ନୂଆଦିଲ୍ଲୀ: ତାମିଲନାଡୁରେ ଗୋହତ୍ୟା ଉପରେ ଲାଗିବନି ସମ୍ପୂର୍ଣ୍ଣ ନିଷେଧାଦେଶ । ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ରାଜ୍ୟ ସରକାର ଏହି ଆଦେସ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ରାଜ୍ୟ ନିୟମାବଳୀକୁ ଉଦ୍ଧୃତ କରି ଏବଂ ୧୦ ବର୍ଷରୁ ଅଧିକ ବୟସର ଗୋହତ୍ୟା ଉପରେ କୌଣସି ଆଇନଗତ ନିଷେଧ ନାହିଁ ବୋଲି ଯୁକ୍ତି କରିଥିଲେ। ସୁପ୍ରିମକୋର୍ଟ ଏହାଠାରୁ ଆଗକୁ ଯାଇ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।
'ବାର ଆଣ୍ଡ ବେଞ୍ଚ'ର ଏକ ରିପୋର୍ଟ ଅନୁଯାୟୀ, ତାମିଲନାଡୁ ସରକାରଙ୍କ ଆବେଦନର ଶୁଣାଣି କରି ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆବେଦନ ଉପରେ ନୋଟିସ ଜାରି କରିଛନ୍ତି ଏବଂ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟର ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଦେଇଛନ୍ତି।
ତାମିଲନାଡୁ ସରକାର ସୁପ୍ରିମକୋର୍ଟରେ କ'ଣ ଯୁକ୍ତି ଦେଇଥିଲେ ?
ତାମିଲନାଡୁ ସରକାର ସୁପ୍ରିମକୋର୍ଟରେ ଯୁକ୍ତି ରଖିଥିଲେ ଯେ, ମୂଳ ଆବେଦନ ବକ୍ରୀଦ ସମୟରେ ଅଧିକୃତ କଂସେଇଖାନା ବାହାରେ ଗାଈ ଏବଂ ବାଛୁରୀ ହତ୍ୟା ଅଭିଯୋଗ ପର୍ଯ୍ୟନ୍ତ ସୀମିତ ଥିଲା। ସରକାର ଯୁକ୍ତି ଦେଇଥିଲେ ଯେ ମାଡ୍ରାସ ହାଇକୋର୍ଟର ଡିଭିଜନ ବେଞ୍ଚ ଆବେଦନର ପରିସର ବାହାରକୁ ଯାଇ ସମଗ୍ର ରାଜ୍ୟରେ ଗୋହତ୍ୟା ଉପରେ ସମ୍ପୂର୍ଣ୍ଣ ନିଷେଧ ନିର୍ଦ୍ଦେଶ ଦେଇଥିଲେ, ଯାହା ଆବେଦନର ପରିସର ବାହାରେ ଏବଂ ଆଇନ ସହିତ ଅସଙ୍ଗତ।
ଏହା ଉଲ୍ଲେଖନୀୟ ଯେ ମାଡ୍ରାସ ହାଇକୋର୍ଟ ମଇ ୨୭ ତାରିଖରେ ତାଙ୍କ ଆଦେଶରେ ସମ୍ବିଧାନର ଧାରା ୪୮ ଏବଂ ତାମିଲନାଡୁ ସରକାରଙ୍କ ୧୯୭୬ ଗୋହତ୍ୟା ନିଷେଧକୁ ଉଦ୍ଧୃତ କରି ରାଜ୍ୟ ସରକାରଙ୍କୁ ବକ୍ରୀଦ ସମେତ ଯେକୌଣସି ଦିନ ଗାଈ ଏବଂ ବାଛୁରୀ ହତ୍ୟା ନିଷେଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସୁପ୍ରିମକୋର୍ଟଙ୍କ ସଦ୍ୟତମ ଆଦେଶ ପରେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଉ କାର୍ଯ୍ୟକାରୀ ହେବ ନାହିଁ। ମାମଲାର ପରବର୍ତ୍ତୀ ଶୁଣାଣିରେ, ସୁପ୍ରିମକୋର୍ଟ ନିର୍ଣ୍ଣୟ କରିବେ ଯେ ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ଆଇନ ଏବଂ ସମ୍ବିଧାନ ଅନୁଯାୟୀ ଥିଲା କି ନାହିଁ।