ଭୁବନେଶ୍ୱର,୨୦/୦୨: ପାତ୍ରପଡ଼ା ଭଗବାନପୁର ଶିଳ୍ପାଞ୍ଚଳରେ ପୂର୍ବ ଶତ୍ରୁତା ଓ ପତିଆରା ସୃଷ୍ଟି କରିବା ଲାଗି ଆତଙ୍କରାଜ ରଚିବା ଘଟଣାର ମାଷ୍ଟରମାଇଣ୍ଡ୍କୁ ତମାଣ୍ଡୋ ଥାନା ପୁଲିସ ଗିରଫ କରିଛି । ଘଟଣାର ୨୪ ଘଣ୍ଟା ଭିତରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା । ତେବେ ଏହି ଘଟଣାର ମାଷ୍ଟରମାଇଣ୍ଡ୍ କୁହାଯାଉଥିବା ୱାର୍ଡ ନଂ-୬୫ର କର୍ପୋରେଟର ରଶ୍ମିରଞ୍ଜନ ପାଟ୍ଟଶାଣୀ ଓରଫ ଶମ୍ଭୁ ପାଟ୍ଟଶାଣୀଙ୍କୁ ତମାଣ୍ଡୋ ଥାନା ପୁଲିସ ଗିରଫ କରି ଗୁରୁବାର ବିଳମ୍ବିତ ରାତିରେ କୋର୍ଟ ଚାଲାଣ କରିଛି । ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ାସ୍ଥିତ ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାରକୁ ପଠାଇ ଦିଆଯାଇଛି । କର୍ପୋରେଟରଙ୍କ ଗିରଫଦାରିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କର୍ପୋରେଟରଙ୍କ ସମର୍ଥକମାନେ ରାତିରେ ଝାରପଡ଼ା ଜେଲ୍ ନିକଟରେ ଏକଜୁଟ୍ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।
ଗତ ୧୬ ତାରିଖ ରାତି ୧୨ଟା ବେଳେ ଭଗବାନପୁରର କବିରାଜ ଲେଙ୍କାଙ୍କ ଫାଷ୍ଟଫୁଡ୍ ଓ ଟେଣ୍ଟହାଉସ୍ରେ ୩ଟି ବାଇକ୍ରେ ୭ଜଣ ଦୁର୍ବୃତ୍ତ ପହଞ୍ଚି ଆତଙ୍କ ଖେଳାଇଥିଲେ । କବିରାଜଙ୍କ ପୁଅ ସିସି କ୍ୟାମେରାରେ ସେମାନଙ୍କୁ ଦେଖି କବାଟ ବନ୍ଦ କରି ଦେଇଥିଲେ । ଟେଣ୍ଟ ହାଉସ୍ ସାମ୍ନାରେ ଠିଆ ହୋଇଥିବା ୨ ଜଣ କର୍ମଚାରୀ ଗୋପୀନାଥ ଭୁଜବଳ, ସନିଆଙ୍କୁ ଆତଙ୍କ ସୃଷ୍ଟିକାରୀ ବଣ୍ଟି ଓ ସହଯୋଗୀମାନେ ଖଣ୍ଡାରେ ହାଣି ପକାଇଥିଲେ । ପରେ ସେମାନେ ସେଠାରେ ଥୁଆ ହୋଇଥିବା ୩ଟି କାର୍କୁ ଖଣ୍ଡାରେ ହାଣି ଭଙ୍ଗାରୁଜା କରିଥିଲେ ।
ଏନେଇ ତମାଣ୍ଡୋ ଥାନାରେ ମଙ୍ଗଳବାର ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ମୋଟ ୭ଜଣ ଆକ୍ରମଣରେ ସାମିଲ ଥିଲେ ବୋଲି ପୁଲିସ ଜାଣିବାକୁ ପାଇଥିଲା । ତନ୍ମଧ୍ୟରୁ ୪ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଶମ୍ଭୁଙ୍କୁ ଗିରଫ କରିଛି । ତଥାପି ଏହି ମାମଲାରେ ଆହୁରି ସମ୍ପୃକ୍ତ ଅଛନ୍ତି । ଗତକାଲି ଗିରଫ ହୋଇଥିବା ଅଭିଯୁକ୍ତଙ୍କଠାରୁ ୨ଟି ଖଣ୍ଡା, ୨ଟି ବାଇକ୍ ଜବତ କରାଯାଇଛି । ପୂର୍ବରୁ ଗିରଫ ହୋଇଥିବା ୪ ଜଣଙ୍କ ବିରୋଧରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ବେଳେ କର୍ପୋରେଟରଙ୍କ ବିରୋଧରେ ପୂର୍ବରୁ ମାମଲା ରହିଛି କି ନାହିଁ ସେ ଦିଗରେ ଅନୁଧ୍ୟାନ କରାଯାଉଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । କର୍ପୋରେଟର ଶ୍ରୀ ପାଟ୍ଟସାଣୀ କେଉଁ ଉଦ୍ଦେଶ୍ୟ ନେଇ ଅଭିଯୁକ୍ତଙ୍କୁ ସେଠାକୁ ପଠାଇଥିଲେ ଏନେଇ ପୁଲିସ ଗଣମାଧ୍ୟମକୁ କିଛି ସୂଚନା ଦେଇନାହିଁ । ଶମ୍ଭୁଙ୍କ ପ୍ରରୋଚନାରେ ଏମାନେ ଏହି ଆତଙ୍କ ସୃଷ୍ଟି କରିଥିଲେ ବୋଲି ପୁଲିସ ସୂଚନା ଦେଇଛି ।