ଗଭୀର ନିଦ୍ରାରେ ଆମେ ଦେଖୁଥିବା ସ୍ୱପ୍ନ କେବଳ ଏକ କାଳ୍ପନିକ ଦୃଶ୍ୟ ନୁହେଁ, ବରଂ ଏହା ଆମ ଭବିଷ୍ୟତ ସହ ଜଡ଼ିତ ଅନେକ ରହସ୍ୟର ସଙ୍କେତ ଦେଇଥାଏ । ସ୍ୱପ୍ନ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ଅର୍ଥ ରହିଥାଏ । କିଛି ସ୍ୱପ୍ନ ଆମକୁ ଆଗକୁ ଆସୁଥିବା ବିପଦ ବିଷୟରେ ସତର୍କ କରାଇଥାଏ ତ ଆଉ କିଛି ସ୍ୱପ୍ନ ଆମ ଜୀବନକୁ ସୁଖ-ସମୃଦ୍ଧିରେ ଭରିଦେବାର ସୂଚନା ଦେଇଥାଏ । ଯଦି ଆପଣ ଦେଖୁଥିବା ସ୍ୱପ୍ନ କାହା ଆଗରେ କହୁଛନ୍ତି ଭୁଲ୍ ରେ ବି ଏମତି କରନ୍ତୁନି । ଶାସ୍ତ୍ରରେ କୁହାଯାଇଛି ଯେ, କିଛି ଶୁଭ ସ୍ୱପ୍ନ ଏମିତି ଥାଏ ଯାହାକୁ ଅନ୍ୟ କାହା ଆଗରେ ପ୍ରକାଶ କରିବା ଅନୁଚିତ୍ । ଯଦି ଆପଣ ଏହି ସ୍ୱପ୍ନଗୁଡ଼ିକୁ କାହାକୁ କୁହନ୍ତି, ତେବେ ତାହାର ସକାରାତ୍ମକ ପ୍ରଭାବ କମିଯାଏ ଏବଂ ହାତକୁ ଆସୁଥିବା ଖୁସିର ଖବର ମଧ୍ୟ ଦୂରେଇଯାଏ । ଆସନ୍ତୁ ଜାଣିବା ସେହିଭଳି ୫ଟି ସ୍ୱପ୍ନ ବିଷୟରେ, ଯାହାକୁ ଆପଣ ପୂରା ପୂରି ସିକ୍ରେଟ୍ ରଖିବା ଆବଶ୍ୟକ ।
୧. ସ୍ୱପ୍ନରେ ଦେବୀ-ଦେବତାଙ୍କ ଦର୍ଶନ ପାଇବା
ଯଦି ଆପଣଙ୍କ ସ୍ୱପ୍ନରେ ମହାପ୍ରଭୁ ଜଗନ୍ନାଥ, ଭଗବାନ ବିଷ୍ଣୁ, ମାତା ଲକ୍ଷ୍ମୀ, ପ୍ରଭୁ ଶିବ କିମ୍ବା ଅନ୍ୟ କୌଣସି ଦେବୀ-ଦେବତା ଦର୍ଶନ ଦିଅନ୍ତି, ତେବେ ଜାଣିରଖନ୍ତୁ ଯେ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଏହା ଦର୍ଶାଏ ଯେ ଆପଣଙ୍କ ଜୀବନର ସବୁ ଦୁଃଖ-କଷ୍ଟର ଅନ୍ତ ଘଟିବାକୁ ଯାଉଛି ଏବଂ ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେବ । ଏଭଳି ସ୍ୱପ୍ନ ଦେଖିବା ମାତ୍ରେ ଲୋକେ ଖୁସିରେ ଅନ୍ୟମାନଙ୍କୁ କହିଦିଅନ୍ତି । କିନ୍ତୁ ଶାସ୍ତ୍ର ଅନୁଯାୟୀ, ଦେବୀ-ଦେବତାଙ୍କ ସ୍ୱପ୍ନକୁ ଗୋପନ ରଖିଲେ ହିଁ ତାର ସମ୍ପୂର୍ଣ୍ଣ ଶୁଭ ଫଳ ମିଳିଥାଏ ।
