ନୂଆଦିଲ୍ଲୀ, ୨୦/୨ : ଲିଗ ପର୍ଯ୍ୟାୟରେ କମାଲ କରିଥିବା ଟିମ ଇଣ୍ଡିଆ ପାଇଁ ଏବେ ମହାପରୀକ୍ଷା । ପ୍ରତି ମ୍ୟାଚ ହେବ କର ବା ମର ସ୍ଥିତି । ଅପରାଜେୟ ରହିଥିବା ସୂର୍ଯ୍ୟବାହିନୀ ସୁପର-୮ ମୁକାବିଲାରେ କରିବ କଣ ? ୧୭ ବର୍ଷ ପରେ ପୁଣି ଭାରତ ପାଇଁ ପାଲଟିବାକୁ ଯାଉଛି ବଡ଼ ସଙ୍କଟ । ଯଦି ବି ଗୋଟିଏ ମ୍ୟାଚ୍ ହାତଛଡ଼ା କରୁଛି ତାହେଲେ ସେମିଫାଇନାଲ ରାସ୍ତାରେ ଉପୁଜିବ ବାଧା ।

ସୁପର-୮ ର ଗୋଟିଏ ଗ୍ରୁପରେ ଭାରତ ସହ ରହିଛନ୍ତି ଦକ୍ଷିଣ ଆଫ୍ରିକା ଏବଂ ଓ୍ବେଷ୍ଟଇଣ୍ଡିଜ୍ । ଯାହାକି ୨୦୦୯ ଟି-୨୦ ବିଶ୍ବକପ ସମୟରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ଭାରତ ଦକ୍ଷିଣଆଫ୍ରିକା, ଓ୍ବେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡକୁ ଭେଟିଥିଲା । ଆଉ ଦୁର୍ଭାଗ୍ୟବଶତଃ ଭାରତ ସମସ୍ତ ତିନୋଟିଯାକ ମ୍ୟାଚ ହାରିଥିଲା । ଆଉ ଏବେ ଦକ୍ଷିଣ ଆଫ୍ରିକା ଏବଂ ଓ୍ବେଷ୍ଟଇଣ୍ଡିଜ୍ ସହ ଗୋଟିଏ ଗ୍ରୁପରେ ସୁପର-୮ ମୁକାବିଲା ଲଢ଼ିବାକୁ ଯାଉଛି ଭାରତ । ଏଣୁ ଭାରତ କିଭଳି ପ୍ରଦର୍ଶନ କରି ଆଗକୁ ବଢ଼ିବ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ସେପଟେ ଭାରତ ସହ ଗ୍ରୁପ-୧ ରେ ରହିଛି ଜିମ୍ବାଓ୍ବେ ।

ଯାହାକୁ ଏତେ ସହଜ ଭାବିବା ଭୁଲ୍ ହୋଇଯାଇଛି । କାରଣ ଲିଗ୍ ପର୍ଯ୍ୟାୟରେ ଜିମ୍ବାଓ୍ବେ ଯେଭଳି ପ୍ରଦର୍ଶନ କରିଛି ଏବେ ଏହି ଦଳ ଟାଇଟଲର ହକଦାର ହୋଇପାରେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ପ୍ରକାଶ କଲେଣି । ଲିଗ୍ ପର୍ଯ୍ୟାୟରେ ଶକ୍ତିଶାଳି ଅଷ୍ଟେ୍ରଲିଆ ଏବଂ ଶ୍ରୀଲଙ୍କା ଭଳି ଟିମକୁ ହରାଇ ସୁପର-୮ରେ ଅପରାଜେୟ ଭାବେ ନିଜର ସ୍ଥାନ ପକ୍କା କରିପାରିଛି ଜିମ୍ବାଓ୍ବେ । ଦଳର ଖେଳାଳିମାନେ ଏବେ ଦମଦାର ଫର୍ମରେ ରହିଥିବାବେଳେ ଭାରତ ପାଇଁ ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିବେ । ଭାରତ ପାଇଁ ଏବେ ପ୍ରତ୍ୟେକ ମ୍ୟାଚ ଗୁରୁତ୍ବପୂର୍ଣ୍ଣ ରହିଛି । ଅହମ୍ମଦାବାଦରେ ଭାରତ ନିଜର ପ୍ରଥମ ମ୍ୟାଚରେ ଦକ୍ଷିଣଆଫ୍ରିକାକୁ ଭେଟିବାକୁ ଯାଉଛି ।

​​​​​​​

ପ୍ରଥମ ମ୍ୟାଚରୁ ଭାରତ ପାଇଁ କଡ଼ା ଟକ୍କରର ସାମ୍ନା କରିବାକୁ ପଡ଼ିବ । ଟିମ୍ ଇଣ୍ଡିଆର ଓପନିଂ ଯୋଡ଼ି ଲଗାତାର ଭାବରେ ଫ୍ଲପ୍ ହେଉଛନ୍ତି । ଟି-୨୦ କ୍ରିକେଟରେ ନମ୍ବର ଓ୍ବାନ ବ୍ୟାଟ୍ସମ୍ୟାନ ଭାବେ ଜଣାଶୁଣା ଅଭିଶେକ ଶର୍ମା ୩ଟି ମ୍ୟାଚ ଖେଳିଥିଲେ ସୁଦ୍ଧା ଏଯାବତ ଖାତା ଖେଳିପାରିନାହାନ୍ତି । ସେ ୩ ମ୍ୟାଚରେ ୮ ବଲରୁ ସାମ୍ନା କରିଛନ୍ତି କିନ୍ତୁ ଲଜ୍ଜାଜନକ ଭାବେ ସମସ୍ତ ମ୍ୟାଚରେ ଜିରୋରେ ଆଉଟ୍ ହୋଇଛନ୍ତି । ସେପଟେ ଗୋଯିଏ ମ୍ୟାଚରେ ସୁଯୋଗ ମିଳିଥିବା ସଞ୍ଜୁ ସାମସନ ଆରମ୍ଭରୁ ବଡ଼ ସଟ୍ ଖେଳିଥିଲେ ମାତ୍ର ବଡ଼ ପାଳିରେ ଏହାକୁ ପରିଣତ କରିପାରିନଥିଲେ । ମାତ୍ର ଇଶାନ କିଷନ ଏବଂ ଶିଭମ ଦୁବେଙ୍କ ସହ ବାକି ଖେଳାଳି ଏବେ ଭଲ ଫର୍ମରେ ରହିଛନ୍ତି । ଭାରତୀୟ ବୋଲରମାନେ ମଧ୍ୟ ବିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରୁଛନ୍ତି । ଏଣୁ ଭାରତ ସୁପର-୮ରେ ସୁପର ଶୋ’ ଦେଖାଇବ ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି ।

ଏହାସହ ପଢ଼ନ୍ତୁ : ଭାରତ-ପାକିସ୍ତାନ ‘ନୋ ହ୍ୟାଣ୍ଡସେକ୍’ : ଆଗାମୀ ମ୍ୟାଚ୍ ପୂର୍ବରୁ ପୂର୍ବତନ କ୍ରିକେଟରଙ୍କ ବଡ଼ ବୟାନ