ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଓସିଏ ଚୟନ କମିଟି ଅଧ୍ୟକ୍ଷଙ୍କ ଉପରେ ବର୍ଷିଲେ ସୂର୍ଯ୍ୟକାନ୍ତ, ନିଜ ପରିଚିତ ଖେଳାଳିଙ୍କୁ ଦେଉଛନ୍ତି ସୁଯୋଗ

Published By : Prameya | December 9, 2024 12:20 PM

କଟକ/ଭୁବନେଶ୍ୱର,୦୯/୧୨: ସୟଦ ମୁସ୍ତାକ ଅଲି ଟ୍ରଫିରେ (ଟି-ଟ୍ୱେଣ୍ଟି) ଓଡ଼ିଶା ଅତି ନୈରାଶ୍ୟଜନକ  ପ୍ରଦର୍ଶନ କରି ଗ୍ରୁପ୍‌ ପର୍ଯ୍ୟାୟରେ ମାତ୍ର ଗୋଟିଏ ମ୍ୟାଚ୍‌  ଜିତିବାରେ ସଫଳ ହୋଇଥିଲା । ଦଳର ଏହି ବିଫଳତା ପାଇଁ  ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)ର ସିନିୟର ଚୟନ  କମିଟି ଅଧ୍ୟକ୍ଷ ଅମିୟ ରାୟଙ୍କୁ ସିଧାସଳଖ ଦାୟୀ କରିଛନ୍ତି ବରିଷ୍ଠ ଦ୍ରୁତ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ । ଦଳ ଚୟନରେ  ପାତରଅନ୍ତର କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।  ଓସିଏ ତରଫରୁ ଏ ବିଷୟରେ କୌଣସି ପ୍ରତିକ୍ରିୟା ଆସିନାହିଁ । 

ସୂର୍ଯ୍ୟକାନ୍ତ କହିଛନ୍ତି, ‘ଖେଳାଳିଙ୍କ ପ୍ରଦର୍ଶନକୁ ଗୁରୁତ୍ୱ ନଦେଇ ଚୟନ କମିଟି ଅଧ୍ୟକ୍ଷ ଅମିୟ ରାୟ ନିଜ ପରିଚିତ କ୍ଲବ୍‌ର ଖେଳାଳିମାନଙ୍କୁ ଟି-ଟ୍ୱେଣ୍ଟି ଦଳରେ ସୁଯୋଗ ଦେଲେ । ଯଦି ମୋ କଥା କହିବି, ଗତ ଓଡ଼ିଶା ପ୍ରିମିୟର  ଲିଗ୍‌ (ଓପିଏଲ୍‌)ରେ ଗୋଟିଏ ଦଳର ନେତୃତ୍ୱ ନେବା ସହ ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲି ।  ଧଳା ବଲରେ ଭଲ ପ୍ରଦର୍ଶନ ସତ୍ତେ୍ୱ ମୋତେ ସୁଯୋଗ  ଦେଲେ ନାହିଁ । ଯଦି ଦଳ ଚୟନରେ ପ୍ରଦର୍ଶନକୁ ଗୁରୁତ୍ୱ ଦିଆ ନଯିବ ତେବେ ଓପିଏଲ୍‌ କାହିଁକି ଖେଳାଯାଉଛି ?’  

୩୧ ବର୍ଷୀୟ ସୂର୍ଯ୍ୟକାନ୍ତ ଦୀର୍ଘ ୧୧ବର୍ଷ ଧରି ଓଡ଼ିଶା ସିନିୟର କ୍ରିକେଟ ଦଳର ସଦସ୍ୟ ରହିଆସିଛନ୍ତି । ଚଳିତ ରଣଜୀ ସିଜନରେ ସେ ଜାମ୍ମୁ-କାଶ୍ମୀର, ବରୋଦା, ମୁମ୍ବାଇ ଓ ମହାରାଷ୍ଟ୍ର ବିପକ୍ଷରେ ମ୍ୟାଚ୍‌ ଖେଳି  ୭ ୱିକେଟ୍‌ ହାସଲ କରିବାରେ ସଫଳ ହୋଇଛନ୍ତି । ଦୀର୍ଘ ଦିନ ଧରି କିଛି ଖେଳାଳି ଅଭିଜ୍ଞତା ଆଧାରରେ ଓଡ଼ିଶା ଦଳରେ ସୁଯୋଗ ପାଉଛନ୍ତି । ଯେଉଁଥିପାଇଁ ଦଳର ପ୍ରଦର୍ଶନ ଜାତୀୟ ସ୍ତରରେ ଆଦୌ ଭଲ ରହୁନି ।  

