ନୂଆଦିଲ୍ଲୀ,୧୯/୦୫: ଓଡ଼ିଶାରେ ବନ୍ଦ ହୋଇଯାଇଥିବା ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍ଆରଏମ୍‌ସିଏଚ୍)ରୁ ଅନ୍ୟ ଘରୋଇ ମେଡିକାଲ କଲେଜକୁ ସ୍ଥାନାନ୍ତରିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ମିଳିଛି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ସେମାନେ ସରକାରୀ ମେଡିକାଲ କଲେଜ୍‌ର ରିହାତି ଫିସ୍ ଦେଇ ପାଠ ପଢ଼ିବାର ଦାବି କରିପାରିବେ ନାହିଁ । ଏହି ଛାତ୍ରଛାତ୍ରୀଙ୍କ ଠାରୁ ଏସ୍ଆରଏମ୍‌ସିଏଚ୍ ଧାର୍ଯ୍ୟ କରିଥିବା ଫି ଅନୁସାରେ ବକେୟା ଅର୍ଥ ଆଦାୟ କରାଯାଇ ପାରିବ ବୋଲି ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଦେଇଛନ୍ତି ।

ବିଚାରପତି ବିକ୍ରମ ନାଥ ଓ ସନ୍ଦୀପ ମେହଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ୍ଆରଏମ୍‌ସିଏଚ୍‌ର ପରିଚାଳନା କରୁଥିବା ସେଲଭ୍‌ମ ଏଜୁକେଶନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଠାରୁ ସଂରକ୍ଷିତ କରାଯାଇଥିବା ଟଙ୍କାକୁ ଛାତ୍ରଛାତ୍ରୀଙ୍କ ନାମ ଲେଖାଇଥିବା ୩ଟି ଘରୋଇ ମେଡିକାଲ କଲେଜକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅର୍ଥ ମଧ୍ୟରେ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ/ନ୍ୟାସନାଲ ମେଡିକାଲ କମିଶନ (ଏନ୍ଏମ୍‌ସି) ପାଖରେ ଜମା ରହିଥିବା ୧୦ କୋଟିର ବ୍ୟାଙ୍କ ଗ୍ୟାରେଣ୍ଟି, ସୁପ୍ରିମକୋର୍ଟରେ ଜମା ରହିଥିବା ୨ କୋଟି ଏବଂ ତାର ସୁଧ ସାମିଲ ଅଛି । ଏଥିସହ ସେମାନଙ୍କର ପ୍ରକୃତ ଫି କେତେ ଓ ଆଉ କେତେ ଟଙ୍କା ସେମାନଙ୍କୁ ଦେବାକୁ ପଡିବ ସେହି ବିଷୟରେ ସବିଶେଷ ତଥ୍ୟ ଏନ୍ଏମ୍‌ସିକୁ ଜଣାଇବା ଲାଗି ଖଣ୍ଡପୀଠ ଘରୋଇ ମେଡିକାଲ କଲେଜକୁ କହିଛନ୍ତି ।

ସେହିଭଳି ଏହି ଅର୍ଥ କିଭଳି ଆଦାୟ କରାଯିବ ଓ ଘରୋଇ ମେଡିକାଲ କଲେଜକୁ ଭରଣା କରାଯିବ ତାର ସମାଧାନ ବାଟ ଏନ୍ଏମ୍‌ସି ବାହାର କରିବ । ଫି ସମସ୍ୟାର ସମାଧାନ ହେବା ପରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାର ଚୂଡାନ୍ତ ପ୍ରମାଣପତ୍ର ମିଳିପାରିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଛାତ୍ରଛାତ୍ରୀ ସରକାରୀ ସବ୍ସିଡି ଆଧାରରେ ସେହି ଘରୋଇ ମେଡିକାଲ କଲେଜରେ ପଢ଼ିବା ଲାଗି ଦର୍ଶାଇଥିବା ଯୁକ୍ତିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କହିଛନ୍ତି ଏଭଳି ହେଲେ ତାହା ଅନୁଚିତ ଲାଭ ଭାବେ ପରିଗଣିତ ହେବ । ଛାତ୍ରଛାତ୍ରୀ ପରିସ୍ଥିତି ପାଇଁ ଯଦିଓ ଦାୟୀ ନୁହନ୍ତି, କିନ୍ତୁ ସେମାନେ ମୂଳରୁ ଏକ ଘରୋଇ ମେଡିକାଲ କଲେଜରେ ପ୍ରବେଶ କରିଥିଲେ । ଯେଉଁଠାରେ ଫି ଢ଼ାଞ୍ଚା ସରକାରୀ ମେଡିକାଲ କଲେଜ ଠାରୁ ବହୁ ଅଧିକ ଥିଲା ।

