�ଧାରା ୧୭ଏ ଅସାମ୍ବିଧାନିକ:ଜଷ୍ଟିସ୍ ନାଗରତ୍ନା
�ପ୍ରାବଧାନ ଶେଷ କରିବା କ୍ଷତିକାରକ: ଜଷ୍ଟିସ୍ ବିଶ୍ୱନାଥନ
�ବୃହତ୍ତର ଖଣ୍ଡପୀଠକୁ ପଠାଯିବ ମାମଲା
ନୂଆଦିଲ୍ଲୀ,୧୪/୦୧: ଦୁର୍ନୀତି ମାମଲାରେ ସରକାରୀ କର୍ମଚାରୀଙ୍କ ବିରୋଧରେ ତଦନ୍ତ ପୂର୍ବରୁ ଅନୁମତି ନେବା ବାଧ୍ୟତାମୂଳକ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ମଙ୍ଗଳବାର ଶୁଣାଣି ହୋଇଛି । ଶୁଣାଣି ବେଳେ ଜଷ୍ଟିସ୍ ନାଗରତ୍ନା ଏବଂ ଜଷ୍ଟିସ୍ ବିଶ୍ୱନାଥନଙ୍କ ଖଣ୍ଡପୀପୀଠ ବିଭାଜିତ ମତ ଦେଇଛନ୍ତି । ଏହି ମାମଲା ଦୁର୍ନୀତି ନିବାରଣ ଆଇନର ଧାରା ୧୭ଏ’ର ବୈଧତା ସହ ଜଡ଼ିତ । ଏଥିରେ କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ତଦନ୍ତ ପୂର୍ବରୁ ପ୍ରଥମେ ସରକାରଙ୍କଠାରୁ ଅନୁମତି ନେବା ଜରୁରି ବୋଲି ପ୍ରାବଧାନ ରହିଛି । ଏହାକୁ ନେଇ ବିବାଦ ଚାଲିଛି ।
ଜଷ୍ଟିସ ନାଗରତ୍ନା କହିଥିଲେ, ଧାରା ୧୭ଏ ଅସାମ୍ବିଧାନିକ । କୌଣସି ଯାଞ୍ଚ ପୂର୍ବରୁ ଅନୁମତି ନେବା ଜରୁରି ନୁହେଁ । ଏହା ଦ୍ୱାରା ତଦନ୍ତ ବାଧାପ୍ରାପ୍ତ ହୁଏ । ଏହା ସଚ୍ଚୋଟ ଅଧିକାରୀଙ୍କ ସୁରକ୍ଷା ବଦଳରେ ଦୁର୍ନୀତିଖୋରଙ୍କୁ ସୁରକ୍ଷା ଦିଏ । ଧାରା ୧୭ଏକୁ ହଟାଯିବା ଜରୁରି । ଜଷ୍ଟିସ୍ ବିଶ୍ୱନାଥନ କହିଥିଲେ, ଧାରା ୧୭ଏ ସାମ୍ବିଧାନିକ ଭାବେ ବୈଧ । ଏହାକୁ ଶେଷ କରିବା କିମ୍ବା ଏଥିରେ ସଂଶୋଧନ କରିବା କ୍ଷତିକାରକ ହୋଇପାରେ । ଏହି ପ୍ରାବଧାନକୁ ଉଚ୍ଛେଦ କରିବା ଅର୍ଥ ‘ଗାଧୁଆ ପାଣି ସହ ପିଲାକୁ ଫିଙ୍ଗିଦେବା’ ଭଳି । ଯାଞ୍ଚର ମଞ୍ଜୁରି ଲୋକପାଳ କିମ୍ବା ରାଜ୍ୟ ଲୋକାୟୁକ୍ତଙ୍କ ଜରିଆରେ ନିଆଯାଉ । ଏହି ପ୍ରାବଧାନ ସଚ୍ଚୋଟ ଅଧିକାରୀଙ୍କ ହାତ ମଜଭୁତ କରିବ । ଏଥିସହ ଏହା ସ୍ଥିର କରିବ ଯେ ଦୁର୍ନୀତିଖୋରଙ୍କୁ ଦଣ୍ଡ ମିଳୁ । ଏହାଦ୍ୱାରା ପ୍ରଶାସନିକ ବ୍ୟବସ୍ଥାରେ ଉତ୍ତମ ପ୍ରତିଭା ଦେଶର ସେବା ପାଇଁ ଆଗକୁ ଆସିବେ ।
ଦୁଇ ବିଚାରପତିଙ୍କ ବିଭାଜିତ ରାୟ ପରେ ଏବେ ମାମଲା ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନିକଟକୁ ପଠାଯାଇଛି । ସିଜେଆଇ ଏହି ମାମଲାରେ ବୃହତ୍ତର ଖଣ୍ଡପୀଠ ଗଠନ କରିବେ । ଏହି ଖଣ୍ଡପୀଠ ଅନ୍ତିମ ରାୟ ଦେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପ୍ରକାଶଥାଉ କି, ସେଣ୍ଟର ଫର୍ ପବ୍ଲିକ୍ ଇଣ୍ଟରେଷ୍ଟ ଲିଟିଗେସନ ଏ ନେଇ ଏକ ଜନସ୍ୱାର୍ଥ ମାମଲା ଦାଏର କରିଛି । ପିଟିସନରଙ୍କ ପକ୍ଷରୁ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଦଲିଲ ରଖିଥିଲେ । ୧୭ଏ ପ୍ରାବଧାନ ଦୁର୍ନୀତି ବିରୋଧୀ ଆଇନକୁ ଦୁର୍ବଳ କରୁଥିବା ସେ ଯୁକ୍ତି ରଖିଥିଲେ । କାରଣ ସରକାରଙ୍କ ପକ୍ଷରୁ ଅଧିକାଂଶ ଘଟଣାରେ ମାମଲାର ଯାଞ୍ଚ ପାଇଁ ଅନୁମତି ମିଳେନାହିଁ ବୋଲି ସେ କହିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା ଯୁକ୍ତି ରଖିଥିଲେ ।