ନୂଆଦିଲ୍ଲୀ,୨୯।୧୨: ଆରାବଳି ପର୍ବତମାଳାକୁ ନେଇ ଚାଲିଥିବା ବିବାଦ ଭିତରେ ଆସିଛି ସୁପ୍ରିମକୋର୍ଟଙ୍କ ରାୟ। ସୋମବାର ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ନିଜ ରାୟ ଉପରେ ଲଗାଇଛନ୍ତି ରୋକ। ଏହା ସହ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ୨୦ ନଭେମ୍ବରରେ ଯେଉଁ ରାୟ ଦେଇଥିଲେ ତାହା ଆଗାମୀ ଶୁଣାଣି ପର୍ଯ୍ୟନ୍ତ ଲାଗୁ ହେବ ନାହିଁ। ଆଉ ସେପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରହିବ ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକୁ ବିସ୍ତୃତ ଭାବରେ ବିଚାର କରାଯିବ। ଏହି ମାମଲାରେ ପରବର୍ତ୍ତୀ ଶୁଣାଣୀ ୨୧ ଜାନୁଆରୀରେ ହେବ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି, କୋର୍ଟଙ୍କ ରିପୋର୍ଟ କିମ୍ବା ନିର୍ଦେଶ ଲାଗୁ କରିବା ପୂର୍ବରୁ ନିରପେକ୍ଷ ଓ ସ୍ବତନ୍ତ୍ର ବିଶେଷଜ୍ଞଙ୍କ ରାୟ ଉପରେ ବିଚାର କରାଯିବା ଉଚିତ। ଆରାବଳୀ ରେଞ୍ଜର ପରିଭାଷା ସଠିକ ଭାବରେ ହେବା ଦରକାର ନଚେତ ପରିବେଶକୁ କ୍ଷତି ହୋଇପାରେ।
ଆରାବଳି ବିବାଦରେ, ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ପାଞ୍ଚଟି ପ୍ରଶ୍ନ ପଚାରିଛନ୍ତି, ତାହା ହେଲା…
-ଆରାବଳିର ପରିଭାଷାକୁ କେବଳ ୫୦୦ ମିଟର ଅଞ୍ଚଳ ସୀମିତ କରିବା କ’ଣ ଏକ ଗଠନମୂଳକ ବିରୋଧାଭାସ ସୃଷ୍ଟି କରେ, ଏହା ସଂରକ୍ଷଣର ପରିସରକୁ ସଂକୁଚିତ କରେ କି ?
- କ’ଣ ଏହାଦ୍ବାରା ଅଣ-ଆରାବଳି ଅଞ୍ଚଳର ପରିସର ବଢିଛି, ଯେଉଁଠାରେ ନିୟନ୍ତ୍ରିତ ଖଣିକୁ ଅନୁମତି ଦିଆଯାଇପାରିବ?
-ଯଦି ଦୁଇଟି ଆରାବଳି ଅଞ୍ଚଳ ୧୦୦ ମିଟର କିମ୍ବା ତା’ଠାରୁ ଅଧିକ ଦୂରରେ ଥାଏ ଏବଂ ସେମାନଙ୍କ ମଧ୍ୟରେ ୭୦୦ ମିଟର ବ୍ୟବଧାନ ଥାଏ, ତେବେ ସେହି ବ୍ୟବଧାନରେ ନିୟନ୍ତ୍ରିତ ଖଣିକୁ ଅନୁମତି ଦିଆଯିବା ଉଚିତ କି?
- ପ୍ରାକୃତିକ ସମ୍ବଳ ବା ଇକୋଲୋଜିକାଲ୍ କଣ୍ଟିନ୍ୟୁଟିକୁ କିପରି ସୁରକ୍ଷିତ ରଖାଯିବ?
-ଯଦି ନିୟମରେ ଏକ ପ୍ରମୁଖ ଆଇନଗତ କିମ୍ବା ନିୟାମକ ବ୍ୟବଧାନ ମିଳେ, ତେବେ ଆରାବଳି ପର୍ବତମାଳାର ଗଠନମୂଳକ ଶକ୍ତି ବଜାୟ ରଖିବା ପାଇଁ ଏକ ବିସ୍ତୃତ ମୂଲ୍ୟାଙ୍କନ ଆବଶ୍ୟକ ହେବ କି?
