ପାରାଦୀପ, ୧୧/୪ : ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ଼) ପକ୍ଷରୁ ଅନ୍ତର୍ଜାତୀୟ ଜଳ ସୀମାରୁ ସନ୍ଦେହ ଜନକ ଅବସ୍ଥାରେ ବୋଟକୁ ଜବତ କରାଯାଇଛି । ବୋଟକୁ ଭାରତୀୟ ଜଳ ସୀମାର ପଶ୍ଚିମବଙ୍ଗ ଓ ବାଂଲାଦେଶ ବର୍ଡ଼ର ନିକଟରୁ ଜବତ କରିଛି କୋଷ୍ଟଗାର୍ଡ଼ । ବୋଟର ନାମ ମା ବାସନ୍ତୀ ହୋଇଥିବାବେଳେ ବୋଟରେ ଅଛନ୍ତି ୧୪ଜଣ ବ୍ୟକ୍ତି  । 

ସେମାନେ ଓ୍ବେଷ୍ଟବେଙ୍ଗଲ ଜଳସୀମାରୁ ବାଂଲାଦେଶ ଜଳସୀମାକୁ ପ୍ରବେଶ ପାଇଁ ଚେଷ୍ଟା କରୁଥିବାବେଳେ କୋଷ୍ଟଗାର୍ଡର ଜାହାଜ ଆଇଏନ‌ଏସ୍ ଭରଦା ସେମାନଙ୍କୁ ଧରିଥିଲା । ବୋଟକୁ ଜବତ କରିବା ପରେ ସେଥିରେ ୪୫୦ ବସ୍ତା ଗୁଆ ରହିଥିବା ଜଣାପଡ଼ିଛି। ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୧କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । 

କୋଷ୍ଟଗାର୍ଡ ବୋଟକୁ ପାରାଦୀପ ବନ୍ଦରକୁ ଅଣାଯାଇଥିବାବେଳେ, ଅଟକ ବ୍ୟକ୍ତିମାନଙ୍କୁ ପଚରାଉଚରା ଜାରି ରହିଛି। ସେମାନେ ଏହି ଗୁଆକୁ କେଉଁ ଉଦେଶ୍ୟରେ ନେଉଥିଲେ, ଆଗରୁ କେତେ ଥର ଯାଇଛନ୍ତି ଏବଂ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତଦନ୍ତ ପରେ ଜଣାପଡ଼ିବ ବୋଲି କୋଷ୍ଟଗାର୍ଡ଼ ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରିଛି ।