ନୂଆଦିଲ୍ଲୀ,୨୧/୦୧: ବୁଲାକୁକୁର କାମୁଡ଼ା ମାମଲାରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି । ବୁଲାକୁକୁର କାମୁଡ଼ାରେ କାହାକୁ ଆଘାତ ଲାଗିଲେ କିମ୍ବା କାହାରି ମୃତ୍ୟୁ ଘଟିଲେ ପୌର ପରିଷଦ ସହ କୁକୁରଙ୍କୁ ଖୁଆଉଥିବା ଲୋକଙ୍କୁ ଦାୟୀ କରାଯାଇପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସେହିପରି ଗତ ଶୁଣାଣି ବେଳେ ଦିଆଯାଇଥିବା ଟିପ୍ପଣୀକୁ ମଜା ନ ଭାବି ଗୁରୁତ୍ୱର ସହ ନେବାକୁ ସୁପ୍ରିମକୋର୍ଟ କହିଥିଲେ । ଏହା ସହିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

​​​​​​​ବୁଲା କୁକୁର ପ୍ରସଙ୍ଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମାଲୋଚନା କରି ଦେଇଥିବା ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ସେ କୋର୍ଟର ଅବମାନନା କରିଛନ୍ତି । ପୂର୍ବତନ ମନ୍ତ୍ରୀ ଚିନ୍ତା ନକରି ସମସ୍ତଙ୍କ ବିରୁଦ୍ଧରେ "ସବୁ ପ୍ରକାରର ମନ୍ତବ୍ୟ" ଦେଇଛନ୍ତି । କସାବ ବି କୋର୍ଟର ଅବମାନନା କରିନଥିଲା ।''

କୁକୁର ମାମଲାରେ ସୁପ୍ରିମକୋର୍ଟ ବେଶ୍‌ ଗମ୍ଭୀର । ଏଥିପାଇଁ ଉତ୍ତରଦାୟିତ୍ୱ ସ୍ଥିର କରିବାରେ ଶୀର୍ଷ ଅଦାଲତ ପଛଘୁଞ୍ଚା ଦେବେନାହିଁ । ଏଥିସହ ସମ୍ପ୍ରତି ବ୍ୟବସ୍ଥାରେ ସ୍ଥାନୀୟ ପ୍ରଶାସନର ବିଫଳତା ମଧ୍ୟ ସାମ୍‌ନାକୁ ଆସିଥିବା ଜଷ୍ଟିସ୍‌ ବିକ୍ରମ ନାଥ, ଜଷ୍ଟିସ୍‌ ସନ୍ଦୀପ ମେହତା, ଜଷ୍ଟିସ୍‌ ଏନ୍‌. ଭି ଅଞ୍ଜରିଆଙ୍କ ଖଣ୍ଡପୀଠ କହିଥିଲେ । ପ୍ରଥମେ ବ୍ୟକ୍ତିଗତ ପକ୍ଷର ଦଲିଲ ଶୁଣାଯିବ ଏବଂ ପରେ ରାଜ୍ୟଗୁଡ଼ିକୁ ଆଉ ଗୋଟିଏ ଦିନ ସୁଯୋଗ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ଏହି ଅବସରରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀ ସାର୍ବଜନିକ ଭାବେ ଦେଇଥିବା ଟିପ୍ପଣୀ ଉପରେ କଡ଼ା ଆପତ୍ତି ଉଠାଇଥିଲେ । ଅଦାଲତ କହିଥିଲେ, ବିନା ବୁଝି ବିଚାରି ଦିଆଯାଉଥିବା ବୟାନ ନ୍ୟାୟପାଳିକାଙ୍କ ପ୍ରତି ଅବମାନନା ବିବେଚନା କରାଯାଇପାରିବ । ସଂସ୍ଥାଗତ ପରିସରରେ ବୁଲାକୁକୁରଙ୍କ ଉପସ୍ଥିତି ଏବଂ ନଗର ନିଗମ ଅଧିକାରୀଙ୍କ ଦାୟିତ୍ୱ ଭଳି ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାର କରାଯିବା ଜରୁରି ।

ଗତ ଶୁଣାଣିରେ ସୁପ୍ରିମକୋର୍ଟ କହିଥିଲେ, ଯେଉଁମାନେ କୁକୁରଙ୍କୁ ଏତେ ଭଲପାଉଛନ୍ତି ସେମାନେ କାହିଁକି କୁକୁରଙ୍କୁ ଘରକୁ ନେଇ ରଖୁନାହାନ୍ତି । ଏହାକୁ ନେଇ ମେନକା ଏକ ପଡ୍‌କାଷ୍ଟରେ ସମାଲୋଚନା କରିଥିଲେ । ଆଜିର ଶୁଣାଣିରେ ସମସ୍ତ ପିଟିସନରଙ୍କ ପକ୍ଷରୁ ଦଲିଲ ଶୁଣାଯାଇଛି । ଜାନୁଆରୀ ୨୮ରେ ଏହି ଦଲିଲଗୁଡ଼ିକ ଉପରେ ଜବାବ ଏବଂ ପରବର୍ତ୍ତୀ ପଦକ୍ଷେପ ଉପରେ ଚର୍ଚ୍ଚା ହେବ ।
​​​​​​​