ଭୁବନେଶ୍ୱର,୩୦/୧୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ସୋଆ ପରିଚାଳିତ ସେଣ୍ଟର୍ ଫର୍ ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ୍ ରେଷ୍ଟୋରେସନ୍ ଅଫ୍ ଏନ୍ସିଏଣ୍ଟ କଲ୍ଚର୍ ଆଣ୍ଡ୍ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ସୋଆ ଅଡିଟୋରିୟମ୍ କ୍ୟାମ୍ପସ୍-୨ରେ ଆୟୋଜିତ ଦୁଇ ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୫ର ରବିବାର ଥିଲା ଦ୍ୱିତୀୟ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଭିଡିଓ ବାର୍ତ୍ତାରେ ସାହିତ୍ୟିକ ମାନଙ୍କୁ ଉତ୍ସାହିତ କରିବା ସହ ଅଭିଭାଷଣ ରଖିଛନ୍ତି । କାର୍ଯ୍ୟକ୍ରମରେ ସୋଆ ଉପକୁଳପତି ପ୍ରଫେସର ଡ. ପି.କେ. ପାତ୍ର ଅଧ୍ୟକ୍ଷତା କରିଛନ୍ତି । ସୋଆ ପ୍ରାଚୀନର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା ଓ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଓଡ଼ିଆ ଯୁବ କବି ଓ ଲେଖକ ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ‘ସୋଆ ଯୁବ ସାହିତ୍ୟ ପୁରସ୍କାର-୨୦୨୫ରେ ସମ୍ମାନିତ କରାଯାଇଛି ।
ସୋଆ ଯୁବ ସାହିତ୍ୟ ପୁରସ୍କାର ପାଇବା ପରେ ସୋଆ ପରିବାରକୁ ସୂର୍ଯ୍ୟସ୍ନାତ ତ୍ରିପାଠୀ ଧନ୍ୟବାଦ ଜଣାଇଛନ୍ତି । ସୋଆର ଏ ଅବଦାନ ଆମ ଭଳି ଯୁବ ବର୍ଗର ସାହିତ୍ୟିକଙ୍କୁ ସମ୍ମାନୀତ କରୁଛି । ସେ କହିଛନ୍ତି କି, ମତେ ଲାଗେ ସାହିତ୍ୟିକର ସମ୍ମାନ କେବଳ ସାହିତ୍ୟର କୃତି । ଆପଣ ମାନେ ଆମ ସାହିତ୍ୟ ପଢ଼ୁଛନ୍ତି ସେ ଆମ ପାଇଁ ସମ୍ମାନ । ମାତ୍ର ପୁରସ୍କାର ସେ ରାସ୍ତାରେ ଚାଲିଯାଉଥିବା ଛୁଆକୁ ପିଠି ଥାପୁଡାଇବା ଭଳି...ଆହୁରି ବହୁତ ବାଟ ଆଗକୁ ଚାଲିବାର ଅଛି… ଏଇଠି ଅଟକିବାର ନାହିଁ…
ସେ ଆହୁରି ମଧ୍ୟ କହିଛନ୍ତି କି, ମୋର ବ୍ୟକ୍ତିଗତ ମତ, ମୁଁ ବିଶେଷ କରି ପୁରସ୍କାର ପକ୍ଷ ଧର ନୁହେଁ । କିନ୍ତୁ ବେଳେ ବେଳେ କିଛି ବ୍ୟବସ୍ଥା କିଛି ଲୋକ ମାନଙ୍କର ଅନ୍ତରିକତା ସେହ୍ନକୁ ସମ୍ମାନ ଦେବାକୁ ମୁଁ ଏମିତି ପୁରସ୍କାର ସହ ଯୋଡି ହୁଏ । ଆମେ ଯେଉଁ ରାସ୍ତାରେ ଚାଲୁଛେ, ବିଶେଷ କରି ସାହିତ୍ୟ, ସର୍ଜନା ଓ କଳା ନିହାତି ନିଃସଙ୍ଗ ରାସ୍ତା। ସାହିତ୍ୟରେ ସବୁଠୁ ବଡ଼ ପ୍ରାପ୍ତି ହେଉଛି ଅପ୍ରାପ୍ତି । ଯେଉଁଠି କିଛି ପାଇବା ଇଚ୍ଛା ନାହିଁ, କିଛି ପାଇବାର ମୋହ ନାହିଁ । ତା ଭିତରେ ପୁରସ୍କାର ଆମକୁ ମୋହିତ ନକରୁ । ଆମେ ପୁରସ୍କାର ପାଖରେ ଠିଆ ହେବା। ପରସ୍କାର ଆମ ପାଖରେ ଛାଇ ଭଳି ଆମକୁ ଛାଇ ଦେବା ପାଇଁ ଠିଆ ହେବ। ତା ପରେ ଆମେ ପୁଣି ଖରା ଭର୍ତ୍ତି ବାଟରେ ଆଗୁ ଚାଲିବାର ଅଛି । ସେଥିପାଇଁ ମୁଁ ବହୁତ କୃତଜ୍ଞ …ମତେ ମନେ ପକାଇଛନ୍ତି ସୋଆ ପରିବାର।
ଉଲ୍ଲେଖନୀୟ କି, ବର୍ଷା ପ୍ରକାଶନୀ ଦ୍ୱାରା ୨୦୨୪ରେ ପ୍ରକାଶିତ ଶ୍ରୀ ତ୍ରିପାଠୀଙ୍କର କ୍ଷୁଦ୍ର ଗଳ୍ପ ସଙ୍କଳନ "ଠିଆ ପୁଚି ନାରଙ୍ଗ' ନିମନ୍ତେ ବିଚାରକ ମଣ୍ଡଳୀ ସର୍ବସମ୍ମତି କ୍ରମେ ତାଙ୍କ ନାମକୁ ପୁରସ୍କାର ନିମନ୍ତେ ମନୋନୀତ କରିଥିଲେ । ଏହି ସଙ୍କଳନରେ ୧୨ଟି ଗଳ୍ପ ରହିଛି । ଯେଉଁଥିରେ ଲେଖକ ମଣିଷର ମନସ୍ତତ୍ତ୍ୱ ଏବଂ ସମସାମୟିକ ଅନୁଭୂତିର ନିଚ୍ଛକ ପରିପ୍ରକାଶ କରିଛନ୍ତି । କବିତା, ଗଳ୍ପ, ଉପନ୍ୟାସ ଆଦି ସାହିତ୍ୟର ସୃଜନାତ୍ମକ କ୍ଷେତ୍ରରେ ଲେଖୁଥିବା ଯୁବପିଢ଼ିଙ୍କୁ ପ୍ରୋତ୍ସାହନ ଦେବା ନିମନ୍ତେ ଚଳିତ ବର୍ଷ ଠାରୁ ସୋଆ ଯୁବ ସାହିତ୍ୟ ପୁରସ୍କାର ପ୍ରଦାନ କରିବା ନିମନ୍ତେ ସ୍ଥିର କରାଯାଇଛି । ଏହି ଅବସରରେ ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ମାନପତ୍ର, ରୌପ୍ୟ ଫଳକ ଓ ଉତ୍ତରୀୟ ପ୍ରଦାନ କରାଯାଇଛି ।