ନୂଆଦିଲ୍ଲୀ : ଦିଲ୍ଲୀରେ ପଲ୍ୟୁସନ ହେଲଥ୍ ଏମର୍ଜେନ୍ସି ଭଳି ସ୍ଥିତି ସୃଷ୍ଟି କରିଛି। ଏହା ଆମେ ନୁହେଁ , ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଅର୍ଥାତ୍ ଏମ୍ସର ଡାକ୍ତର କହିଛନ୍ତି। ଦିଲ୍ଲୀରେ ଗତ କିଛି ଦିନରୁ ପ୍ରଦୂଷଣର ସନ୍ଦର୍ଭରେ ଏମ୍ସର ପଲମୋନରୀ ମେଡିସିନର ବିଭାଗ ଅଧ୍ୟକ୍ଷ ଡାକ୍ତର ଅନନ୍ତ ମୋହନ କହିଛନ୍ତି, ରାଜଧାନୀରେ ହେଲଥ୍ ଏମର୍ଜେନ୍ସି ଭଳି ସ୍ଥିତି ରହିଛି। ସୁସ୍ଥ ଲୋକେ ମଧ୍ୟ ରୋଗାଗ୍ରସ୍ତ ହେଉଛନ୍ତି, ଏଥିପାଇଁ ପ୍ରଦୂଷଣ ହ୍ରାସ କରିବା ପାଇଁ ଉପଯୋଗୀ ପଦକ୍ଷେପ ନେବାକୁ ପଡ଼ିବ।
ଡାକ୍ତର ଅନନ୍ତ ମୋହନ କହିଛନ୍ତି ଯେ, ଯେବେସୁଦ୍ଧା ସବୁ ହେଲଥ୍ ଏମର୍ଜେନ୍ସି ମାଗିବେ ନାହିଁ , ସେପର୍ଯ୍ୟନ୍ତ ଏଠାରେ ଏହି ସମସ୍ୟା ଦୂର ହେବ ନାହିଁ। ଲୋକେ ଅସୁସ୍ଥ ହେବା ଲାଗି ରହିବ। ଏମ୍ସର ଡାକ୍ତରଙ୍କ କହିବାନୁସାରେ,ଗତ ଦୁଇ-ତିନି ସପ୍ତାହରୁ ଶ୍ୱାସରୋଗୀ ୩୦-୪୦ ପ୍ରତିଶତ ବଢିଛନ୍ତି। ପ୍ରଦୂଷଣ ଶରୀରରର ପ୍ରତି ପାର୍ଟକୁ ପ୍ରଭାବିତ କରିଥାଏ। ଶ୍ୱାସରୋଗୀଙ୍କ ବ୍ୟତୀତ ବ୍ଲଡ୍ ପ୍ରେସର , ହାର୍ଟଆଟାକ୍ , ଷ୍ଟ୍ରୋକ୍ ଓ ମାନସିକ ରୋଗୀ ମଧ୍ୟ ସାମିଲ ଅଛନ୍ତି। ଗର୍ଭବତୀ ମହିଳାଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ।
ଡାକ୍ତର ଅନନ୍ତ ମୋହନ କହିଛନ୍ତି ଯେ, ଗରମରେ ମଧ୍ୟ ବାୟୁର ଗୁଣବତ୍ତା ଭଲ ରହେ ନାହିଁ। ସରକାରୀ ଏଜେନ୍ସି ଗୁଡ଼ିକ ପକ୍ଷରୁ ପ୍ରଦୂଷଣ ହ୍ରାସ କରିବା ପାଇଁ ଉଠାଯାଉ ଥିବା ପଦକ୍ଷେପ ପ୍ରଭାବୀ ନୁହେଁ। ସୁରକ୍ଷା ପାଇଁ ଏନ-୯୫ ମାସ୍କ ପିନ୍ଧିବା ଜରୁରୀ। ଦିଲ୍ଲୀରେ ଖୋଲା ସ୍ଥାନ ନାହିଁ। ଧୂଳି ଓ ଧୂଆଁ ବାହାରିବାକୁ ସ୍ଥାନ ନାହିଁ।
ଏହା ବ୍ୟତୀତ ସୁପ୍ରିମକୋର୍ଟ ସୋମବାର ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ଦୀର୍ଘକାଳୀନ ସମାଧାନର ସମର୍ଥନ କରି , ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ (GRAP) ଅନୁସାରେ ପ୍ରତିବନ୍ଧିତ ସବୁ କାର୍ଯ୍ୟକଳାପ ଉପରେ ବର୍ଷ ସାରା ପ୍ରତିବନ୍ଧ ଲଗାଇବାକୁ ମନା କରିଦେଇଛନ୍ତି। ସୁପ୍ରିମ୍କୋର୍ଟ ପଞ୍ଜାବ ଓ ହରିଆଣା ସରକାରଙ୍କୁ ଦୁଇ ରାଜ୍ୟରେ ନଡ଼ା ଜଳାଇବା ମାମଲାରେ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ (ସିଏକ୍ୟୁଏମ)ର ନିର୍ଦ୍ଦେଶର ଦୃଢଭାବେ ପାଳନ କରିବାକୁ କହିଛନ୍ତି।