ନୂଆଦିଲ୍ଲୀ, ୨୦।୩: ଯଦି ଆପଣ ଏକ ବିଳାସପୂର୍ଣ୍ଣ କାର୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟ୍ ଉପରେ ଏହାର ଭାର ବଢ଼ିବାକୁ ଯାଉଛି । ଆସନ୍ତା ଏପ୍ରିଲ ୧ ତାରିଖରୁ ଭାରତୀୟ ବଜାରରେ BMW, ମର୍ସିଡିଜ୍-ବେଞ୍ଜ୍ ଏବଂ ଅଡି ଭଳି ନାମୀଦାମୀ କମ୍ପାନିଗୁଡ଼ିକ ସେମାନଙ୍କ କାର୍ର ଦାମ୍ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । କମ୍ପାନି ଏହାର ବିଭିନ୍ନ ରେଞ୍ଜରେ ଏପ୍ରିଲ ୧ରୁ ୨% ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଗୁରୁବାର ଘୋଷଣା କରିଛି । ଦୁର୍ବଳ ଟଙ୍କା ଏବଂ ବର୍ଦ୍ଧିତ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଯୋଗୁ ଲକ୍ଜ୍ୟୁରୀ କାର ନିର୍ମାତାମାନେ ସେମାନଙ୍କ ଯାନଗୁଡ଼ିକର ଦରବୃଦ୍ଧି ଘୋଷଣା କରୁଛନ୍ତି । ଲଜିଷ୍ଟିକ୍ସ ଏବଂ କଞ୍ଚାମାଲ ଖର୍ଚ୍ଚ ବଢ଼ିବା ସହିତ ଆହ୍ୱାନ ପାଲଟିଛି ଦୁର୍ବଳ ଟଙ୍କା । ତେଣୁ ଏପ୍ରିଲ ପହିଲାରୁ ବିଭିନ୍ନ ରେଞ୍ଜ୍ ଉପରେ ୨% ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି କହିଛନ୍ତି ବିଏମ୍ଡବ୍ଲ୍ୟୁ ଗ୍ରୁପ୍ ଇଣ୍ଡିଆର ସଭାପତି ଏବଂ ସିଇଓ ହରଦୀପ ସିଂହ ବ୍ରାର୍ । ମର୍ସିଡିଜ୍ ବେଞ୍ଜ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ସନ୍ତୋଷ ଆୟର କହିଥିଲେ ଯେ, ପ୍ରତି ତ୍ରୟମାସରେ କମ୍ପାନି ପ୍ରାୟ ୨% ଦର ବଢ଼ାଇବାକୁ ଯୋଜନା ରହିଛି । ଅଡି ଇଣ୍ଡିଆର ବ୍ରାଣ୍ଡ୍ ନିର୍ଦ୍ଦେଶକ ବଲବୀର ସିଂହ ଧୀଲୋନ୍ କହିଛନ୍ତି ଯେ, ଏପ୍ରିଲ ପହିଲାରୁ ଦର ୨% ପର୍ଯ୍ୟନ୍ତ ବଢ଼ିବ ।
ଏହା ବି ପଢ଼ନ୍ତୁ... ନିର୍ବାଚନ ପରେ ମହଙ୍ଗା ହେବ ପେଟ୍ରୋଲ ଓ ଡିଜେଲ: ବିଗିଡ଼ିବ ସାଧାରଣ ଲୋକଙ୍କ ବଜେଟ, ଉତ୍କଟ ହେବ ଘରୋଇ ବଜାର
୨% ବଢ଼ିବ ବିଏମ୍ଡବ୍ଲ୍ୟୁ (BMW) ଦର:
