ନୂଆଦିଲ୍ଲୀ, ୦୬/୦୨; ‘ଆମକୁ ଖେଳିବାକୁ କୁହାଯାଇଛି । ଆମେ ଖେଳିବାକୁ ପ୍ରସ୍ତୁତ । କଲମ୍ବୋ ଯିବାକୁ ଆମର ଟିକେଟ୍ ବୁକ୍ ସରିଛି, ଆମେ ଯାଉଛୁ ।’ ମୁମ୍ବାଇରେ ଆୟୋଜିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଅଧିନାୟକମାନଙ୍କ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏ କଥା କହିଥିଲେ । ସେ କହିଥିଲେ, ‘ଆମର ନିଷ୍ପତ୍ତି ପୂରା ସ୍ପଷ୍ଟ । ଆମେ ପ୍ରଥମେ ଆସନ୍ତା ୭ ତାରିଖରେ ମ୍ୟାଚ ଖେଳିବା ପରେ ଦିଲ୍ଲୀ ଯାତ୍ରା କରିବୁ । ୧୨ ତାରିଖରେ ସେଠାରେ ନାମିବିୟା ବିପକ୍ଷରେ ଖେଳିବୁ । ଏହାପରେ ଦଳ କଲମ୍ବୋ ଯାତ୍ରା କରିବ ।’ ଭାରତ-ପାକିସ୍ତାନ ମ୍ୟାଚ୍ ଆସନ୍ତା ୧୫ ତାରିଖରେ ଖେଳାଯିବ । ପାକିସ୍ତାନ ସରକାର ଭାରତ ବିପକ୍ଷରେ ମ୍ୟାଚ ବୟକଟ୍ କରିବେ ବୋଲି ପୂର୍ବରୁ ଘୋଷଣା କରିଛନ୍ତି । ଏସିଆ କପ୍‌ରେ ଭାରତୀୟ ଦଳକୁ ପାକ୍ ଖେଳାଳିଙ୍କ ସହ କରମର୍ଦ୍ଦନ ନକରିବା ପାଇଁ ବିସିସିଆଇ କହିଥିଲା । ଭାରତ ଚାମ୍ପିଅନ ହେବା ପରେ ପୁରସ୍କାର ବିତରଣ ଉତ୍ସବରେ ଏସିସି ସଭାପତି ତଥା ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ କରିବାକୁ ଭାରତୀୟ ଦଳ ମନା କରିଦେଇଥିଲା । ନକଭି ଶେଷରେ ଟ୍ରଫି ଧରି ପଳାଇଥିଲେ ବୋଲି କହିଛନ୍ତି ।

ସେ ଆହୁରି କହିଛନ୍ତି , ‘ବର୍ତ୍ତମାନ ପରିସ୍ଥିତି ସଂପର୍କରେ ମୋତେ ସେମିତି ବିଶେଷ କିଛି ଜଣା ନାହିଁ । ପାକିସ୍ତାନର ନିଷ୍ପତ୍ତି ମୋ ନିୟନ୍ତ୍ରଣରେ ନାହିଁ । ମ୍ୟାଚ ବୟକଟ୍ କରିବା ସେମାନଙ୍କର ନିଷ୍ପତ୍ତି । ଆସନ୍ତା ୧୫ ତାରିଖରେ ଆମକୁ ଖେଳିବାକୁ କୁହାଯାଇଛି । ଆମେ ଖେଳିବୁ । ଏସିଆ କପ୍ରେ ଆମେ ଖେଳିଥିଲୁ । ୩ ଥର ଦୁଇ ଦଳ ମୁହାଁମୁହିଁ ହୋଇଥିଲୁ । ପାକିସ୍ତାନ ବିପକ୍ଷରେ ଆମେ ଭଲ ପ୍ରଦର୍ଶନ କରି ବିଜୟୀ ହୋଇଥିଲୁ । ଯେଉଁଥିପାଇଁ ଆମେ ବହୁତ ଖୁସି । କଲମ୍ବୋରେ ଯଦି ପୁଣି ଖେଳିବାର ସୁଯୋଗ ମିଳେ ଆମେ ଭଲ ପ୍ରଦର୍ଶନ କରିବୁ ବୋଲି ସୂର୍ଯ୍ୟକୁମାର କହିଥିଲେ । ପାକିସ୍ତାନ ଅଧିନାୟକ ସଲମାନ ଆଘା କହିଛନ୍ତି, ‘ଆମେ ଭାରତ ବିପକ୍ଷରେ ଖେଳିବୁ କି ନାହିଁ, ତାହା ଖେଳାଳିମାନଙ୍କର ନିଷ୍ପତ୍ତି ନୁହଁ । ଆମ ସରକାର ଯାହା ନିଷ୍ପତ୍ତି ନେଇଛନ୍ତି, ତାହାକୁ ସମ୍ମାନ ଜଣାଇବୁ ।’ ବାଂଲାଦେଶକୁ ସମର୍ଥନ ଜଣାଇ ସେ କହିଛନ୍ତି, ‘ସେମାନେ ହେଉଛନ୍ତି ଆମର ଭାଇ ।’

