ନୂଆଦିଲ୍ଲୀ,୨୦/୦୪: ସାରା ଦେଶରେ ସଡ଼କ ସୁରକ୍ଷା ବଢ଼ାଇବା ପାଇଁ ସୁପ୍ରିମକୋର୍ଟ ମାର୍ଗଦର୍ଶିକା ଜାରି କରିଛନ୍ତି । ରାଜପଥଗୁଡ଼ିକରେ ଭାରୀଯାନ ପାର୍କିଂ ଉପରେ ଏଥିରେ କଟକଣା ଲଗାଯାଇଛି । ପ୍ରଶାସନିକ ଅବହେଳା କିମ୍ବା ଭିତ୍ତିଭୂମି ଅଭାବ ଯୋଗୁ ରାଜପଥଗୁଡ଼ିକୁ ମରଣଯନ୍ତା ହେବାକୁ ଦିଆଯାଇପାରିବ ନାହିଁ ବୋଲି ଜଷ୍ଟିସ୍ ଜେ.କେ ମାହେଶ୍ୱରୀ ଏବଂ ଜଷ୍ଟିସ୍ ଏଏସ୍ ଚନ୍ଦୁରକରଙ୍କ ଖଣ୍ଡପୀଠ କହିଛନ୍ତି । ଦେଶର ସଡ଼କ ସୁରକ୍ଷିତ କରିବାକୁ ସଡ଼କ ଓ ପରିବହନ ମନ୍ତ୍ରଣାଳୟ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏବଂ ରାଜ୍ୟ-କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି, ଜାତୀୟ ରାଜପଥ ଦେଶର ମୋଟ ସଡ଼କ ଦୈର୍ଘ୍ୟର କେବଳ ୨% । କିନ୍ତୁ ସଡ଼କ ଦୁର୍ଘଟଣାରେ ହେଉଥିବା ମୋଟ ମୃତ୍ୟୁର ପ୍ରାୟ ୩୦% ରାଜପଥ ସହ ଜଡ଼ିତ । ତେଲଙ୍ଗାନାର ରଙ୍ଗାରେଡ୍ଡୀରେ ଲଗାତର ହୋଇଥିବା ସଡ଼କ ଦୁର୍ଘଟଣାରେ ୩୪ ଜଣଙ୍କ ମୃତ୍ୟୁ ପରେ ରୁଜୁ ମାମଲା ଉପରେ ଶୁଣାଣି କରି ଖଣ୍ଡପୀଠ ଏହା କହିଛନ୍ତି ।

ଅଧିକ ପଢ଼ନ୍ତୁ :-  ଭାରତ-ରୁଷ ପ୍ରତିରକ୍ଷା ବୁଝାମଣା ଲାଗୁ, ଏଣିକି ଉଭୟେ ପରସ୍ପର ଦେଶରେ ମୁତୟନ କରିବେ ୩ ହଜାର ସୈନ୍ୟ

ମାର୍ଗଦର୍ଶିକା ଅନୁସାରେ, କୌଣସି ଭାରୀ କିମ୍ବା କମର୍ସିଆଲ ଯାନ ରାଜପଥରେ ପାର୍କିଂ ହୋଇପାରିବନି କିମ୍ବା ସେଠାରେ ଅଟକି ମଧ୍ୟ ପାରିବନି । କେବଳ ଧାର୍ଯ୍ୟ ସ୍ଥାନ, ଲେ-ବାଏ କିମ୍ବା ରାସ୍ତାପାଶ୍ୱର୍ରେ ରହିବାକୁ ସୁବିଧା ଥିବା ସ୍ଥାନରେ ହିଁ ପାର୍କିଂ ହୋଇପାରିବ । ଆଡ୍‌ଭାନ୍ସଡ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ (ଏଟିଏମ୍ଏସ୍) ଜରିଆରେ ନିର୍ଦ୍ଦେଶ ଲାଗୁ ହେବ। ଏଥିରେ ରାଜ୍ୟ ପୁଲିସକୁ ରିଅଲ-ଟାଇମ ଆଲର୍ଟ ପଠାଇବା, ଜିପିଏସ୍ ଟାଇମଷ୍ଟାମ୍ପ୍ ଥିବା ଫଟୋ ପ୍ରମାଣ ଏବଂ ଇଣ୍ଟିଗ୍ରେଟେଡ ଇ-ଚାଲାଣ ବନାଯିବା ଆଦି ସାମିଲ । ମାର୍ଗଦର୍ଶିକା ଜାରି ଲାଗି ସମ୍ବନ୍ଧିତ ଜିଲ୍ଲାର ଜିଲ୍ଲାପାଳ ଏକ ଏସ୍ଓପି ବନାଇବେ । ୬୦ ଦିନ ଭିତରେ ଏହା ପାଳନ କରାଯିବା ଜରୁରି । ଯେଉଁ ଜିଲ୍ଲା ଦେଇ ଜାତୀୟ ରାଜପଥ ଯାଇଛି, ସେଠାରେ ଜିଲ୍ଲାପାଳ ୧୫ ଦିନ ଭିତରେ ଏକ ସୁରକ୍ଷା ଟାସ୍କ ଫୋର୍ସ ବନାଇବେ ।