ଗୁରୁବାର BMW ଗ୍ରୁପ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ଯେ, କମ୍ପାନି ଏହାର BMW ଏବଂ MINI ମଡେଲଗୁଡ଼ିକର ଦରରେ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ । BMW ଗ୍ରୁପ୍ ଇଣ୍ଡିଆର ସଭାପତି ତଥା ସିଇଓ ହରଦୀପ ସିଂହ ବ୍ରାର୍ କହିଛନ୍ତି ଯେ, "ବଢ଼ୁଥିବା ଲଜିଷ୍ଟିକ୍ସ ଖର୍ଚ୍ଚ, କଞ୍ଚାମାଲର ଦାମ୍ ଏବଂ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁଁ ଆମେ ଏହି ଦର ବୃଦ୍ଧି କରିବାକୁ ବାଧ୍ୟ ହେଉଛୁ ।" ସୂଚନାଯୋଗ୍ୟ ଯେ, ଭାରତରେ BMW କାର୍ର ମୂଲ୍ୟ ୪୫.୩୦ ଲକ୍ଷରୁ ଆରମ୍ଭ କରି ୨.୫୮ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି ।
ଅଡ଼ି: ଅଡି ଇଣ୍ଡିଆ ମଧ୍ୟ ଏପ୍ରିଲ ୧ରୁ ସମସ୍ତ ମଡେଲ୍ ଉପରେ ୨% ଦର ବୃଦ୍ଧି ଲାଗୁ କରିବ। ଅଡି ଇଣ୍ଡିଆର ବ୍ରାଣ୍ଡ୍ ନିର୍ଦ୍ଦେଶକ ବଲବୀର ସିଂହ ଧୀଲୋନ୍ କହିଛନ୍ତି ଯେ କଞ୍ଚାମାଲ ଖର୍ଚ୍ଚ ବୃଦ୍ଧି ଏହାର ମୁଖ୍ୟ କାରଣ।
ମର୍ସିଡିଜ୍-ବେଞ୍ଜ୍: କମ୍ପାନି ପ୍ରତି ତ୍ରୟମାସରେ ପ୍ରାୟ ୨% ଦର ବୃଦ୍ଧି କରିବାକୁ ଯୋଜନା ରଖିଛି । ୟୁରୋ ତୁଳନାରେ ଟଙ୍କାର ମୂଲ୍ୟ କମିବା କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବା କମ୍ପାନିର ସେଲ୍ସ ଆଣ୍ଡ ମାର୍କେଟିଂ ଭାଇସ ପ୍ରେସିଡେଣ୍ଟ ବ୍ରେଣ୍ଡନ ସିସିଙ୍ଗ୍ ସୂଚନା ଦେଇଛନ୍ତି ।
କାହିଁକି ବଢୁଛି ଦାମ୍ ?
ବିଳାସପୂର୍ଣ୍ଣ କାର୍ ମହଙ୍ଗା ହେବା ପଛରେ ସବୁଠାରୁ ବଡ଼ କାରଣ ହେଉଛି ବୈଦେଶିକ ମୁଦ୍ରା ବଜାରରେ ଭାରତୀୟ ଟଙ୍କାର ଦୁର୍ବଳ ସ୍ଥିତି । ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ରେକର୍ଡ ସ୍ତରକୁ ଖସି ୯୩.୩୫ ରେ ପହଞ୍ଚିଛି । ଭାରତରେ ବିକ୍ରି ହେଉଥିବା ଅଧିକାଂଶ ଲକ୍ଜ୍ୟୁରୀ କାର୍ କିମ୍ବା ସେଗୁଡ଼ିକର ଯନ୍ତ୍ରାଂଶ ଜର୍ମାନୀ ଏବଂ ବ୍ରିଟେନରୁ ଆମଦାନୀ କରାଯାଏ । ଡଲାର ଏବଂ ୟୁରୋ ମହଙ୍ଗା ହେବା ଫଳରେ କମ୍ପାନିଗୁଡ଼ିକର ଉତ୍ପାଦନ ଖର୍ଚ୍ଚ ବଢ଼ିଯାଇଛି । ପଶ୍ଚିମ ଏସିଆରେ ଲାଗିରହିଥିବା ଉତ୍ତେଜନା ଯୋଗୁଁ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ସହ ଲଜିଷ୍ଟିକ୍ସ (ପରିବହନ) ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି । ଏହି ଦର ବୃଦ୍ଧି ପରେ ଆସନ୍ତା ମାସରୁ ପ୍ରିମିୟମ୍ କାର୍ କିଣିବା ଗ୍ରାହକଙ୍କ ପାଇଁ ଆହୁରି ବ୍ୟୟବହୁଳ ହେବ ।