ଅହମ୍ମଦାବାଦ, ୨୦।୩: ସାଧାରଣତଃ ଏଟିଏମରୁ ଟଙ୍କା ନବାହାରିଲେ ଆମେ ଚିନ୍ତାରେ ପଡ଼ିଯାଉ । କିନ୍ତୁ, ଗୁଜରାଟର ସୁରଟରେ ଜଣେ ବ୍ୟକ୍ତିଙ୍କ ପାଇଁ ଏହି ସମସ୍ୟା ବରଦାନ ସଦୃଶ ହୋଇଛି । ୧୦,୦୦୦ ଟଙ୍କା ଉଠାଇବାକୁ ଯାଇ ହଇରାଣ ହୋଇଥିବା ଗ୍ରାହକଙ୍କୁ ଏବେ ବ୍ୟାଙ୍କ ପ୍ରାୟ ୩ ଲକ୍ଷରୁ ଅଧିକ ଟଙ୍କା ଫେରସ୍ତ କରିବ । ଘଟଣାଟି ୨୦୧୭ ମସିହା ଫେବୃଆରୀ ୧୮ ତାରିଖର । ସୁରଟର ଉଧନା ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଏସବିଆଇ ଏଟିଏମରୁ ୧୦,୦୦୦ ଟଙ୍କା ଉଠାଇବାକୁ ଚେଷ୍ଟା କରିଥିଲେ । କାର୍ଡ ପୁରାଇ ପିନ୍ ମାରିବା ପରେ ମେସିନରୁ ଟଙ୍କା ବାହାରିନଥିଲା କି କୌଣସି ରସିଦ୍ ମଧ୍ୟ ମିଳିନଥିଲା । କିନ୍ତୁ, କିଛି ସମୟ ପରେ ତାଙ୍କ ମୋବାଇଲକୁ ୧୦,୦୦୦ ଟଙ୍କା କଟିଯାଇଥିବା ନେଇ ମେସେଜ୍ ଆସିଥିଲା ।
ଏହା ବି ପଢ଼ନ୍ତୁ... ଏପ୍ରିଲରୁ ମହଙ୍ଗା ହେବ ବିଳାସପୂର୍ଣ୍ଣ କାର୍: ମର୍ସିଡିଜ୍-ଅଡ଼ି ପରେ ଏବେ BMW ବଢ଼ାଇଲା ଦର
୯ ବର୍ଷର ସଂଘର୍ଷ ଓ ବ୍ୟାଙ୍କର ଅବହେଳା:
ଏହି ଘଟଣା ପରେ ବ୍ୟକ୍ତିଜଣକ ବ୍ୟାଙ୍କ ଅଫ୍ ବରୋଦାର ଡୁମ୍ବଲ ଶାଖାରେ ଲିଖିତ ଅଭିଯୋଗ କରିଥିଲେ । ଆରବିଆଇଠାରୁ ଆରମ୍ଭ କରି ଆରଟିଆଇ ପର୍ଯ୍ୟନ୍ତ ସବୁଠି ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ବ୍ୟାଙ୍କ ଶୁଣିନଥିଲା । ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ଟ୍ରାଞ୍ଜାକସନ 'ସଫଳ' ହୋଇଛି, ତେଣୁ ସେମାନେ ଦାୟୀ ନୁହଁନ୍ତି । ଶେଷରେ ୨୦୧୭ ଡିସେମ୍ବରରେ ସେ କନଜ୍ୟୁମର କୋର୍ଟର ଆଶ୍ରୟ ନେଇଥିଲେ ।
କୋର୍ଟଙ୍କ ଐତିହାସିକ ରାୟ: ୧୦ ହଜାର ବଦଳରେ ୩ ଲକ୍ଷ
ଉପଭୋକ୍ତା କମିଶନ ବ୍ୟାଙ୍କର ଯୁକ୍ତିକୁ ଖାରଜ କରି କହିଛନ୍ତି ଯେ, ଆରବିଆଇ ନିୟମ ଅନୁସାରେ ୫ ଦିନ ମଧ୍ୟରେ ଟଙ୍କା ଫେରସ୍ତ ହେବା କଥା, ଯାହା ବ୍ୟାଙ୍କ କରିନାହିଁ । ଏହି ଦୀର୍ଘ ୩,୨୮୮ ଦିନର ବିଳମ୍ବ ପାଇଁ କୋର୍ଟ ନିମ୍ନଲିଖିତ ନିର୍ଦ୍ଦେଶ ଦେଇଛନ୍ତି, ୧୦,୦୦୦ ଟଙ୍କା ସହ ବାର୍ଷିକ ୯% ସୁଧ, ପ୍ରତିଦିନ ପାଇଁ ୧୦୦ ଟଙ୍କା ଜରିମାନା, ମାନସିକ ନିର୍ଯାତନା ପାଇଁ ୩,୦୦୦ ଓ ଆଇନଗତ ଖର୍ଚ୍ଚ ପାଇଁ ୨,୦୦୦ ଟଙ୍କା । ବ୍ୟାଙ୍କର ଏକ ସାଧାରଣ ଭୁଲ୍ ଏବଂ ଗ୍ରାହକଙ୍କ ସମସ୍ୟାକୁ ଅଣଦେଖା କରିବା ଯୋଗୁଁ ଆଜି ବ୍ୟାଙ୍କକୁ ମୂଳ ରାଶିର ପ୍ରାୟ ୩୦ ଗୁଣ ଅଧିକ ଟଙ୍କା ଦେବାକୁ ପଡ଼ୁଛି ।