ନୂଆଦିଲ୍ଲୀ, ୧୩।୫: ହିନ୍ଦୁ ଧର୍ମ ଏବଂ ଏହାର ପରମ୍ପରାକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ ଆଜି ଏକ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । ବୁଧବାର ଧାର୍ମିକ ସ୍ୱତନ୍ତ୍ରତା ଏବଂ ମହିଳାମାନଙ୍କ ମନ୍ଦିର ପ୍ରବେଶ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ହିନ୍ଦୁ ଧର୍ମ କେବଳ ପୂଜା-ପଦ୍ଧତିରେ ସୀମିତ ନୁହେଁ, ବରଂ ଏହା ଏକ 'ଜୀବନ ଜିଇଁବାର ଶୈଳୀ' । ସାମ୍ବିଧାନିକ ପୀଠ ଶୁଣାଣି ସମୟରେ କହିଛନ୍ତି ଯେ, ଜଣେ ବ୍ୟକ୍ତି ହିନ୍ଦୁ ହୋଇ ରହିବା ପାଇଁ ମନ୍ଦିର ଯିବା କିମ୍ବା କୌଣସି ନିର୍ଦ୍ଦିଷ୍ଟ ଧାର୍ମିକ ରୀତିନୀତି ପାଳନ କରିବା ଅନିର୍ବାଯ୍ୟ ନୁହେଁ । ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ୯ ଜଣିଆ ଖଣ୍ଡପୀଠ କହିଛନ୍ତି, "ଯଦି ଜଣେ ବ୍ୟକ୍ତି ନିଜ କୁଡ଼ିଆ ଘର ଭିତରେ ଦୀପଟିଏ ଜାଳୁଛି, ତେବେ ତାହା ମଧ୍ୟ ତାଙ୍କର ଆସ୍ଥା ଏବଂ ବିଶ୍ୱାସ ପ୍ରମାଣିତ କରିବା ପାଇଁ ଯଥେଷ୍ଟ ।"
୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି:
ଶବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଏବଂ ବିଭିନ୍ନ ଧର୍ମର ପରମ୍ପରାକୁ ନେଇ ଦାୟର ହୋଇଥିବା ପୁନଃବିଚାର ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ଏକ ବୃହତ୍ ଖଣ୍ଡପୀଠ ଶୁଣାଣି କରୁଛନ୍ତି । ଏହି ଖଣ୍ଡପୀଠରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ସମେତ ଜଷ୍ଟିସ୍ ବି.ଭି. ନାଗରତ୍ନ, ଜଷ୍ଟିସ୍ ଏମ୍.ଏମ୍. ସୁନ୍ଦରେଶ, ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଭଳି ୯ ଜଣ ବରିଷ୍ଠ ବିଚାରପତି ସାମିଲ ଅଛନ୍ତି ।
୧୯୬୬ର ପୁରୁଣା ରାୟ ଓ ଆଧୁନିକ ବ୍ୟାଖ୍ୟା:
ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ଡକ୍ଟର ଜି. ମୋହନ ଗୋପାଳ ୧୯୬୬ ମସିହାର ଏକ ପୁରୁଣା ରାୟର ପ୍ରସଙ୍ଗ ଉଠାଇଥିଲେ, ଯେଉଁଥିରେ ଅଦାଲତ କହିଥିଲେ ଯେ ଯିଏ 'ବେଦ'କୁ ସର୍ବୋଚ୍ଚ ମାନେ ସିଏ ହିଁ ହିନ୍ଦୁ । ଏହାର ଉତ୍ତରରେ ଜଷ୍ଟିସ୍ ବି.ଭି. ନାଗରତ୍ନ କହିଥିଲେ ଯେ, ଏହି କାରଣରୁ ହିଁ ହିନ୍ଦୁ ଧର୍ମକୁ ଏକ ଜୀବନଶୈଳୀ କୁହାଯାଏ । ପ୍ରତ୍ୟେକ ବ୍ୟକ୍ତି ନିଜର ଶ୍ରଦ୍ଧାକୁ ନିଜ ଢଙ୍ଗରେ ବ୍ୟକ୍ତ କରିପାରିବେ ଏବଂ ଏଥିରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ ।
ସାମାଜିକ ନ୍ୟାୟ ଓ ଧାର୍ମିକ ପରମ୍ପରା ମଧ୍ୟରେ ସନ୍ତୁଳନ:
କୋର୍ଟ ସତର୍କ କରାଇ ଦେଇଛନ୍ତି ଯେ, ଯଦି ପ୍ରତିଟି ଧାର୍ମିକ ପରମ୍ପରାକୁ ସାମ୍ବିଧାନିକ ଅଦାଲତରେ ଚ୍ୟାଲେଞ୍ଜ କରାଯାଏ, ତେବେ ହଜାର ହଜାର ମାମଲା ରୁଜୁ ହେବ ଏବଂ ଏହା ଦ୍ୱାରା ଧାର୍ମିକ ସଂରଚନା ପ୍ରଭାବିତ ହୋଇପାରେ । ୨୦୧୮ ମସିହାରେ ସର୍ବୋଚ୍ଚ ଅଦାଲତ ଶବରୀମାଳା ମନ୍ଦିରରେ ୧୦ ରୁ ୫୦ ବର୍ଷ ବୟସର ମହିଳାଙ୍କ ପ୍ରବେଶ ଉପରେ ଥିବା କଟକଣାକୁ ହଟାଇଥିଲେ । ବର୍ତ୍ତମାନ ଏହି ବଡ଼ ଖଣ୍ଡପୀଠ ଧାର୍ମିକ ସ୍ୱତନ୍ତ୍ରତା ଏବଂ ସମାନତା ଭଳି ବ୍ୟାପକ ବିଷୟ ଉପରେ ପୁନଃ ଶୁଣାଣି କରୁଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ହିନ୍ଦୁ ଧର୍ମର ବ୍ୟାପକତାକୁ ସ୍ୱୀକୃତି ଦେଇଛି । ଏହା ସ୍ପଷ୍ଟ କରିଛି ଯେ ଆଧ୍ୟାତ୍ମିକତା କେବଳ ମନ୍ଦିର କିମ୍ବା ବାହ୍ୟ ପରମ୍ପରାରେ ସୀମିତ ନୁହେଁ, ବରଂ ଜଣେ ବ୍ୟକ୍ତିର ବ୍ୟକ୍ତିଗତ ବିଶ୍ୱାସ ଏବଂ ତାଙ୍କ ଜୀବନଶୈଳୀ ହିଁ ତାଙ୍କର ଧାର୍ମିକ ପରିଚୟ ।
ଆହୁରି ପଢ଼ନ୍ତୁ... ବର୍ଷେ କାମ କଲେ ବି ମିଳିବ ଗ୍ରାଚୁଇଟି, ୧୨ ଘଣ୍ଟା କାମ କଲେ ସପ୍ତାହରେ ୩ ଦିନ ଛୁଟି