ନୂଆଦିଲ୍ଲୀ,୦୩/୦୩; ଖେଳରେ ହାର ଜିତ୍ ଥାଏ । ଗୋଟିଏ ଦଳ ଜିତିଲେ ଆଉ ଜଣେ ହାରିବ । ହେଲେ ମ୍ୟାଚ ପରେ କିଛି ଚିତ୍ର ହୃଦୟକୁ ଛୁଇଁଯାଏ । ମନକୁ ଖୁସି କରିଦେବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ଟି-ଟ୍ୱେଣ୍ଟି ବିଶ୍ୱକପ ସୁପର ୮ ମ୍ୟାଚରେ । ଇଡେନ ଗାର୍ଡେନରେ ଭାରତ ବନାମ ୱେଷ୍ଟଇଣ୍ଡିଜ ମ୍ୟାଚରେ ଭାରତ ୫ ୱିକେଟରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛି । ଏଥିରେ ମ୍ୟାଚ ବିଜୟୀ ପାଳି ଖେଳିଥିଲେ ସଞ୍ଜୁ ସାମସନ । ସଞ୍ଜୁ ସାମସନ ଏକ ଚମତ୍କାର ଇନିଂସ ଖେଳିଥିଲେ ଏବଂ ୯୭ ରନରେ ଅପରାଜିତ ରହିଥିଲେ । ସାମସନଙ୍କ ଇନିଂସ ଯୋଗୁଁ ଭାରତ ୱେଷ୍ଟଇଣ୍ଡିଜକୁ ୫ ୱିକେଟରେ ପରାସ୍ତ କରିବାରେ ସଫଳ ହୋଇଥିଲା । ଭାରତଠୁ ହାରିବା ପରେ ମନରେ ଦୁଃଖ ଥିଲା ହେଲେ ସାଙ୍ଗ ଖୁସିରେ ଖୁସି ହୋଇଥିଲେ ୱେଷ୍ଟଇଣ୍ଡିଜର ସିମରୋନ ହେଟମାୟର । ସାଙ୍କ ସଞ୍ଜୁଙ୍କ ଦମଦାର ପାଳି ପାଇଁ ତାଙ୍କୁ ମ୍ୟାଚ ପରେ ଆଲିଙ୍ଗନ କରିଥିଲେ । ଯେଉଁ ଦୃଶ୍ୟ ଥିଲା ବେଶ୍ ମନଛୁଆଁ ।

ସାମସନଙ୍କ ବ୍ୟାଟିଂରେ ଭାରତୀୟ ଦଳ ଖୁସି ଥିବା ବେଳେ, ୱେଷ୍ଟଇଣ୍ଡିଜ୍ ଶିବିରରେ ତାଙ୍କ ବନ୍ଧୁ ସିମରୋନ୍ ହେଟମାୟର ମଧ୍ୟ ବହୁତ ଖୁସି ଥିଲେ । ସାମସନ ଚୌକା ମାରି ମ୍ୟାଚ୍ ଶେଷ କରିବା ମାତ୍ରେ, ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ଦଳର ଅଂଶ ଥିବା ସିମରନ୍ ହେଟମାୟର ସଞ୍ଜୁଙ୍କୁ ଆଲିଙ୍ଗନ କରିଥିଲେ । ସିମରନ୍ ହେଟମାୟରଙ୍କ ଖୁସି ସ୍ପଷ୍ଟ ବାରି ହୋଇପଡୁଥିଲା । ହେଟମାୟର ସଞ୍ଜୁଙ୍କୁ ତାଙ୍କର ସ୍ମରଣୀୟ ଇନିଂସ ପାଇଁ ଅଭିନନ୍ଦନ ଜଣାଇଥିଲେ । ଏହି ସମୟର ଭିଡିଓ-ଫଟୋ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ହୃଦୟ ଜିତିଥିଲା ।

ଏହା ବି ପଢନ୍ତୁ...'ଦୁଃଖ କରନି,ସୁଯୋଗ କେବେ ନା କେବେ ଆସିବ', ରୋହିତଙ୍କ ୪ ପଦ କଥା ବଦଳାଇଲା ସଞ୍ଜୁଙ୍କ ବିଶ୍ୱକପ ଯାତ୍ରା

​​​​​​​ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୪ ୱିକେଟ୍ ହରାଇ ୧୯୪ ରନ୍ କରିଥିଲା । ଇଡେନ୍ ଗାର୍ଡେନ୍ସରେ ଭାରତର ସମସ୍ତ ଫର୍ମରେ ଥିବା ବ୍ୟାଟର ବିଫଳ ହୋଇଥିଲେ, କିନ୍ତୁ ସଞ୍ଜୁ ସାମସନ୍ ତାଙ୍କ କ୍ୟାରିୟରର ସବୁଠାରୁ ସ୍ମରଣୀୟ ଇନିଂସ ଖେଳି ୱେଷ୍ଟଇଣ୍ଡିଜ୍ ବିଜୟରେ ବ୍ରେକ୍ ଲଗାଇଥିଲେ । ସଞ୍ଜୁ ୫୦ ବଲ୍ ଇନିଂସରେ ୧୨ ଚୌକା ଏବଂ ୪ ଛକା ମାରିଥିଲେ, ଓପନର ଭାବରେ ଆସି ଫିନିସର ଭୂମିକା ଗ୍ରହଣ କରିଥିଲେ। ଭାରତ ୪ ବଲ୍ ବାକି ଥାଇ ବିଜୟୀ ହୋଇଥିଲା। ସଞ୍ଜୁ ୧୯ତମ ଓଭରରେ ରୋମାରିଓ ସେଫର୍ଡଙ୍କୁ ୬ ଓଭର ସ୍କୋୟାର ଲେଗରେ ମାରିଥିଲେ ଏବଂ ପରବର୍ତ୍ତୀ ବଲରେ ଚୌକା ମାରିଥିଲେ । ଏହା ସହିତ, ୨୦୧୬ ଟି-୨୦ ବିଶ୍ୱକପ୍ ଜିତିଥିବା କାରିବିଆନ୍ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲା ।