ନୂଆଦିଲ୍ଲୀ,୨୭।୧୦: ଚିନ୍ତା ବଢାଉଛି ଡିଜିଟାଲ ଆରେଷ୍ଟ ମାମଲା। ପୋଲିସ ଏବଂ ନ୍ୟାୟିକ ଅଧିକାରୀଙ୍କ ପରିଚୟ ନେଇ ଲୋକଙ୍କୁ ଭୟଭୀତ କରୁଛନ୍ତି ଛଦ୍ମବେଶୀ । ଏହା ସହ ବ୍ଳାକମେଲିଂ କରି ଆକାଉଣ୍ଟରୁ ଗାଏବ୍ କରିଦେଉଛନ୍ତି କୋଟି କୋଟି ଟଙ୍କା। ଏଭଳି ମାମଲା ଉପରେ ଅଙ୍କୁଶ ଲଗାଇବା ପାଇଁ ଓ ଅପରାଧୀଙ୍କୁ ଧରିବାକୁ ଚାହୁଁଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ତା ପୂର୍ବରୁ ସୋମବାର କୋର୍ଟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନୋଟିସ୍ ଜାରି କରିଛନ୍ତି । ଯେଉଁଠାରେ ସବୁ ଡିଜିଟାଲ ଆରେଷ୍ଟ ମାମଲାରେ ଏଫ୍ଆଇଆର ରୁଜୁ କରାଯାଇଛି ତା’ର ବିବରଣୀ ମାଗିଛନ୍ତି କୋର୍ଟ। ନିକଟରେ ଏଭଳି ଠକେଇର ଶିକାର ହୋଇଥିଲେ ହରିୟାଣାର ଜଣେ ବରିଷ୍ଠ ନାଗରିକ ଦମ୍ପତି। ଦମ୍ପତିଙ୍କ ନିକଟରୁ ୧ କୋଟି ୫ ଲକ୍ଷ ଟଙ୍କାର ଠକେଇ ହୋଇଥିଲା। ତାଙ୍କ ଚିଠି ପାଇବା ପରେ କୋର୍ଟ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଏହି ମାମଲାର ଶୁଣାଣି ୩ ନଭେମ୍ବର ପର୍ଯ୍ୟନ୍ତ ଏବେ ସ୍ଥଗିତ କରିଛନ୍ତି କୋର୍ଟ।
ମାମଲାର ଶୁଣାଣି କରି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ନ୍ୟାୟମୂର୍ତ୍ତୀ ଜୟମାଲ୍ୟ ବାଗଚୀ କହିଛନ୍ତି, ଏହି ସାଇବର ଅପରାଧର ଚେର ମିଆଁମାର ଓ ଥାଇଲାଣ୍ଡ ପର୍ଯ୍ୟନ୍ତ ବ୍ୟାପି ରହିଛି। ଏଥିପାଇଁ ଏକ ବଡ଼ ଯୋଜନା ତିଆରି କରାଯାଉ, ଯାହାକୁ ସିବିଆଇ କୋର୍ଟରେ ଉପସ୍ଥାପିତ କରୁ। ଆମେ ସିବିଆଇର ତଦନ୍ତ ପକ୍ରିୟା ଉପରେ ନଜର ରଖିବୁ।ସିବିଆଇକୁ ପୋଲିସ ସହାୟତା ସହ ସାଇବର ବିଶେଷଜ୍ଞଙ୍କ ଏବଂ ସମ୍ଭଳର ଆବଶ୍ୟକତା ରହିଛି। ୨୦୨୨ ରୁ ୨୦୨୪ ପର୍ଯ୍ୟନ୍ତ ୧,୨୩,୦୦୦ ଡିଜିଟାଲ ଆରେଷ୍ଟ ମାମଲା ରୁଜୁ କରାଯାଇ ସାରିଛି।
ନ୍ୟାଶନାଲ ସାଇବରକ୍ରାଇମ୍ ରିପୋର୍ଟିଂ ପୋର୍ଟାଲ (ଏନ୍ସିଆର୍ପି) ଓ୍ବେବ୍ସାଇଟ୍ରେ ଦିଆଯାଇଥିବା ତଥ୍ୟ ଚକିତ କରିଦେବା ଭଳି ରହିଛି। ଗତ ୨ ବର୍ଷ ମଧ୍ୟରେ ସାଇବର ଅପରାଧ ୩ ଗୁଣା ବଢ଼ିଛି। ୨୦୨୨ରେ ଏଭଳି ୩୯,୯୨୫ ମାମଲା ରୁଜୁ ହୋଇଥିବାବେଳେ ୯୧.୧୪ କୋଟି ଟଙ୍କା ଠକେଇ ହୋଇଥିଲା। ୨୦୨୪ରେ ଏହା ୧,୨୩,୬୭୨କୁ ବୃଦ୍ଧି ପାଇଥିଲା। ଠକେଇ ଟଙ୍କାର ପରିମାଣ ୨୧ ଗୁଣ ବୃଦ୍ଧିପାଇ ୧୯,୩୫.୫୧ କୋଟିରେ ପହଞ୍ଚିଥିଲା। ୨୦୨୫ର ପ୍ରଥମ ୨ ମାସ ଭିତରେ ୧୭,୭୧୮ ମାମଲା ରୁଜୁ ହୋଇଥିବାବେଳେ ଫେବୃଆରୀ ୨୮ ସୁଦ୍ଧା ସାଇବର ଅପରାଧୀ ଲୋକଙ୍କଠାରୁ ୨୧୦.୨୧ କୋଟି ଟଙ୍କା ଲୁଟ୍ କରିଛନ୍ତି। ଏହାର ସଂଖ୍ୟା ଆହୁରି ଅଧିକ ରହିଛି। ତେଣୁ କୋର୍ଟ ସମସ୍ତ ରାଜ୍ୟଙ୍କୁ ନୋଟିସ୍ ଜାରି କରି ପ୍ରକୃତ ସଂଖ୍ୟା ଜଣାଇବାକୁ କହିଛନ୍ତି।