ନୂଆଦିଲ୍ଲୀ: ବାଗରାମ ବାୟୁସେନା ଘାଟି ପୁନଃ କବଜା କରିବା ପାଇଁ ଆମେରିକାର ଧମକକୁ ପ୍ରତ୍ୟାଖ୍ୟାନ କରିଛି ତାଲିବାନ । ପୁଣି ଥରେ ବିଦେଶୀ ସାମରିକ ଉପସ୍ଥିତିକୁ ଦୃଢ଼ ବିରୋଧ କରାଯିବ ବୋଲି କହିଛି। ଜେନେରାଲ୍ ଡାଇରେକ୍ଟୋରେଟ୍ ଅଫ୍ ଇଣ୍ଟେଲିଜେନ୍ସର ପ୍ରଥମ ଡେପୁଟି ମୁଲ୍ଲା ତାଜମିର ଜାୱାଦ ରଣନୈତିକ ବାୟୁସେନା ଘାଟି ପୁନଃ କବଜା କରିବା ପାଇଁ ଆମେରିକାର ଘୋଷଣା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଆଫଗାନ ସରକାର ବ୍ୟବସ୍ଥା ବଜାୟ ରଖିବେ। ଆଫଗାନ ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ୟାକୁବ ମୁଜାହିଦ ଗଣମାଧ୍ୟମକୁ କହିଛନ୍ତି, ‘ଆମର ଉତ୍ତର ହେଉଛି, ଯଦି ଆପଣ ବାୟୁସେନା ଘାଟି ଛାଡି ନଯାଆନ୍ତି ତେବେ ଆମେ ଆଗାମୀ ୨୦ ବର୍ଷ ପାଇଁ ଆପଣଙ୍କ ସହିତ ଯୁଦ୍ଧ କରିବାକୁ ପ୍ରସ୍ତୁତ।’

ନ୍ୟୁଜ୍ ଏଜେନ୍ସି ଜିନହୁଆ ଅନୁଯାୟୀ, ଆଫଗାନ ବୈଦେଶିକ ମନ୍ତ୍ରଣାଳୟର ରାଜନୈତିକ ନିର୍ଦ୍ଦେଶକ ଜାକିର ଜଲାଲି କହିଛନ୍ତି ଯେ, ଆଫଗାନମାନେ ସେମାନଙ୍କ ଅଞ୍ଚଳରେ ବିଦେଶୀ ସୈନ୍ୟଙ୍କୁ କେବେ ଗ୍ରହଣ କରିନାହାନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ୱାଶିଂଟନ ସହିତ କୌଣସି ଆଲୋଚନାରେ ବାଗରାମ ଏୟାର ବେସକୁ ସାମିଲ କରାଯିବା ଉଚିତ୍ ନୁହେଁ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର (ଆମେରିକା ସମୟ) ଆଫଗାନିସ୍ତାନକୁ ବାଗରାମ ଏୟାର ବେସ ଆମେରିକାକୁ ଫେରାଇବା ପାଇଁ କଡ଼ା ଚେତାବନୀ ଦେବା ପରେ ଏହି ପ୍ରତିକ୍ରିୟା ଆସିଛି।

ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରିଥିଲେ, ଯଦି ଆଫଗାନିସ୍ତାନ ବାଗରାମ ଏୟାର ବେସକୁ ଆମେରିକାକୁ ଫେରାଇ ନଦିଏ, ତେବେ ଖରାପ ଘଟଣା ଘଟିବ । ପୂର୍ବରୁ ଟ୍ରମ୍ପ କହିଥିଲେ, ଏହି ଏୟାର ବେସ୍‌ ଉପରେ ନିୟନ୍ତ୍ରଣ ଆଣିବାକୁ ୱାଶିଂଟନ ଚେଷ୍ଟା ଜାରି ରଖିଛି । ସେପ୍ଟେମ୍ବର ୧୧, ୨୦୦୧ ଆକ୍ରମଣ ପରେ ଆମେରିକୀୟ ସେନା ପାଇଁ ଏକ ପ୍ରମୁଖ ଅପରେସନ୍ ହବ୍ ଥିଲା ଆଫଗାନିସ୍ତାନର ଏହି ଏୟାର ବେସ୍ ।