ନୂଆଦିଲ୍ଲୀ,୧୮/୦୩: ଆଫଗାନିସ୍ତାନର ରାଜଧାନୀ କାବୁଲ ଉପରେ ପାକିସ୍ତାନର ଆତ୍ମଘାତୀ ହମଲା କରିଛି । ଏକ ହସ୍ପିଟାଲ ଉପରେ ଏୟାରଷ୍ଟ୍ରାଇକ୍ କରି ନରସଂହାର କରିଛି । ଏଥିରେ ୪୦୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫୦ରୁ ଅଧିକ ଆହତ ହୋଇଛନ୍ତି । ଏହି ଛାତିଥରା ଘଟଣାକୁ ନେଇ ଭାବବିହ୍ୱଳ ହୋଇଛନ୍ତି ଆଫଗାନିସ୍ତାନର ଯୁବ କ୍ରିକେଟର ଅହ୍ଲା ଗଜନଫର । ପାକିସ୍ତାନର ହମଲାକୁ ନିନ୍ଦା କରିବା ସହ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ଆଫଗାନିସ୍ତାନ ସାଥିରେ ଛିଡ଼ା ହେବାକୁ ଅପିଲ୍ କରିଛନ୍ତି । ବିଶେଷ କରି ଭାରତ ସରକାରଙ୍କୁ ଅପିଲ୍ କରି ସାଥ୍ ଦେବାକୁ ସେ କହିଛନ୍ତି ।
ଆଫଗାନିସ୍ତାନ କ୍ରିକେଟ ଟିମର ଯୁବ ସ୍ପିନର ଅହ୍ଲା ଗଜନଫର ଏକ ସାକ୍ଷାତକାରରେ ପାକିସ୍ତାନର ଆତ୍ମଘାତୀ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି । ସେ କହିଛନ୍ତି, ଯେଉଁ ହସ୍ପିଟାଲରେ ହମଲା ହେଲେ ସେହି ହସ୍ପିଟାଲରୁ ବହୁତ ରୋଗୀ ସୁସ୍ଥ ହୋଇ ଫରେଛନ୍ତି । ଅନେକ ଲୋକଙ୍କୁ ହସ୍ପିଟାଲରୁ ସହଯୋଗ ମିଳିଛି । ସାଧାରଣତଃ ଏଠାକୁ ଆସୁଥିବା ରୋଗୀ ଗରିବ ଶ୍ରେଣୀର । ଘରୋଇ ହସ୍ପିଟାଲରେ ଚିକିତ୍ସା ହେବାକୁ ଟଙ୍କା ନଥିବାରୁ ଅଧିକାଂଶ ରୋଗୀ ଏହି ହସ୍ପିଟାଲକୁ ଆସିଥାନ୍ତି । ଏଭଳି ସ୍ଥାନକୁ ପାକିସ୍ତାନ ଟାର୍ଗେଟ୍ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଆଫଗାନିସ୍ତାନର ଯୁବ ସ୍ପିନର କହିଛନ୍ତି ।
ଯେଉଁ ସ୍ଥାନକୁ ପାକିସ୍ତାନ ଟାର୍ଗେଟ୍ କରିଛି, ସେ ସ୍ଥାନ ସାଧାରଣ ଗରିବ ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ମନ୍ଦିର । ପଡ଼ୋଶୀ ଦେଶର ଏହି କାପୁରୁଷ ଭଳି କାମକୁ ବରଦାସ୍ତ କରାଯିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, ମୋତେ ଜଣା ନାହିଁ ପାକିସ୍ତାନ ସେନା କ’ଣ ସାବ୍ୟସ୍ତ କରିବାକୁ ଚାହୁଁଛି । ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରିବା ଗ୍ରହଣୀୟ ନୁହେଁ, ଆଫଗାନିସ୍ତାନ ସରକାର ଏହାର ବଦଲା ନିଶ୍ଚିୟ ନେବ । ଗଜନଫର ଚେତାବନୀ ଦେଇ କହିଛନ୍ତି, ଆଫଗାନିସ୍ତାନର ଇତିହାସ ସମସ୍ତଙ୍କୁ ଜଣାଅଛି । ଯଦି ଇତିହାସ ଦୋହରାଯାଏ, ତେବେ ପାକିସ୍ତାନକୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ।
ଏହି ଘଟଣାକୁ ନେଇ ସେ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ସାଥ୍ ଦେବାକୁ କହିଛନ୍ତି । ଏଥିରେ ସେ ବିଶେଷ କରି ଭାରତ ନାଁ ନେଇଛନ୍ତି । ଗଜନଫର କହିଛନ୍ତି, ଭାରତ ଆମର ନିକଟତମ ବନ୍ଧୁ । ଉଭୟ ଦେଶ ମଧ୍ୟରେ ଘନିଷ୍ଠତା ବଢ଼ିବାରେ ଲାଗିଛି । ତେଣୁ ଭାରତ ସରକାର ଏହା ଉପରେ ନଜର ରଖିବା ଦରକାର, କାରଣ ଆଗକୁ ଏଭଳି ଘଟଣା ଯେମିତି ପୁଣି ଥରେ ନଘଟୁ । ସେପଟେ ପାକିସ୍ତାନର ଏହି ଘଟଣାକୁ ନେଇ ଆଫଗାନିସ୍ତାନର ପ୍ରିମିୟର ସ୍ପିନର ରସିଦ୍ ଖାନ୍ ମଧ୍ୟ ନିନ୍ଦା କରିଛନ୍ତ ।
ଅଧିକ ପଢନ୍ତୁ-କାବୁଲ ହସ୍ପିଟାଲ ଉପରେ ପାକିସ୍ତାନର ଆକ୍ରମଣକୁ ଭାରତର କଡା ନିନ୍ଦା,କହିଲା -ଏହା ବର୍ବର ଏବଂ ଅମାନବୀୟ କାର୍ଯ୍ୟ