୨. ସ୍ୱପ୍ନରେ ସୁନା, ଚାନ୍ଦି କିମ୍ବା ପ୍ରଚୁର ଧନ ଦେଖିବା
ଯଦି ଆପଣ ସ୍ୱପ୍ନରେ କୌଣସି ଗୁପ୍ତ ଧନ, ସୁନା-ଚାନ୍ଦିର ଅଳଙ୍କାର କିମ୍ବା ନିଜକୁ ପ୍ରଚୁର ଟଙ୍କା ପଇସା ମିଳୁଥିବାର ଦେଖୁଛନ୍ତି, ତେବେ ଏହା ଏକ ବଡ଼ ଆର୍ଥିକ ଲାଭର ସଙ୍କେତ । ଏହାର ଅର୍ଥ ହେଉଛି ଆଗକୁ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଅଟକି ରହିଥିବା ସମସ୍ତ ଟଙ୍କା ଫେରିପାଇବ ଏବଂ ବ୍ୟାପାରରେ ଉନ୍ନତି ହେବ । ମନେରଖନ୍ତୁ, ମାତା ଲକ୍ଷ୍ମୀଙ୍କ କୃପା ସହ ଜଡ଼ିତ ଏହି ସ୍ୱପ୍ନକୁ ନିଜ ଭିତରେ ହିଁ ସୀମିତ ରଖନ୍ତୁ, ନଚେତ୍ ଏହି ଆର୍ଥିକ ଯୋଗରେ ବାଧା ସୃଷ୍ଟି ହୋଇପାରେ ।
୩. ନିଜକୁ କୌଣସି ଉଚ୍ଚ ସ୍ଥାନକୁ ଚଢ଼ୁଥିବାର ଦେଖିବା
ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ନିଜକୁ କୌଣସି ପାହାଡ଼, ଉଚ୍ଚ କୋଠା କିମ୍ବା ସିଡ଼ି ସାହାଯ୍ୟରେ ଉପରକୁ ଚଢ଼ୁଥିବାର ଦେଖୁଛନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ । ଏହା ଆପଣଙ୍କ କ୍ୟାରିୟର ଏବଂ ସାମାଜିକ ପ୍ରତିଷ୍ଠାରେ ବଡ଼ ଅଭିବୃଦ୍ଧିକୁ ସୂଚାଏ । ଚାକିରିରେ ପଦୋନ୍ନତି ଏବଂ ସମାଜରେ ମାନ-ସମ୍ମାନ ମିଳିବାର ଏହା ପ୍ରତିଫଳନ । ସଫଳତା ପାଇବା ପୂର୍ବରୁ ଯଦି ଆପଣ ଏହି ସ୍ୱପ୍ନ ବିଷୟରେ ଚର୍ଚ୍ଚା କରିବେ, ତେବେ ଶତ୍ରୁ କିମ୍ବା ଈର୍ଷାପରାୟଣ ଲୋକଙ୍କ ନଜର ଲାଗି ଆପଣଙ୍କ ପ୍ରଗତିରେ ବାଧା ଆସିପାରେ ।
୪. ସ୍ୱପ୍ନରେ ଧଳା ଫୁଲ କିମ୍ବା ମନ୍ଦିର ଦେଖିବା