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜେ.କେ. ମହେଶ୍ୱରୀ ଏବଂ ଜଷ୍ଟିସ୍ ଏ.ଜି. ମସିହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଆରାବଳୀ ପାହାଡ଼ର ସଂଜ୍ଞା ବଦଳିଲେ ବେଆଇନ ଖଣି ଖନନ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ କୋର୍ଟ ଏହା ଉପରେ ଏକ ସ୍ୱତଃ ପ୍ରବୃତ୍ତ ମାମଲା ରୁଜୁ କରିଥିଲେ। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, କୌଣସି ନୂତନ ନିୟମ ଲାଗୁ ହେବା ପୂର୍ବରୁ ଏହାର ନିରପେକ୍ଷ ଏବଂ ସ୍ୱାଧୀନ ଭାବରେ ବିଶେଷଜ୍ଞଙ୍କ ତଦନ୍ତ ହେବା ଆବଶ୍ୟକ। ବିଶେଷଜ୍ଞ କମିଟିର ରିପୋର୍ଟ ଏବଂ କୋର୍ଟଙ୍କ ପର୍ଯ୍ୟବେକ୍ଷଣର ଭୁଲ୍ ବ୍ୟାଖ୍ୟା କରାଯାଉଥିବା ନେଇ ଆଶଙ୍କା ପ୍ରକାଶ ପାଇବା ପରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।
ଉଲ୍ଲେଖନୀୟ ଯେ, ୨୦ ନଭେମ୍ବରରେ ସୁପ୍ରିମକୋର୍ଟ ଆରାବଳୀ ପର୍ବତ ଓ ପର୍ବତମାଳାର ଏକାଭଳି ପରିଭାଷାକୁ ସ୍ବୀକାର କରି ଏହା ଉପରେ ମୋହର ଲଗାଇ ଦେଇଥିଲେ। କୋର୍ଟ ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଓ ଗୁଜରାଟ ପର୍ଯ୍ୟନ୍ତ ବ୍ୟାପିଥିବା ଏହି ପର୍ବତ ଶୃଙ୍ଖଳାରେ ବିଶେଷଜ୍ଞଙ୍କ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଖନନ ଉପରେ ରୋକ ଲଗାଇ ଦେଇଥିଲେ। ଆରାବଳୀକୁ ନେଇ ସବୁଠାରୁ ବଡ଼ ବିବାଦ ଏହାର ଭୌଗଳିକ ସୀମା ଓ ପରିଭାଷାକୁ ନେଇ ରହିଛି। ପର୍ବତର ସ୍ପଷ୍ଟ ପରିଭାଷା ନହେବା କାରଣରୁ ବହୁବାର ନିର୍ମାଣ କାର୍ଯ୍ୟ ଓ ଖନନ ନେଇ ନିୟମ ଉଲଂଘନ ହେଉଛି। ଏହା ପୂର୍ବରୁ କୋର୍ଟ ଆରାବଳରେ ଖନନ ଉପରେ ପୂର୍ଣ୍ଣ କଟକଣା ଲଗାଇବା ବିରୋଧରେ ନିଷ୍ପତ୍ତି ନେଇଥିଲେ। କୋର୍ଟଙ୍କ ମତରେ ଏଭଳି ନିଷେଧ ବେଆଇନ ଖନନ ଗତିବିଧିକୁ ଜନ୍ମ ଦେଇପାରେ।
କ’ଣ ଥିଲା ନୂତନ ପରିଭାଷା ?
କୋର୍ଟ ପରିବେଶ, ବନ୍ୟ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର କମିଟିର ସୁପାରିଶକୁ ସ୍ବୀକାର କରିଥିଲେ। କମିଟି ଅନୁସାରେ, ‘ଆରାବଳୀ ପର୍ବତ’କୁ ସେହି ଚିହ୍ନିତ ଆରାବଳୀ ଜିଲ୍ଲାରେ ଥିବା କୌଣସି ଭୂ-ଆକୃତି ରୂପରେ ପରିଭାଷିତ କରାଯିବ, ଯାହାର ଉଚ୍ଚତା ୧୦୦ ମିଟରରୁ ଅଧିକ କିମ୍ବା ତା’ଠାରୁ ଅଧିକ। ସେଭଳି ‘ଆରାବଳି ପର୍ବତମାଳା’ ଗୋଟିଏ ଅନ୍ୟଠାରୁ ୫୦୦ ମିଟର ଭିତରେ ଦୁଇ କିମ୍ବା ଅଧିକ ଏଭଳି ପାହାଡର ସମୁହ ହେବ।
ଆହୁରି ପଢନ୍ତୁ :‘ରାହୁଲ ବାବା ଆପଣ ଥକି ପଡନ୍ତୁ ନାହିଁ, ଏବେ ତ ଆହୁରି ହାରିବାର ଅଛି ’, କଂଗ୍ରେସକୁ ଶାହଙ୍କ ଟାର୍ଗେଟ