ଭାରତ ବିପକ୍ଷରେ ଖେଳିବୁ ନାହିଁ: ପାକ୍ ପ୍ରଧାନମନ୍ତ୍ରୀପ୍ରଥମେ ପାକିସ୍ତାନ ସରକାରଙ୍କ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ କୁହାଗଲା ଯେ ଆସନ୍ତା ୧୫ ତାରିଖରେ ଭାରତ ବିପକ୍ଷ ମ୍ୟାଚ ବୟକଟ କରିବୁ । ଏ ପର୍ଯ୍ୟନ୍ତ ପିସିବି କିମ୍ବା ପାକ୍ ସରକାରଙ୍କ ପକ୍ଷରୁ ଏ ବିଷୟରେ କିଛି ଖୋଲା ଖୋଲି ମନ୍ତବ୍ୟ ଦିଆଯାଇ ନଥିଲା । କିନ୍ତୁ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏ ବିଷୟରେ ମନ୍ତବ୍ୟ ଦେଇ ବିଷୟକୁ ଅଧିକ ବିବାଦୀୟ କରି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସରିଫ କହିଛନ୍ତି, ‘ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଆମେ ଆମର ସ୍ପଷ୍ଟ ପକ୍ଷ ରଖିଛୁ । ଭାରତ ବିପକ୍ଷ ମ୍ୟାଚ ଆମେ ଖେଳିବୁ ନାହିଁ । କାରଣ କ୍ରୀଡ଼ାରେ ରାଜନୀତି ହେବା ଉଚିତ ନୁହେଁ । ବହୁ ଭାବିଚିନ୍ତି ଏଭଳି ନିଷ୍ପତ୍ତି ନେଇଛୁ । ବାଂଲାଦେଶକୁ ଆମର ସମର୍ଥନ ରହିବ । ମୁଁ ଭାବୁଛି ଏହା ଆମର ଉପଯୁକ୍ତ ନିଷ୍ପତ୍ତି ।’

ଏହା ବି ପଢନ୍ତୁ...ଯଦି ଭାରତ ସହ ଫାଇନାଲ ପଡ଼େ କ’ଣ କରିବ ? ଜାଣନ୍ତୁ କ’ଣ କହିଲେ ପାକିସ୍ତାନ ଅଧିନାୟକ

ପିସିବି ବିରୋଧରେ ହେବ ଆଇନଗତ ଆକ୍ସନ- ଆସନ୍ତା ୧୫ ତାରିଖରେ ଖେଳାଯିବାକୁ ଥିବା ଭାରତ-ପାକ୍ ମ୍ୟାଚର ମୋଟ୍ ଭାଲ୍ୟୁ ୨୫୦ ମିଲିୟନ ଡଲାର (୨୨୦୦ରୁ ଊଦ୍ଧ୍ୱର୍ କୋଟି) ଆକଳନ କରାଯାଇଛି । ଯଦି ଏହି ମ୍ୟାଚ ଖେଳା ନଯାଉଛି, ତେବେ ଆୟୋଜକ ଶ୍ରୀଲଙ୍କା ଏବଂ ଆଇସିସି ଘୋର କ୍ଷତି ସହିବେ । ଯଦି ୧୫ ତାରିଖ ମ୍ୟାଚ ଖେଳାନଯାଏ ତେବେ ପାକିସ୍ତାନ ବିପକ୍ଷରେ ଆଇସିସିର ପ୍ରସାରଣ ସହଯୋଗୀ ଜିଓ ଷ୍ଟାର ଆଇନଗତ କାର୍ଯ୍ୟାନୁଷ୍ଠାତ ଗ୍ରହଣ କରିବ । କେବଳ ଯେତିକି ନୁହେଁ, ଆଇସିସି ପିସିବିକୁ ବାର୍ଷିକ ଯେଉଁ ଆର୍ଥିକ ଅନୁଦାନ (୩୫ ମିଲିୟନ ଡଲାର) ଦେଉଛି ତାହା ବନ୍ଦ କରିଦେବ । ପିସିବିର ସେମିତି ନିଜସ୍ୱ ରୋଜଗାର କିଛି ନାହିଁ । ଆଇସିସି ଅନୁଦାନରେ ଚଳୁଛି । ତେଣୁ ଅନୁଦାନ ବନ୍ଦ ହୋଇଗଲେ ପାକ୍ କ୍ରିକେଟ୍ର ମେରୁଦଣ୍ଡ ଆର୍ଥିକ ଦୃଷ୍ଟିରୁ ସଂପୂର୍ଣ୍ଣ ଦୋହଲି ପଡ଼ିବ ।