ଭୁବନେଶ୍ୱର, ୦୪/୦୩: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ତଥା  ବିଜେଡି ନେତା ମନ୍ମଥ ରାଉତରାୟଙ୍କ  ଦ୍ୱିତୀୟ ଇଂନିସ  ଆରମ୍ଭ  ହୋଇଛି । ପ୍ରଥମ ବିବାହ ବିଚ୍ଛେଦ  ପରେ ସେ ପଟିଆ ଅଞ୍ଚଳର ଜଣେ ଯୁବତୀଙ୍କୁ ଜୀବନସାଥୀ ବାଛିଛନ୍ତି ।  ରାଜଧାନୀ ଉପକଣ୍ଠ ଡେରାସ ନିକଟ ଚନ୍ଦକା ନେଚର ରିସର୍ଟରେ ବେଶ୍‌  ଆଡମ୍ବରପୂର୍ଣ୍ଣ ଭାବେ  ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ରିସର୍ଟ  ଭିତରେ ଫଟୋ  ଉଠା ଉପରେ  କଟକଣା ଲାଗିଛି ।  ତାଙ୍କ ବାହାଘରରେ ଅଳ୍ପ କିଛି ହାତଗଣତି ସମ୍ପର୍କୀୟ ଓ  ବନ୍ଧୁବାନ୍ଧବ ସାମିଲ୍‌ ହୋଇଥିଲେ ।  

ମନ୍ମଥଙ୍କ ପତ୍ନୀଙ୍କ ନାଁ ରୋଜାଲିନ୍‌  ପଟ୍ଟନାୟକ । ସେ ମୁମ୍ବାଇର ଏକ ଘରୋଇ ବ୍ୟାଙ୍କରେ ଉଚ୍ଚପଦସ୍ଥ ଅଧିକାରୀ ଅଛନ୍ତି । ରୋଚକ କଥା ହେଉଛି, ରୋଜାଲିନ୍‌ ହେଉଛନ୍ତି  ମନ୍ମଥଙ୍କ ପ୍ରଥମ ପତ୍ନୀ ସୁଚିସ୍ମିତା  ମହାପାତ୍ରଙ୍କ ବାନ୍ଧବୀ । ବିବାହ ଉତ୍ସବ ପାଇଁ ଚନ୍ଦକା ରିସର୍ଟକୁ ୨ ଦିନ ପାଇଁ  ବୁକ୍‌ କରାଯାଇଛି । ଉଭୟ ବର ଓ  କନ୍ୟା ପରିବାର ଲୋକ ଓ ବନ୍ଧୁବାନ୍ଧବ  ଉକ୍ତ ରିସର୍ଟରେ ରହିଥିଲେ । କିନ୍ତୁ  ବିବାହ ବେଳେ ରିସର୍ଟ ଭିତରେ  ମୋବାଇଲ୍‌ରେ ଫଟୋ ଉଠାଇବା  ଓ ଭିଡିଓ ଉତ୍ତୋଳନ କରିବା  ବାରଣ କରାଯାଇଥିଲା । ପ୍ରଥମ  ଦିନ ରିସର୍ଟରେ ମେହେନ୍ଦୀ ଉତ୍ସବ  ପାଳନ ହୋଇଥିଲା । ସୋମବାର  ସନ୍ଧ୍ୟାରେ ରିସର୍ଟର  ଅଳ୍ପ ଦୂରରୁ  ବର ବେଶରେ ବାହାରିଥିଲେ ମନ୍ମଥ । ସାଙ୍ଗରେ ଅଳ୍ପ କିଛି ବରଯାତ୍ରୀ  ଥିଲେ । ମନ୍ମଥଙ୍କ  ସମ୍ପର୍କୀୟ ତଥା ପୂର୍ବତନ ପିସିସି  ସଭାପତି ପ୍ରସାଦ ହରିଚନ୍ଦନ  ବରଯାତ୍ରୀ ଭାବେ ଯାଇଥିଲେ । ବିଜେଡି କିମ୍ବା କଂଗ୍ରେସ ଦଳରୁ  ଅନ୍ୟ କେହି ନେତା ବିବାହରେ  ସାମିଲ୍‌ ହୋଇନଥିଲେ । ବିଳମ୍ବିତ  ରାତିରେ ଚନ୍ଦକା ରିସର୍ଟରେ ବୈଦିକ ରୀତିନୀତିରେ ତାଙ୍କର ବାହାଘର  ସମ୍ପନ୍ନ ହୋଇଥିବା ସୂଚନା ମିଳିଛି ।