ଅଧିକ ପଢ଼ନ୍ତୁ :-  Cabinet Expansion : ମୋହନଙ୍କ ମନ୍ତ୍ରିମଣ୍ଡଳର ହେବ ସଂପ୍ରସାରଣ, ସ୍ଥାନ ପାଇବେ ନୂଆ ମୁହଁ

ସୂଚନାଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ପ୍ରତିଷ୍ଠା କରାଯାଇଥିବା ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍ଆରଏମ୍‌ସଏଚ୍)ରେ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ ଯାଞ୍ଚ କରିବା ପରେ ସେଠାରେ ଭିତ୍ତିଭୂମି, ଫାକଲ୍ଟି ଓ ନିୟମ କାନୁନରେ ବ୍ୟାପକ ତ୍ରୁଟି ନଜରକୁ ଆସିଥିଲା । ଏହା ପରେ କଲେଜର ମାନ୍ୟତାକୁ ରଦ୍ଦ କରିଦିଆଯାଇଥିଲା । ସେଠାରେ ପଢ଼ୁଥିବା ୨୦୧୩-୧୪ ଓ ୨୦୧୪-୧୫ ବ୍ୟାଚ୍‌ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସଙ୍କଟରେ ପଡିଥିଲା । ହାଇକୋର୍ଟ ମ୍ୟାନେଜମେଣ୍ଟ କୋଟାରେ ସରକାରୀ ମେଡିକାଲ କଲେଜରେ ସେମାନଙ୍କୁ ଭର୍ତ୍ତି କରାଇବାକୁ କହିଥିଲେ । କିନ୍ତୁ ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା ।

ଅଧିକ ପଢ଼ନ୍ତୁ :-  

ଛାତ୍ରଛାତ୍ରୀଙ୍କର ଗୋଟିଏ ଶିକ୍ଷାବର୍ଷ ଯେଭଳି ନଷ୍ଟ ନହେବ ସେଥିପାଇଁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ କାଉନସେଲିଂ ପ୍ରକ୍ରିୟାରେ ସେମାନଙ୍କୁ ଆଇଏମ୍ଏସ୍-ସମ୍ ହସ୍ପିଟାଲ, କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ (କିମ୍ସ) ଏବଂ ହାଇଟେକ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ । ୧୨୨ ଜଣ ଛାତ୍ରଛାତ୍ରୀ ଉପରୋକ୍ତ ୩ ମେଡିକାଲ କଲେଜରେ ପଢ଼ିଥିଲେ । ପାଠପଢ଼ା ଭିତରେ ସେମାନେ କୋର୍ଟଙ୍କ ଅନ୍ତରୀଣ ସୁରକ୍ଷା ଆଧାରରେ ସରକାରୀ ଫି ହିସାବରେ ବାର୍ଷିକ ପ୍ରାୟ ୩୦ ହଜାର ଟଙ୍କା ଲେଖାଏ ଦେଇଥିଲେ । ତେବେ ପାଠପଢ଼ା ଶେଷ ହେବା ପରେ ଘରୋଇ ମେଡିକାଲ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଠାରୁ ପୂର୍ଣ୍ଣ ଫି ଓ ଦେଇଥିବା ଷ୍ଟାଇପେଣ୍ଡ ବାବଦ ଅର୍ଥ ଦାବିରେ ସୁପ୍ରିମକୋର୍ଟରେ ପିଟିସନ ଫାଇଲ କରିଥିଲେ ।