ଧଳା ରଙ୍ଗ ହେଉଛି ଶାନ୍ତି ଓ ପବିତ୍ରତାର ପ୍ରତୀକ । ସ୍ୱପ୍ନରେ ଧଳା ଫୁଲ ଫୁଟିଥିବାର ଦେଖିବା କିମ୍ବା କୌଣସି ସୁନ୍ଦର ମନ୍ଦିର ଦେଖିବା ଏକ ଦିବ୍ୟ ଅନୁଭୂତି । ଏହା ଦର୍ଶାଏ ଯେ ଆପଣଙ୍କ ପରିବାରକୁ କୌଣସି ବଡ଼ ଶୁଭ ସମାଚାର ମିଳିବାକୁ ଯାଉଛି । ଘରର ଅଶାନ୍ତି ଦୂର ହେବ ଏବଂ ମାନସିକ ଶାନ୍ତି ମିଳିବ । ଏହି ଶାନ୍ତି ଓ ସୁଖର ସଙ୍କେତକୁ ମଧ୍ୟ ସିକ୍ରେଟ୍ ରଖିବାକୁ ପରାମର୍ଶ ଦିଆଯାଇଛି, ଯଦ୍ଦ୍ୱାରା ଘରର ସକାରାତ୍ମକ ଊର୍ଜା ବଜାୟ ରହେ ।
୫. ନିଜର ମୃତ୍ୟୁ କିମ୍ବା କୋକେଇ ଦେଖିବା
ସ୍ୱପ୍ନରେ ଆପଣ ନିଜର ମୃତ୍ୟୁ କେବେ ଦେଖିଛନ୍ତି କି ? ଏହି ସ୍ୱପ୍ନଟି ଶୁଣିବାକୁ ବା ଦେଖିବାକୁ ଅତ୍ୟନ୍ତ ଭୟଙ୍କର ଏବଂ ଅଶୁଭ ମନେହୋଇପାରେ, କିନ୍ତୁ ସ୍ୱପ୍ନ ଶାସ୍ତ୍ରର ବିଶ୍ଳେଷଣ ସମ୍ପୂର୍ଣ୍ଣ ଓଲଟା । ସ୍ୱପ୍ନରେ ନିଜର ମୃତ୍ୟୁ ଦେଖିବାର ଅର୍ଥ ହେଉଛି ଆପଣଙ୍କର ଆୟୁଷ ବୃଦ୍ଧି ହେବାକୁ ଯାଉଛି । ଏହା ସହିତ ଆପଣଙ୍କ ଜୀବନରେ ଚାଲିଥିବା କୌଣସି ବଡ଼ ସଙ୍କଟ, ରୋଗ କିମ୍ବା ଋଣରୁ ଆପଣଙ୍କୁ ଖୁବ୍ ଶୀଘ୍ର ମୁକ୍ତି ମିଳିବ । ଭୟଭୀତ ହୋଇ ଏହି ସ୍ୱପ୍ନ ବିଷୟରେ ସମସ୍ତଙ୍କୁ ଜଣାନ୍ତୁ ନାହିଁ । ଏହାକୁ ଗୋପନ ରଖିଲେ ଏହାର ଶୁଭ ପରିଣାମ ଆପଣଙ୍କ ଜୀବନରେ ଖୁବ୍ ଶୀଘ୍ର ପ୍ରତିଫଳିତ ହେବ । ସ୍ୱପ୍ନ ଶାସ୍ତ୍ରର ଏହି ଗୁରୁତ୍ୱପୂର୍ଣ୍ଣ ନିୟମକୁ ମନେରଖନ୍ତୁ । ଯଦି ଆପଣ ଏଭଳି କୌଣସି ଶୁଭ ସ୍ୱପ୍ନ ଦେଖୁଛନ୍ତି, ତେବେ ତାହାକୁ ନିଜ ମନ ମଧ୍ୟରେ ଗୋପନ ରଖି ଭଗବାନଙ୍କୁ ଧନ୍ୟବାଦ ଜଣାନ୍ତୁ, ଯେପରି ସେହି ସ୍ୱପ୍ନର ସକାରାତ୍ମକ ପ୍ରଭାବ ଆପଣଙ୍କ ଜୀବନକୁ ଖୁସିରେ ଭରିଦେବ ।
ଆହୁରି ପଢ଼ନ୍ତୁ... Makhana Side Effects: ଏହି ୫ଟି ଲକ୍ଷଣ ଥିଲେ ଭୁଲରେ ବି ଖାଆନ୍ତୁନି ମଖାନା, ଦେଖାଦେଇପାରେ ସ୍ୱାସ୍ତ୍ୟ ସମସ୍ୟା