ନୂଆଦିଲ୍ଲୀ,୧୨/୦୧: ୨୦୨୬ ଟି-୨୦ ବିଶ୍ୱକପ୍‌ରେ ବାଂଲାଦେଶର ମ୍ୟାଚ୍‌ ସ୍ଥାନ ପରିବର୍ତ୍ତନ ହୋଇପାରେ । ରିପୋର୍ଟ ଆସିଛି ଯେ,  ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି । ଏବେ ପ୍ରଶ୍ନ ହେଉଛି ଏହି ସ୍ଥାନ ଶ୍ରୀଲଙ୍କାରେ ହେବ ନା ଏହାକୁ ଭାରତର ଅନ୍ୟ ଏକ ସହରକୁ ସ୍ଥାନାନ୍ତରିତ କରାଯିବ ? ୨୦୨୬ ଟି-୨୦ ବିଶ୍ୱକପ୍ ଫେବୃଆରୀ ୭ ତାରିଖରୁ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟସୂଚୀ ଅନୁଯାୟୀ, ବାଂଲାଦେଶର ସମସ୍ତ ଗ୍ରୁପ୍ ମ୍ୟାଚ୍  କୋଲକାତା ଏବଂ ମୁମ୍ବାଇରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା । ବର୍ତ୍ତମାନ ଭେନ୍ୟୁ ପରିବର୍ତ୍ତନ କରାଯାଇପାରେ ବୋଲି ଖବର ଆସୁଛି ।

ବାଂଲାଦେଶ ମ୍ୟାଚ୍ ସ୍ଥାନ ପରିବର୍ତ୍ତନ କରାଯିବ- କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ବାଂଲାଦେଶର ମ୍ୟାଚ୍ ସ୍ଥଳ ଶ୍ରୀଲଙ୍କାକୁ ସ୍ଥାନାନ୍ତରିତ ହେବାର ସମ୍ଭାବନା କମ୍ । ରିପୋର୍ଟରେ କୁହାଯାଇଛି ଯେ, ବାଂଲାଦେଶର ମ୍ୟାଚ୍ ଦକ୍ଷିଣ ଭାରତକୁ ସ୍ଥାନାନ୍ତରିତ ହେବାର ସମ୍ଭାବନା ଅଧିକ । ଏହାର ଅର୍ଥ ମ୍ୟାଚ୍ ଗୁଡ଼ିକ କୋଲକାତା ଏବଂ ମୁମ୍ବାଇ ବଦଳରେ ଚେନ୍ନାଇ ଏବଂ ତିରୁବନନ୍ତପୁରମରେ ଅନୁଷ୍ଠିତ ହୋଇପାରେ ।

ବାଂଲାଦେଶରେ ହିନ୍ଦୁଙ୍କ ହତ୍ୟା ବିରୋଧରେ ପ୍ରତିବାଦର ଜବାବରେ ବିସିସିଆଇ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲରୁ ବହିଷ୍କାର କରିଥିଲା । ଏହି କାର୍ଯ୍ୟାନୁଷ୍ଠାନର ଜବାବରେ, ବାଂଲାଦେଶ କ୍ରିକେଟ୍ ବୋର୍ଡ ଆଇସିସିକୁ ଇମେଲ୍ ପଠାଇ ଏହାର ଟି-୨୦ ବିଶ୍ୱକପ୍ ୨୦୨୬ ମ୍ୟାଚ୍ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲା । ବାଂଲାଦେଶ ଆଇସିସିକୁ ଭାରତରୁ ଶ୍ରୀଲଙ୍କାକୁ ତାର ସବୁ ମ୍ୟାଚ୍ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲା । ସୁରକ୍ଷା ଚିନ୍ତାର କାରଣ ଦର୍ଶାଇ ଭାରତରେ ନ ଖେଳିବାକୁ କହିଥିଲା । ରିପୋର୍ଟ ଅନୁସାରେ ବାଂଲାଦେଶର ମ୍ୟାଚ୍ ପାଇଁ ସ୍ଥାନ ପରିବର୍ତ୍ତନକୁ ଇସାରା କରୁଛି । ତଥାପି, ଏହା ବାଂଲାଦେଶ କ୍ରିକେଟ୍ ବୋର୍ଡର ଦାବି ଯୋଗୁଁ ହୋଇଛି କି ନାହିଁ ତାହା କହିବା କଷ୍ଟକର, କାରଣ ରିପୋର୍ଟଗୁଡ଼ିକ ସୂଚାଇ ଦେଉଛି ଯେ, ଏହା ବିସିସିଆଇର ନିଷ୍ପତ୍ତି ।

​​​​​​​ବାଂଲାଦେଶର ବର୍ତ୍ତମାନର T20 ବିଶ୍ୱକପ୍ କାର୍ଯ୍ୟସୂଚୀ- ବାଂଲାଦେଶ ଫେବୃଆରୀ ୭ ତାରିଖରେ ୨୦୨୬ ଟି-୨୦ ବିଶ୍ୱକପରେ ତା’ର ଅଭିଯାନ ଆରମ୍ଭ କରିବ  । କାର୍ଯ୍ୟସୂଚୀ ଅନୁଯାୟୀ, କୋଲକାତାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ  । ଏହା ପରେ, ଏହା ଫେବୃଆରୀ ୯ ତାରିଖରେ ଇଟାଲୀ ଏବଂ ଫେବୃଆରୀ ୧୪ ତାରିଖରେ ଇଂଲଣ୍ଡ ସହିତ ମୁକାବିଲା କରିବ । ଏହି ଦୁଇଟି ମ୍ୟାଚ୍ ମଧ୍ୟ କୋଲକାତାରେ ହେବ । ଫେବୃଆରୀ ୧୭ ତାରିଖରେ ମୁମ୍ବାଇରେ ନେପାଳ ବିପକ୍ଷରେ ତା’ର ଶେଷ ଲିଗ୍ ମ୍ୟାଚ୍ ଖେଳିବ।​​​​​​​