଫ୍ ଜଷ୍ଟିସ୍‌ଙ୍କ ନେତୃତ୍ବାଧୀନ ଖଣ୍ଡପୀଠଙ୍କ ନିକଟକୁ ପଠାଇ ଦିଆଯାଉଛି। 

ଉଲ୍ଲେଖନୀୟ ଯେ, ଗତ ଶୁଣାଣି ବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଆଶ୍ବାସନା ଦେଇଥିଲେ  ଯେ, ଖଣ୍ଡପୀଠ ଚିନ୍ତା ପ୍ରକାଶ କରିବା ପରେ ଓ୍ବାକଫ୍ ଆଇନର ଦୁଇଟି ପ୍ରମୁଖ ଦିଗ ଉପରେ ରୋକ ଲଗାଇ ଦିଆଯାଇଛି। କେନ୍ଦ୍ର ୧୭ ଏପ୍ରିଲରେ ନ୍ୟାୟାଳୟକୁ କହିଥିଲେ, ସେ ମାମଲାର ଶୁଣାଣି ଆଗାମୀ ତାରିଖ ୫ ମଇ ପର୍ଯ୍ୟନ୍ତ ‘ଓ୍ବାକଫ୍ ବାୟ ୟୁଜର’ ସହ ଅନ୍ୟ ଓ୍ବାକଫ୍ ସମ୍ପତ୍ତିକୁ ଅଣ-ଅଧିସୂଚୀତ କରିବେନି କିମ୍ବା କେନ୍ଦ୍ରୀୟ ଓ୍ବାକଫ୍ ପରିଷଦ ଓ ବୋର୍ଡରେ କୌଣସି ନିଯୁକ୍ତି କରିବେ ନାହିଁ।