ନୂଆଦିଲ୍ଲୀ,୧୨/୦୨: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ଦ୍ୱିତୀୟ ମ୍ୟାଚ ଖେଳିବ । ଗ୍ରୁପ୍ ଏ’ର ଅନ୍ୟତମ ଦୁର୍ବଳ ଦଳ ନାମିବିୟା ବିପକ୍ଷରେ ବିଜୟ ଜାରି ରଖି ଭାରତ ପଏଣ୍ଟ ତାଲିକାର ଶୀର୍ଷକୁ ଫେରିବାକୁ ପ୍ରୟାସ କରିବ । ନାମିବିୟା ଦଳକୁ ପ୍ରସ୍ତୁତି ପାଇଁ ସମୟ ମିଳି ନାହିଁ । ଦିନକ ତଳେ ନେଦରଲାଣ୍ଡ୍ସ ଠାରୁ ପରାଜିତ ହୋଇଥିବା ନାମିବିୟା ଶକ୍ତିଶାଳୀ ଭାରତ ବିପକ୍ଷରେ ନୂଆ ଅଭିଜ୍ଞତା ଅର୍ଜନ କରିବାକୁ ଲକ୍ଷ୍ୟ ରଖିବ ।
ଡିଫେଣ୍ଡିଂ ଚାମ୍ପିଅନ ଭାରତକୁ ତା’ ଘରୋଇ ଗ୍ରାଉଣ୍ଡ୍ରେ ହରାଇବା କଷ୍ଟକର । ନାମିବିୟା ଭଳି ଅନଭିଜ୍ଞ ଦଳ ବିପର୍ଯ୍ୟୟ ଘଟାଇବାର ସମ୍ଭାବନା ନାହିଁ । ତଥାପି ଲଢୁଆ ଖେଳ ପ୍ରଦର୍ଶନ କରି ମ୍ୟାଚର ରୋମାଞ୍ଚ ବଢାଇବା ଆଶା କରାଯାଇପାରେ । ୟୁଏସଏ ଦଳ ପ୍ରଥମ ମ୍ୟାଚରେ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲା । ଉକ୍ତ ମ୍ୟାଚରେ ଭାରତ ବିଜୟ ହାସଲ କରିଥିଲେ ହେଁ ଦୁର୍ବଳ ଦଳକୁ ହାଲକା ଭାବେ ଗ୍ରହଣ କରିବା ଭାରି ପଡ଼ିବ ବୋଲି ଉବଲବ୍ଧି କରି ସାରିଛି ।
ଆଜି ଅଭିଷେକ ଶର୍ମା ଖେଳିବା ନେଇ ଆଶଙ୍କା ରହିଛି । ସେ ଗତ ୟୁଏସଏ ବିପକ୍ଷ ମ୍ୟାଚ ବେଳେ ମଧ୍ୟ ଅସୁସ୍ଥ ଥିଲେ । ସେ ଦ୍ୱିତୀୟ ଭାଗରେ ଫିଲ୍ଡିଂ କରିବାକୁ ଓହ୍ଲାଇ ନଥିଲେ । ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା । ପେଟ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବଶ୍ୟ ସେ ବୁଧବାର ଅପରାହ୍ଣରେ ଡାକ୍ତରଖାନାରୁ ବାହାରିଛନ୍ତି । ଆଜି ଅଭିଷେକ ଖେଳି ନପାରିଲେ ତାଙ୍କ ସ୍ଥାନରେ ସଞ୍ଜୁ ସାମସନ ଏକାଦଶକୁ ଫେରିବେ । ସେ ଓ ଇଶାନ କିଷନ ପାଳି ଅରମ୍ଭ କରିବେ ।
ଆହୁରି ପଢ଼ନ୍ତୁ : ହସ୍ପିଟାଲରୁ ଡିସଚାର୍ଜ ହେଲେ ଅଭିଶେକ ଶର୍ମା
ୟୁଏସଏ ବିପକ୍ଷ ମ୍ୟାଚ ଖେଳି ନଥିବା ଯଶପ୍ରୀତ ବୁମରା ସମ୍ପୂର୍ଣ୍ଣ ଫିଟ୍ ହୋଇ ଅଭ୍ୟାସ ଜାରି ରଖିଛନ୍ତି । ସେ ଆସନ୍ତା କାଲି ଖେଳିବା ନିଶ୍ଚିତ ରହିଛି । ଗତ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଦିନିକିଆ ସିରିଜରେ ଆହତ ହୋଇଥିବା ୱାସିଂଟନ ସୁନ୍ଦର ମଧ୍ୟ ଫିଟ୍ ହୋଇ ଦଳରେ ଯୋଗ ଦେଇଛନ୍ତି । ସୁନ୍ଦରଙ୍କୁ ଏକାଦଶରେ ସ୍ଥାନ ମିଳିବା ସମ୍ଭାବନା ନାହିଁ । ଅରୁଣ ଜେଟଲୀ ଷ୍ଟାଡ଼ିୟମ୍ର ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କାକର ପଡ଼ିଲେ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଏକାଦଶ
ଭାରତୀୟ: ସଞ୍ଜୁ ସାମସନ, ଇଶାନ କିଷନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ((ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ଶିଭମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ ।
ନାମିବିୟା : ଲୌରେନ ଷ୍ଟିନକାମ୍ପ, ଜାନ ଫ୍ରାଇଲିଙ୍କ, ଜାନ ନିକୋଲ ଲଫ୍ଟି-ଇଟନ, ଗେରହାର୍ଡ ଏରାସମସ(ଅଧିନାୟକ), ଜେଜେ ସ୍ମିଟ୍, ଜେନ ଗ୍ରୀନ, ଡାଏଲାନ ଲିଚର, ୱିଲିୟମ ମାଇବର୍ଗ, ରୁବେନ ଟ୍ରମ୍ପେଲମାନ, ବର୍ଣ୍ଣାଡ ସ୍କଲ୍ଜ, ବେନ ସିକୋଙ୍ଗେ