ନୂଆଦିଲ୍ଲୀ,୦୩/୦୨; ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ଡାଟା ଗୋପନୀୟତା ନେଇ ସୁପ୍ରିମକୋର୍ଟ ମେଟାକୁ ଭର୍ତ୍ସନା କରିଛନ୍ତି । କୋର୍ଟ କହିଛନ୍ତି ଯେ, ଗୋପନୀୟତା ନାଗରିକଙ୍କ ମୌଳିକ ଅଧିକାର, ତୁମେ ଲୋକମାନଙ୍କ ସହ ଖେଳୁଛ । ମେଟାକୁ ଏହାର ବ୍ୟବସାୟ ବିସ୍ତାର କରିବା ପାଇଁ ଲୋକଙ୍କ ଗୋପନୀୟତାର ଶୋଷଣ କରିବାକୁ ଅନୁମତି ଦିଆଯିବ ନାହିଁ । ଚାଟ୍‌ ଗୋପନୀୟତାକୁ ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ବ୍ୟବହାରକାରୀଙ୍କ ଗୋପନୀୟତା ସର୍ବୋପରି । ସେ ମେଟାର ନୀତିକୁ ଦ୍ୱନ୍ଦ୍ୱପୂର୍ଣ୍ଣ ଏବଂ ଜନସାଧାରଣଙ୍କ ପାଇଁ ବୁଝିବା କଷ୍ଟକର ବୋଲି ବର୍ଣ୍ଣନା କରିଛନ୍ତି । ସମ୍ବିଧାନ ନିୟମ ପାଳନ କର ନଚେତ୍ ଭାରତ ଛାଡ଼ିଦିଅ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ ଡାଟା ସେୟାରିଂ ସମ୍ପର୍କରେ ହ୍ୱାଟ୍ସଆପ୍ ଏବଂ ମେଟାଠାରୁ ସତ୍ୟପାଠ ମାଗିଛନ୍ତି ।​​​​​​​

ଲକ୍ଷ ଲକ୍ଷ ୟୁଜର୍ସଙ୍କ ତଥ୍ୟର ଅପବ୍ୟବହାର ହୋଇଛି: ସୁପ୍ରିମକୋର୍ଟସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ଲୋକଙ୍କ ତଥ୍ୟକୁ ବ୍ୟବସାୟ ଲାଭ ପାଇଁ ବ୍ୟବହାର କରାଯାଉଛି ଏବଂ ଲକ୍ଷ ଲକ୍ଷ ସୋସିଆଲ ମିଡିଆ ୟୁଜର୍ସଙ୍କ ତଥ୍ୟର ଅପବ୍ୟବହାର କରାଯାଇଛି । ମେଟାର ଓକିଲ ଅଖିଲ ସିବଲ ଯୁକ୍ତି ଦେଇଥିଲେ ଯେ, ବ୍ୟବସାୟ ଉଦ୍ଦେଶ୍ୟରେ ସୀମିତ ତଥ୍ୟ ସେୟାରିଂକୁ ଅନୁମତି ଦିଆଯାଇଛି।  ଏହାର ଉତ୍ତରରେ ସିଜେଆଇ କହିଛନ୍ତି, "ଯଦି ଆପଣ ଡାଟାର କୌଣସି ଅଂଶ ବିକ୍ରୟ ଯୋଗ୍ୟ ପାଆନ୍ତି, ତେବେ ଆପଣ ଏହାକୁ ବିକ୍ରି କରିପାରିବେ । ଭାରତୀୟ ଗ୍ରାହକମାନେ ସ୍ୱର ଉଠାଇ ପାରୁନାହାନ୍ତି, ତେଣୁ ଆପଣ ସେମାନଙ୍କୁ ଶିକାର କରିପାରିବେ ନାହିଁ । "

​​​​​​​ପୂରା ଘଟଣା କ’ଣ ?
ମେଟା ଏବଂ ହ୍ୱାଟ୍ସଆପ୍ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ତଥ୍ୟ ଗୋପନୀୟତା ଏବଂ ତଥ୍ୟର ଆର୍ଥିକ ମୂଲ୍ୟ ବିଷୟରେ ପ୍ରଶ୍ନ ଉଠାଇଥିଲେ । ଏହି ମାମଲାରେ ଓଟିଟି ମେସେଜିଂ ବଜାରରେ ଏହାର ପ୍ରାଧାନ୍ୟକୁ ଅପବ୍ୟବହାର କରିବା ପାଇଁ ମେଟା ଉପରେ ସିସିଆଇ ଦ୍ୱାରା ଲାଗୁ କରାଯାଇଥିବା ୨୧୩ କୋଟି ଜରିମାନାକୁ ବଜାୟ ରଖିବା ପାଇଁ ଏନସିଏଲଏଟି ଆଦେଶକୁ ଚ୍ୟାଲେଞ୍ଜ କରାଯାଇଛି । ଶୁଣାଣି ସମୟରେ, କୋର୍ଟ ସ୍ପଷ୍ଟ ଭାବରେ କହିଥିଲେ ଯେ, ନାଗରିକଙ୍କ ଅଧିକାରକୁ କ୍ଷତି ପହଞ୍ଚାଇ କୌଣସି ବାଣିଜ୍ୟିକ ଉଦ୍ୟୋଗକୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ । କମ୍ପାନୀଗୁଡ଼ିକୁ ତଥ୍ୟ ସୁରକ୍ଷା ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ହେବ ।

ଏହା ବି ପଢନ୍ତୁ...ଏନଡିଏ ସଂସଦୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଭାରତ ସପକ୍ଷରେ ବିଶ୍ୱ ବ୍ୟବସ୍ଥା