ନୂଆଦିଲ୍ଲୀ,୧୫/୦୯: ଦୁବାଇରେ ଦମ ଦେଖାଇଲା ଭାରତ । ପାକିସ୍ତାନ ଚିତ୍ । ପୁଣି ପାକିସ୍ତାନକୁ ଧୂଳି ଚଟାଇଲା ଇଣ୍ଡିଆ । କ୍ରିକେଟ ମୈଦାନରେ କାନ୍ଦିଲା ପାକିସ୍ତାନ । ଏସିଆ କପ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଭାରତ । ୭ ୱିକେଟ ପାକିସ୍ତାନକୁ ହରାଇଛି । ଏହି ମ୍ୟାଚରେ ବିଜୟ ଅପେକ୍ଷା ଅନ୍ୟ କିଛି କଥାକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ତାହା ହେଉଛି ପାକିସ୍ତାନ ପ୍ଲେୟାରଙ୍କ ସହିତ ହାତ ମିଳାଇନାହିଁ ଟିମ୍ ଇଣ୍ଡିଆ । ଟସ୍ ସମୟରେ ଓ ମ୍ୟାଚ ପରେ ପାକ ପ୍ଲେୟାରଙ୍କ ସହିତ କରମର୍ଦ୍ଦନ କରିନଥିଲା ଭାରତ । କାହିଁକି ଏମିତି କଲା ଟିମ୍ ଇଣ୍ଡିଆ ଯାହାର ବଡ଼ ଖୁଲାସା କରିଛନ୍ତି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ।
ଗତ ଏପ୍ରିଲ ମାସରେ ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପ୍ରଥମ ଥର ଏସିଆ କପ୍ରେ ଭାରତ ଓ ପାକିସ୍ତାନ କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହୋଇଥିଲେ । କିନ୍ତୁ ଏହି ମ୍ୟାଚକୁ ନେଇ ପ୍ରଶଂସକ ଆଦୌ ଉତ୍ସାହିତ ନଥିଲେ । ଦୁବାଇ ଷ୍ଟାଡିୟମରେ ଭାରତୀୟ ପ୍ରଶଂସକଙ୍କ ଉପସ୍ଥିତି ମଧ୍ୟ ନିରୁତ୍ସାହଜନକ ରହିଥିଲା । ଭାରତୀୟ ଖେଳାଳି କେବଳ ଖେଳ ଉପରେ ହିଁ ଧ୍ୟାନ ଦେଇଥିଲେ । ଫଳରେ ଟସ୍ ପଡ଼ିବା ସମୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକ୍ ଅଧିନାୟକ ସଲମାନ ଆଘାଙ୍କ ସହ କରମର୍ଦ୍ଦନ କରିବାକୁ ମନା କରିଦେଇଥିଲେ । ସେମିତି ମ୍ୟାଚ୍ ଶେଷ ହେବା ପରେ ଉଭୟ ଦଳର ଖେଳାଳି, କୋଚ ଏବଂ ସହଯୋଗୀ ଷ୍ଟାଫ୍ମାନେ ପଡ଼ିଆରେ କରମର୍ଦ୍ଦନ କରିଥାନ୍ତି । ସୂର୍ଯ୍ୟକୁମାର ବିଶାଳ ଛକା ମାରି ଦଳକୁ ଜିତାଇବା ପରେ ଶିବମ ଦୁବେଙ୍କ ସହ ହାତ ମିଳାଇ ସିଧା ଡ୍ରେସିଂ ରୁମକୁ ପଳାଇ ଆସିଥିଲେ । ପାକ୍ ମୁଖ୍ୟ କୋଚ୍ ମାଇକ ହେସନ କରମର୍ଦ୍ଦନ ପାଇଁ ଭାରତୀୟ ଡ୍ରେସିଂ ରୁମ ଆଡ଼କୁ ଆସିଥିଲେ ବି କୌଣସି ଖେଳାଳି ବାହାରି ନଥିଲେ ।
ମ୍ୟାଚ୍ ଶେଷ ହେବା ପରେ ଅଧିନାୟକ ସୂର୍ଯ୍ୟକୁମାର ଭାରତୀୟ ଖେଳାଳି କାହିଁକି ପାକ୍ ଖେଳାଳିଙ୍କ ସହ କରମର୍ଦ୍ଦନ କଲେ ନାହିଁ ସେ ବିଷୟରେ ସ୍ପଷ୍ଟୀକରଣ ରଖିଥିଲେ । ସେ କହିଥିଲେ, ‘ଆମେ ଏଠାକୁ କେବଳ ଖେଳିବାକୁ ଆସିଛୁ, ବନ୍ଧୁତା ପାଇଁ ନୁହେଁ । ଆମେ ଖେଳରେ ଉଚିତ ଜବାବ ଦେଇଛୁ । କେନ୍ଦ୍ର ସରକାର ଓ ବିସିସିଆଇ ସହ ଯୋଡ଼ି ହୋଇ ରହିଛୁ । ସେମାନଙ୍କ ସହ କରମର୍ଦ୍ଦନ ନକରିବାର ନିଷ୍ପତ୍ତି ଦଳର ଥିଲା । କିଛି କଥା ଖେଳର ଭାବନାଠୁ ଉପରେ ଥାଏ । ଏହି ମ୍ୟାଚ ଜିତିବା ଏକ ବଡ଼ ଅନୁଭବ । ଏହି ବିଜୟ ମୋ ଜନ୍ମଦିନରେ ଦେଶ ପାଇଁ ଏକ ଉପହାର । ଆମେ ଆମର ଏକତା ପ୍ରକାଶ କରୁଛୁ ଏବଂ ଆଜିର ବିଜୟକୁ ଭାରତୀୟ ସେନା ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରୁଛି । ’