ନୂଆଦିଲ୍ଲୀ,୧୮।୧୧: ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଖବର କାଗଜର ରିପୋର୍ଟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଯେଉଁଥିରେ ଦାବି କରାଯାଇଥିଲା ଦେଶରେ ପ୍ରତି ୮ ମିନିଟ୍‌ରେ ଜଣେ ଶିଶୁ ନିଖୋଜ ହେଉଛନ୍ତି। କୋର୍ଟ ଏହାକୁ ଗମ୍ଭୀର ପ୍ରସଙ୍ଗ କହିଛନ୍ତି। ବିଚାରପତି ବିବି ନାଗରତ୍ନା ଓ ଜଷ୍ଟିସ୍ ଆର ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଦେଶରେ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବା ପକ୍ରିୟା ଖୁବ୍ ଜଟିଳ। ଏହାକୁ ସୁବ୍ୟବସ୍ଥିତ କରାଯାଉ। ମୁଁ ଖବର କାଗଜରେ ପଢିଛି ଦେଶରେ ପ୍ରତି ୮ ମିନିଟ୍‌ରେ ଜଣେ ଶିଶୁ ନିଖୋଜ ହୋଇଯାଉଛନ୍ତି। ମୋତେ ଜଣା ନାହିଁ ଏହା ସତ କି ମିଛ, କିନ୍ତୁ ଏହା ଏକ ଗମ୍ଭୀର ପ୍ରସଙ୍ଗ।’ ସୁପ୍ରିମକୋର୍ଟ କହିଛନ୍ତି, ପୋଷ୍ୟ ସନ୍ତାନ ନେବାର ପକ୍ରିୟା କଠୋର ରହିଛି, ତେଣୁ ଏହାର ଉଲଂଘନ ହେବା ସ୍ବାଭାବିକ। ଲୋକମାନେ ସନ୍ତାନଟିଏ ପାଇବା ପାଇଁ ବେଆଇନ ବାଟ ଆପଣାଉଛନ୍ତି।

ଶୁଣାଣି ବେଳେ କେନ୍ଦ୍ର ପକ୍ଷରୁ ହାଜର ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭାଟି ନିଖୋଜ ପିଲାଙ୍କ ମାମଲାର ସମାଧାନ ପାଇଁ ନୋଡାଲ ଅଧିକାରୀ ନିଯୁକ୍ତ କରିବା କରିବାକୁ ୬ ସପ୍ତାହର ସମୟ ମାଗିଛନ୍ତି। ସୁପ୍ରିମକୋର୍ଟ ୬ ସପ୍ତାହର ସମୟ ଦେବାକୁ ମନା କରିଦେଇଛନ୍ତି ଓ ଏଏସ୍‌ଜିଙ୍କୁ ୯ ଡିସେମ୍ବର ପର୍ଯ୍ୟନ୍ତ ପକ୍ରିୟା ପୁରା କରିବାକୁ କୁହାଯାଇଛି। ଖଣ୍ଡପୀଠ ୧୪ ଅକ୍ଟୋବରରେ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ ସେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟକୁ ନିଖୋଜ ଶିଶୁଙ୍କ ମାମଲାରେ ସମ୍ଭାଳିବା ପାଇଁ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରନ୍ତୁ। ଏହା ସହିତ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସଞ୍ଚାଳିତ ମିଶନ୍ ବାତ୍ସଲ୍ୟ ପୋର୍ଟାଲରେ ପ୍ରକାଶ ପାଇଁ ତାଙ୍କ ନାଁ ଓ ସମ୍ପର୍କର ବିବରଣୀ ଉପଲବ୍ଧ କରାଯାଉ। ଯେତେବେଳେ ବି ପୋର୍ଟାଲରେ କୌଣସି ନିଖୋଜ ପିଲାଙ୍କ ବିଷୟରେ ଅଭିଯୋଗ ମିଳିବ ସୂଚନା ସମ୍ପର୍କିତ ନୋଡାଲ ଅଧିକାରୀଙ୍କ ସହ ସେୟାର କରାଯିବା ଦରକାର।

ସୁପ୍ରିମକୋର୍ଟ ଏହା ପୂର୍ବରୁ କେନ୍ଦ୍ରକୁ ନିଖୋଜ ପିଲାଙ୍କ ବିଷୟରେ ଜାଣିବାକୁ ଓ ଏଭଳି ମାମଲାର ଯାଞ୍ଚ ପାଇଁ ଗୃହମନ୍ତ୍ରଣାଳୟ ଅନୁସାରେ, ବିଶେଷ ଅନଲାଇନ୍ ପୋର୍ଟାଲ ତିଆରି କରିବାକୁ କହିଥିଲେ। ସେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସେହି ପୋଲିସ ଅଧିକାରୀଙ୍କ ଭିତରେ ସମନ୍ବୟର ଅଭାବକୁ ଇଶାରା କରିଥିଲେ, ଯାହାକୁ ନିଖୋଜ ପିଲାଙ୍କୁ ଜାଣିବାର କାମ ଦିଆଯାଇଥାଏ। କୋର୍ଟ କହିଥିଲେ, ପୋର୍ଟାଲରେ ପ୍ରତ୍ୟେକ ରାଜ୍ୟରୁ ଜଣେ ସ୍ବତନ୍ତ୍ର ଅଧିକାରୀ ରହିପାରନ୍ତି,ଯିଏକି ସୂଚନା ପ୍ରସାରିତ କରିବା ବ୍ୟତୀତ ନିଖୋଜ ସମ୍ପର୍କିତ ଅଭିଯୋଗର ପ୍ରଭାରୀ ହୋଇପାରନ୍ତି।