ନୂଆ ଖେଳାଳିଙ୍କୁ ସୁଯୋଗ ଦେଇ ଆଗକୁ ଆଇପିଏଲ୍‌,  ଟିମ୍‌ ଇଣ୍ଡିଆ ପାଇଁ ଖେଳାଳି ବାହାର କରିବାକୁ ଚୟନ  କମିଟି ଉଦ୍ୟମ କରୁଥିବା କୁହାଯାଉଛି । ଚୟନକମିଟିର ଏଭଳି ଚିନ୍ତଧାରାକୁ ସୂର୍ଯ୍ୟକାନ୍ତ ଖଣ୍ଡନ କରିଛନ୍ତି । ‘କେବଳ ଅଧ୍ୟକ୍ଷ ନୁହଁନ୍ତି, କମିଟିର ଅନ୍ୟ ସଦସ୍ୟମାନେ  ମଧ୍ୟ ସେମିତି କରୁଛନ୍ତି । ନିଜ ପିଲାଙ୍କୁ ଖେଳାଉଛନ୍ତି ।  ଫଳରେ ପ୍ରତିଭା ଓ ପ୍ରଦର୍ଶନକୁ ବିଚାର କରୁ ନାହାନ୍ତି । ଭଲ  ଖେଳାଳି ଦଳରୁ ବାଦ ପଡ଼ୁଛନ୍ତି । ସୟଦ ମୁସ୍ତାକ ଅଲିରେ  ଦଳର ପ୍ରଦର୍ଶନ ପାଇଁ କେବଳ ଚୟନ କମିଟି ହିଁ ଦାୟୀ । ଯଦି  ଠିକ୍‌ ଭାବେ ଦଳ ଚୟନ ନହେବ ପ୍ରଦର୍ଶନ କେମିତି ଭଲ  ରହିବ । ଚୟନକର୍ତ୍ତା ମାନେ ଟ୍ରାଏଲ୍ସ ମ୍ୟାଚ ସମୟରେ ନିଦରେ  ଶୋଇ ପଡୁଛନ୍ତି । ଜଣେ ଚୟନକର୍ତ୍ତା ଢୁଳାଉଥିବାର ଏକ  ଫଟୋ ମଧ୍ୟ ଭାଇରାଲ୍‌ ହୋଇଛି ବୋଲି ସୂର୍ଯ୍ୟକାନ୍ତ କହିଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି, ‘ଦଳ ଚୟନରେ ଏଭଳି  ଅନିୟମିତତା ପାଇଁ ଓସିଏ ସମ୍ପାଦକଙ୍କ ଦୃଷ୍ଟି ଆକର୍ଷଣ  କରିବାକୁ ଚାହେଁ । ଧଳା ବଲରେ ଭଲ ପ୍ରଦର୍ଶନ କଲେ  ସୁଯୋଗ ନାହିଁ । କିନ୍ତୁ ୨ ବର୍ଷ ଧରି ଭଲ ପ୍ରଦର୍ଶନ  କରି ପାରୁ ନଥିବା ଖେଳାଳି ଶିବିରରେ ନଥାଇ  ମଧ୍ୟ ଦଳରେ ସୁଯୋଗ ପାଇଲେ । ଏଭଳି ହେଲେ  ଓଡ଼ିଶା କ୍ରିକେଟ୍‌ କେମିତି ଆଗେଇବ କୁହନ୍ତୁ । ତେଣୁ  ମୋର ବିଶ୍ୱାସ ଓସିଏ ଏ ଦିଗରେ ଦୃଷ୍ଟି ଦେବେ ।’  ସୟଦ ମୁସ୍ତାକ ଅଲି ଟ୍ରଫିରେ ଓଡ଼ିଶା ଗ୍ରୁପ୍‌ ଡି’ରେ ସାମିଲ  ରହିଥିଲା । କେବଳ ଗୋଟିଏ ମ୍ୟାଚ୍‌ ଆସାମ ଠାରୁ ଦଳ ବିଜୟୀ  ହୋଇଥିଲା । ୪ଟି ମ୍ୟାଚ୍‌ରେ ପରାଜୟ ଏବଂ ଗୋଟିଏ ମ୍ୟାଚ୍‌  ବର୍ଷା ଯୋଗୁ ଧୋଇ ଯାଇଥିଲା । ମୋଟରେ ୬ ପଏଣ୍ଟ ସହ  ଟେବୁଲରେ ସପ୍ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.