କାଠମାଣ୍ଡୁ/ନୂଆଦିଲ୍ଲୀ: ନେପାଳରେ ଅନ୍ତରୀଣ ପ୍ରଧାନମନ୍ତ୍ରୀଙ୍କୁ ନେଇ ସସପେନ୍ସ ଦୂର ହୋଇଛି । ବିଭିନ୍ନ ନାଁକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଶେଷରେ ସୁଶୀଳା କାର୍କି ହିଁ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇଯାଇଛି । ଜେନ-ଜିଙ୍କ ମଧ୍ୟରେ ଏନେଇ ସହମତି ପ୍ରକାଶ ପାଇଛି । ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବରେ ସୁଶୀଳା କାର୍କିଙ୍କ ନାମ ଉପରେ ମୋହର ବାଜିଛି । ସୁଶୀଳା କାର୍କି ଆଜି ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ। ରାଷ୍ଟ୍ରପତି ଭବନରେ କାର୍କି ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ନେପାଳର ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସଂସଦ ଭାଙ୍ଗିବା ଉପରେ ଏକମତ ହୋଇଛି । ଯେତେବେଳେ ପରିସ୍ଥିତି ସ୍ୱାଭାବିକ ହେବ, ସେତେବେଳେ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ ।
ନେପାଳରେ ଜେନ-ଜିଙ୍କ ଜୋରଦାର ବିକ୍ଷୋଭ ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କେପି ଓଲି । ଯୁବକମାନେ ସଂସଦ ଉପରେ ମଧ୍ୟ ଆକ୍ରମଣ କରିଥିଲେ ଏବଂ ପୋଡ଼ାଜଳା କରିଥିଲେ । ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକକୁ ବିରୋଧ କରି ହୋଇଥିବା ଏହି ପ୍ରତିବାଦ ଉଗ୍ର ରୂପ ଧାରଣ କରିଥିଲା । ଜେନ-ଜି ପ୍ରତିବାଦକାରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ମଧ୍ୟ ଜୀବନ୍ତ ଜାଳି ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ନେପାଳର ନେତୃତ୍ବ କିଏ ନେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା ।
ନେପାଳରେ ଦୁର୍ନୀତି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ବିରୋଧରେ ଜେନେରେସନ ଜେଡ ରାସ୍ତାକୁ ଓହ୍ଲାଇଥିଲେ । ହିଂସ୍ରକ ପ୍ରତିବାଦରେ ଜଣେ ଭାରତୀୟ ନାଗରିକଙ୍କ ସମେତ ପ୍ରାୟ ୫୧ ଜଣଙ୍କର ମୃତ୍ୟୁ ହୋଇଛି । ୧୯୯୭ରୁ ୨୦୧୨ ମଧ୍ୟରେ ଜନ୍ମିତ ଯୁବକମାନଙ୍କୁ ସାଧାରଣତଃ ଜେନେରେସନ ଜେଡ ପିଢ଼ି ଭାବରେ ଜଣାଯା । ଯୁବକମାନେ କହିଛନ୍ତି ଯେ, ସରକାର ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇ ଦେଶରେ ଏକଛତ୍ରବାଦ ଆଣିବାକୁ ଚେଷ୍ଟା କରିଛନ୍ତି। ଯୁବକମାନଙ୍କ ବିରୋଧ ପରେ ନେପାଳର ଓଲି ସରକାରଙ୍କୁ ପଛକୁ ହଟିବାକୁ ପଡିଲା ଏବଂ ପ୍ରତିବନ୍ଧକ ଉଠାଇବାକୁ ପଡିଲା । ପ୍ରତିବାଦକୁ ଦୃଷ୍ଟିରେ ରଖି ଓଲିଙ୍କୁ ମଧ୍ୟ ଇସ୍ତଫା ଦେବାକୁ ପଡିଲା । ଏବେ ଦେଶରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପ୍ରକ୍ରିୟା ତୀବ୍ର ହୋଇଛି ।