ନୂଆଦିଲ୍ଲୀ,୨୨।୯: ଆଫଗାନିସ୍ତାନର ଶାସନ ଭାର ଗ୍ରହଣ କରିବା ଦିନରୁ ତାଲିବାନର ପ୍ରତିଦିନ ନୂଆ ନୂଆ ନିୟମ ଆରମ୍ଭ ହୋଇଛି । ବିଶେଷ ଭାବରେ ଏହାକୁ ନେଇ ମହିଳାମାନଙ୍କ ଚିନ୍ତା ବଢିଯାଇଛି। ଝିଅମାନଙ୍କ ଉଚ୍ଚଶିକ୍ଷା ଉପରେ କଟକଣା ଲଗାଇଛି ତାଲିବାନ ସରକାର। ବ୍ରିଟିଶ ଖବରକାଗଜ ‘ଦି ଗାର୍ଡିଆନ’ ଏବଂ ’ଜାନ ଟାଇମ୍ସ’ର ଏକ ଯାଞ୍ଚରୁ ଜଣାପଡିଛି ଯେ, ତାଲିବାନ ସରକାର ଯୋଜନାବଦ୍ଧ ଭାବରେ ଝିଅ ଏବଂ ମହିଳାଙ୍କୁ ସ୍କୁଲରୁ ବାହାର କରୁଛନ୍ତି, ସେମାନଙ୍କୁ କେବଳ ଇସଲାମ ପଢ଼ିବାକୁ ବାଧ୍ୟ କରୁଛନ୍ତି ଏବଂ ମଦ୍ରାସା ଏବେ ସେମାନଙ୍କର ଏକମାତ୍ର ବିକଳ୍ପ।
ଚାରି ବର୍ଷ ପୂର୍ବେ, ତାଲିବାନ ମହିଳା ଏବଂ ଝିଅମାନଙ୍କୁ ମାଧ୍ୟମିକ ଏବଂ ଉଚ୍ଚ ଶିକ୍ଷାରୁ ବାଦ୍ ଦେଇଥିଲା। ଏବେ ସାରା ଦେଶରେ ମଦ୍ରାସାର ଏକ ବିଶାଳ ନେଟୱାର୍କ ତିଆରି ହୋଇଛି। ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଶେଷ ସୁଦ୍ଧା ଆଫଗାନିସ୍ତାନରେ ୨୧ ହଜାରରୁ ଅଧିକ ମଦ୍ରାସା ଥିଲା। କେବଳ ସେପ୍ଟେମ୍ବର ୨୦୨୪ ରୁ ଫେବୃଆରୀ ୨୦୨୫ ମଧ୍ୟରେ, ତାଲିବାନ ୧୧ ଟି ରାଜ୍ୟରେ ପ୍ରାୟ ୫୦ ଟି ନୂତନ ମଦ୍ରାସା ସ୍ଥାପନ କରିଥିଲା। ଏହି ମଦ୍ରାସାଗୁଡ଼ିକ ମସଜିଦ କିମ୍ବା ଧର୍ମଗୁରୁଙ୍କ ଘରେ ରହିଛି। ଏହା ବଦଳରେ ତାଲିବାନର ଶିକ୍ଷା ମନ୍ତ୍ରଣାଳୟ ସେମାନଙ୍କୁ ଦରମା ଦେଇଥାଏ। କର୍ମଚାରୀ ଅଭାବକୁ ଦୂର କରିବା ପାଇଁ, ମନ୍ତ୍ରଣାଳୟ ୨୧,୩୦୦ ପୂର୍ବତନ ମଦ୍ରାସା ଛାତ୍ରଙ୍କୁ ଶିକ୍ଷା ପ୍ରମାଣପତ୍ର ପ୍ରଦାନ କରିଥିଲା, ଯାହାଫଳରେ ସେମାନେ ହାଇସ୍କୁଲରୁ ନେଇ ବିଶ୍ୱବିଦ୍ୟାଳୟ ସ୍ତରରେ ପାଠ ପଢାଇ ପାରିବେ।
ଆଫଗାନିସ୍ତାନର ଯେଉଁ ପରିବାର ନିଜ ଝିଅଙ୍କୁ ପ୍ରାଥମିକ ଶିକ୍ଷା ପରେ ପଢାଇବାକୁ ଚାହାଁନ୍ତି,ତାଙ୍କ ପାଖରେ ମାଧ୍ୟମିକ ଶିକ୍ଷା ବନ୍ଦ ହେବା ପରେ କିଛି ବିକଳ୍ପ ନାହିଁ। ସ୍ଥାନୀୟ ଧର୍ମଗୁରୁମାନେ ପ୍ରାୟତଃ ପରିବାରଗୁଡ଼ିକୁ ଆର୍ଥିକ ସହାୟତାର ପ୍ରଲୋଭନ ଦେଖାଇ ବିଶେଷକରି ମଦ୍ରାସାରେ ପଠାଇବାକୁ ଚାପ ପକାଉଛନ୍ତି। ମୌଲବୀଙ୍କ ଚାପ ଯୋଗୁଁ ଆଫଗାନିସ୍ତାନରେ ସାମାଜିକ ଚଳଣି ପରିବର୍ତ୍ତନ ହେଉଛି। ଧର୍ମଗୁରୁ କିମ୍ବା ମଦ୍ରାସାକୁ ବିରୋଧ କରୁଥିବା ପରିବାରଗୁଡ଼ିକୁ ବାସନ୍ଦ କରାଯାଉଛି। କେତେକ ସମୟରେ ସେମାନଙ୍କୁ ଅନାହାରର ସାମନା କରିବାକୁ ପଡୁଛି। ଯେଉଁ ପରିବାରଗୁଡ଼ିକ ସେମାନଙ୍କ ଝିଅମାନଙ୍କୁ ମଦ୍ରାସାରେ ପଢାଇବାକୁ ରାଜି ହୁଅନ୍ତି, ତାଙ୍କ ଝିଅମାନେ ଘରକୁ ଫେରି ତାଙ୍କ ବାପା-ମା’ଙ୍କୁ କାଫିର ବୋଲି କୁହନ୍ତି। ଏପରିକି ଆଫଗାନିସ୍ତାନରେ କେବଳ ସେହି ପରିବାରଗୁଡ଼ିକୁ ଚାକିରି ଦିଆଯାଉଛି ଯେଉଁମାନଙ୍କର ଝିଅମାନେ ମଦ୍ରାସାରେ ପଢ଼ନ୍ତି।