ପୁରୀ,୦୯/୧୨: ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଆରମ୍ଭ ହେବ ଭାରତ-ଦ.ଆଫ୍ରିକା ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା । ମ୍ୟାଚ ଦେଖିବାକୁ ଚାତକ ପରି ଚାହିଁ ରହିଛନ୍ତି କ୍ରିକେଟପ୍ରେମୀ । ପ୍ରସ୍ତୁତ ରହିଛି ବାରବାଟୀ କ୍ରିକେଟ ଷ୍ଟାଡିୟମ । ରାତି ୭ଟାରୁ ଆରମ୍ଭ ହେବ ମ୍ୟାଚ । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-ଟ୍ୱେଣ୍ଟି ଅଭିଯାନ ଆରମ୍ଭ ପୂର୍ବରୁ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଟିମ୍ ଇଣ୍ଡିଆ ଖେଳାଳି । ଟି-ଟ୍ୱେଣ୍ଟି କ୍ୟାପ୍ଟେନ୍ ସୂର୍ଯ୍ୟକୁମାର ଯାଦବ, କୋଚ୍ ଗୌତମ ଗମ୍ଭୀରଙ୍କ ସମେତ ଅନ୍ୟ ଟିମ୍ ଇଣ୍ଡିଆ ପ୍ଲେୟାର କାଳିଆ ଶରଣରେ ପଶିଛନ୍ତି । ମହାପ୍ରଭୁଙ୍କଠୁ ଆର୍ଶୀବାଦ ନେଇଛନ୍ତି । ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପତ୍ନୀ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।
୧୦ ମାସ ବ୍ୟବଧାନ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ ଫେରିଛି । ଏ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ମଧ୍ୟ ରହିଛି । ତେବେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା ପୂର୍ବରୁ କାଳିଆକୁ ଦର୍ଶନ କରି ଫେରିଛନ୍ତି ଭାରତୀୟ କ୍ରିକେଟ ଟିମ୍ ଇଣ୍ଡିଆ ଖେଳାଳି । ମହାବାହୁଙ୍କ ଦର୍ଶନ କରିଛନ୍ତି ଟିମ୍ ଇଣ୍ଡିଆର କ୍ୟାପଟେନ୍ ସୂର୍ଯ୍ୟକୁମାର ଓ କୋଚ୍ ଗମ୍ଭୀରଙ୍କ ସମେତ ୪ ଖେଳାଳି । ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ୱଳ ହୋଇପଡିଛନ୍ତି ଖେଳାଳି । କୋଚ୍-କ୍ୟାପ୍ଟେନ୍ଙ୍କ ସମେତ ଅନ୍ୟ ପ୍ଲେୟାର ତିଲକ ବର୍ମା, ଜିତେଶ ଶର୍ମା ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପୁରୀ ଜିଲ୍ଲା ଆଥଲେଟିକ୍ ଆସୋସିଏସନର ସମ୍ପାଦକ ରବି ସମ୍ପୂର୍ଣ୍ଣ ଦର୍ଶନ କରାଇଥିଲେ । ଜିଲ୍ଲୀ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ଟେଷ୍ଟ ପରାଜୟ ପରି ଦକ୍ଷିଆ ଆଫ୍ରିକା ବିପକ୍ଷରୁ ଦିନିକିଆ ସିରିଜ ଜିତିଛି ଭାରତ । ଟି-ଟ୍ୱେଣ୍ଟିରେ ବି ବିଜୟରୁ ଭାରତ ଅଭିଯାନ ଆରମ୍ଭ କରିବ ବୋଲି ଆଶା କରାଯାଉଛି।