ଭୁବନେଶ୍ୱର/ରାଉରକେଲା,୨୧/୦୧: ସୋମବାର ସୁରମା ହକି କ୍ଲବ୍‌ ଏଚ୍‌ଆଇଏଲ୍‌ରେ ଡବଲ ବିଜୟ ହାସଲ କରିଛି । ପୁରୁଷ ଦଳ ୨-୧ ଗୋଲରେ  ବେଙ୍ଗଲ ଟାଇଗର୍ସକୁ ଏବଂ ମହିଳା  ଦଳ ୫-୧ରେ ଦିଲ୍ଲୀ ଏସ୍‌ଜି ପିପର୍ସକୁ ହରାଇଥିଲା । ମହିଳା ଦଳ ପଏଣ୍ଟ  ଟେବୁଲରେ ଶୀର୍ଷ ସ୍ଥାନକୁ ଉନ୍ନୀତ  ହୋଇଛି । ପୁରୁଷ ଦଳ ସିଜନରେ ୭ଟି  ମ୍ୟାଚ୍‌ ଖେଳି ୧୧ ପଏଣ୍ଟ ପାଇ ଟେବୁଲରେ  ଷଷ୍ଠ ସ୍ଥାନରେ ରହିଛି ।  

ପୁରୁଷରେ ସୁରମା ଓ ବେଙ୍ଗଲ୍‌  ଟାଇଗର୍ସ ମଧ୍ୟରେ ଖେଳ ସଂଘର୍ଷପୂର୍ଣ୍ଣ  ହୋଇଥିଲା । ପ୍ରଥମ କ୍ୱାର୍ଟର ଗୋଲ  ଶୂନ୍ୟ ରହିଥିଲା । ଦ୍ୱିତୀୟ କ୍ୱାର୍ଟରରେ  ସୁରମା ୨ଟି ଗୋଲ୍‌ ଦେଇ ଅଗ୍ରଣୀ ଲାଭ  କରିଥିଲା । ୨୧ ମିନିଟରେ ପ୍ରଭଜୋତ ସିଂ  ଏବଂ ୨୮ ମିନିଟରେ ମନିନ୍ଦର ସିଂ ଗୋଲ୍‌  ସ୍କୋର କରିଥିଲେ । ତୃତୀୟ କ୍ୱାର୍ଟରରେ ଟାଇଗର୍ସ ଗୋଲ୍‌  ଖାତା ଖୋଲିଥିଲା । ୩୯ ମିନିଟରେ  ଯୁଗରାଜ ସିଂ ଗୋଲ୍‌ ଦେଇ ସ୍ଥିତି ୧-୨  କରିଥିଲେ । ଅନ୍ତିମ କ୍ୱାର୍ଟର ଖେଳ ପ୍ରବଳ  ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା । ଶେଷରେ  ଗୋଟିଏ ଗୋଲ୍‌ରେ ଅଗ୍ରଣୀ ସହ ସୁରମା  ମ୍ୟାଚ୍‌ ଜିତି ନେଇଥିଲା । 

ସୁରମା ୫-୧ରେ ଜିତିଲା

ଦିଲ୍ଲୀ ଏସ୍‌ଜି  ପିପର୍ସ ବିପକ୍ଷରେ ସୁରମା ହକି କ୍ଲବ୍‌  ବଡ଼ ବିଜୟ ହାସଲ କରିଛି । ଦଳ ଖେଳକୁ  ସଂପୂର୍ଣ୍ଣ ନିୟନ୍ତ୍ରଣରେ ରଖି ୫-୧ ଗୋଲରେ ବିଜୟୀ ହୋଇଥିଲା । ପ୍ରଥମ କ୍ୱାର୍ଟରରେ ସୁରମା ୩ଟି ଗୋଲ୍‌  ଦେଇଥିଲା । ୬, ୯ ଓ ୧୦ ମିନିଟରେ ଗୋଲ୍‌  ହୋଇଥିଲା । ଦ୍ୱିତୀୟ କ୍ୱାର୍ଟର ଖେଳ ଗୋଲ  ଶୂନ୍ୟ ରହିଥିଲା । ପୁଣି ୩୬ ମିନିଟରେ  ସୁରମା ଆଉ ଏକ ଗୋଲ୍‌ ଦେଇ ୪-୦ରେ  ଅଗ୍ରଣୀ ହୋଇଥିଲା ।  ୩୮ ମିନିଟରେ  ଦିଲ୍ଲୀ ପ୍ରଥମ ଗୋଲ୍‌  ସ୍କୋର କରିଥିଲା ।  ପରବର୍ତ୍ତୀ ସମୟ  ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲା।  ତଥାପି ସୁରମା ଶେଷ ମୁହୂର୍ତ୍ତରେ (୬୦ ମିନିଟ) ପଞ୍ଚମ ଗୋଲ୍‌ ଦେଇ  ୫-୧ରେ ମ୍ୟାଚ୍‌ ଜିତି ନେଇଥିଲା । ଚଳିତ ମହିଳା ଏଚ୍‌ଆଇଏଲ୍‌ରେ ୪ଟି  ମ୍ୟାଚ୍‌ରୁ ୩ଟି ବିଜୟ ସହ ସୁରମା ପଏଣ୍ଟ  ଟେବୁଲରେ ଶୀର୍ଷ ସ୍ଥାନ ଦଖଲ କରିଛି ।  ଓଡ଼ିଶା ୱାରିୟସ ଗୋଟିଏ ସ୍ଥାନ ତଳକୁ  ଖସି ଦ୍ୱିତୀୟ ଏବଂ ବେଙ୍ଗଲ ଟାଇଗର୍ସ  ତୃତୀୟ ସ୍ଥାନରେ ରହିଛି ।