ନୂଆଦିଲ୍ଲୀ,୨।୧୨: ମଙ୍ଗଳବାର ସୁପ୍ରିମକୋର୍ଟ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ନିଖୋଜ ହେବା ଅଭିଯୋଗରେ ଏକ ଆବେଦନର ଶୁଣାଣି କରିଛନ୍ତି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ଦେଶରେ ବେଆଇନ ଭାବରେ ପ୍ରବେଶ କରୁଥିବା ଲୋକଙ୍କୁ ନ୍ୟାୟପାଳିକା ସ୍ୱତନ୍ତ୍ର ସୁରକ୍ଷା ଦେବାର ଆଶା କରି ହେବ କି କି ? କୋର୍ଟ କହିଛନ୍ତି, ‘ଉତ୍ତର-ପୂର୍ବରେ ଆମର ସୀମା ଅତ୍ୟନ୍ତ ସମ୍ବେଦନଶୀଳ। ଆମେ ଏହି ମାମଲାରେ କୌଣସି ବିପଦ ନେଇପାରିବୁ ନାହିଁ।’ ଖଣ୍ଡପୀଠର ନେତୃତ୍ୱ ନେଉଥିବା ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ‘ଆପଣ କ'ଣ ଚାହାଁନ୍ତି ଯେ ଆମେ ସେମାନଙ୍କ ପାଇଁ ରେଡ୍ କାର୍ପେଟ ବିଛାଇବୁ? ରୋହିଙ୍ଗ୍ୟାମାନେ ଅଣ୍ଡରଗ୍ରାଉଣ୍ଡ ରୁଟ୍ ଦେଇ ଭାରତରେ କାହିଁକି ପ୍ରବେଶ କରୁଛନ୍ତି ? ଆସିବା ପରେ ଖାଦ୍ୟ ଏବଂ ଆଶ୍ରୟ ଭଳି ମୌଳିକ ଅଧିକାର ଦାବି କରୁଛନ୍ତି।
ଉଲ୍ଲେଖନୀୟ ଯେ, ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ‘ହେଭିୟର୍ସ କର୍ପସ’ ଆବେଦନ ଉପରେ ଶୁଣାଣି କରୁଥିଲେ। ଆବେଦନରେ ଅଭିଯୋଗ ରହିଥିଲା ଯେ, ମଇ ମାସରେ ଦିଲ୍ଲୀ ପୁଲିସ କିଛି ରୋହିଙ୍ଗ୍ୟା ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଏହାପରେ ସେମାନେ ନିଖୋଜ ଅଛନ୍ତି। ଏଥିରେ ଦାବି କରାଯାଇଥିଲା ସେମାନଙ୍କୁ ଦେଶକୁ ଫେରାଇ ଅଣାଯାଉ। ଏହା ପୁରା ଆଇନଗତ ପକ୍ରିୟା ଭାବରେ ହେବା ଦରକାର।
କ’ଣ ଆମେ ତାଙ୍କୁ ରଖିବା ଜରୁରୀ ?
ଲାଇଭ୍ ଲ’ର ରିପୋର୍ଟ ଅନୁସାରେ, ଶୁଣାଣି ବେଳେ ସିଜେଆଇ କହିଥିଲେ, ଭାରତ ସରକାରଙ୍କ କେଉଁ ନିର୍ଦେଶ ଅନୁଯାୟୀ ଶରଣାର୍ଥୀ ଘୋଷିତ କରାଯିବ ? ଶରଣାର୍ଥୀ ଏକ ବିବିଧ ପରିଭାଷିତ ଶବ୍ଦ। ଯଦି କେହି ଆଇନଗତ ମାନ୍ୟତା ପାଇ ନାହିଁ ତେବେ ସେ ଅନୁପ୍ରବେଶକାରୀ। ଆମର କ’ଣ ଏହା ଦାୟିତ୍ବ ଯେ, ଆମେ ତାଙ୍କୁ ଏଠାରେ ରଖିବା ? ଯଦି ତାଙ୍କ ପାଖରେ ଭାରତରେ ରହିବାର ଆଇନଗତ ଅଧିକାର ନାହିଁ, ତେବେ ସେମାନେ ଅନୁପ୍ରବେଶକାରୀ। ତ ଆମେ କ’ଣ ଉତ୍ତର ଭାରତର ଖୁବ୍ ସମ୍ବେଦନଶୀଳ ସୀମାରେ ଆସିଥିବା ଅନୁପ୍ରବେଶକାରୀଙ୍କୁ ରେଡ୍ କାର୍ପେଟ ବିଛାଇ ସ୍ବାଗତ କରିବା ? ଆଦେନକାରୀଙ୍କ ଓକିଲ କହିଥିଲେ, ରୋହିଙ୍ଗ୍ୟାମାନେ ଶରଣାର୍ଥୀ ମାନ୍ୟତା ମାଗୁ ନାହାଁନ୍ତି, ବଂର କେବଳ ଏହା ଦାବି କରୁଛନ୍ତି, କୌଣସି ନିର୍ବାସନ ପକ୍ରିୟା ଯଦି ହେଉଛି ତେବେ ତାହା ଆଇନ ଅନୁସାରେ ହେଉ।
ବେଆଇନ ଭାବରେ ଆସି ଅଧିକାର ମାଗୁଛନ୍ତି
ଏହା ଉପରେ ସିଜେଆଇ କହିଥିଲେ, ପ୍ରଥମେ ରୋହିଙ୍ଗ୍ୟା ବେଆଇନ ଭାବରେ ଅନୁପ୍ରବେଶ କରିବେ। ସୁଡଙ୍ଗ ଖୋଳି, ବାଡ଼ କାଟି ଭାରତରେ ପ୍ରବେଶ କରିବେ। ଏହାପରେ କହିବେ ମୁଁ ଆସିଗଲି, ତେଣୁ ଭାରତର ଆଇନ ମୋ ଉପରେ ଲାଗୁ ହେଉ। ମୋତେ ଖାଦ୍ୟ, ରହିବାର ସ୍ଥାନ ଓ ପିଲାଙ୍କୁ ଶିକ୍ଷାର ସୁବିଧା ମିଳୁ। ଭାରତରେ କୋଟି କୋଟି ଗରିବ ନାଗରିକ ରହିଛନ୍ତି। ତାଙ୍କ ଉପରେ ଧ୍ୟାନ ଦେବା ଦରକାର। ତେବେ ସିଜେଆଇ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବେଆଇନ ଭାବରେ ଯଦି କେହି ଆସୁଛି, ତେବେ ତା ଉପରେ ଥାର୍ଡ ଡିଗ୍ରୀ କିମ୍ବା ଟର୍ଚର କରାନଯାଉ।