ନୂଆଦିଲ୍ଲୀ: ତାମିଲନାଡୁରେ କ୍ଷମତା ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଆଜି (ବୁଧବାର) ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ବୈଠକ ସମୟରେ ମୁଖ୍ୟମନ୍ତ୍ରୀ ବିଜୟ କର୍ଣ୍ଣାଟକର ପ୍ରସ୍ତାବିତ ମେକେଡାଟୁ ଡ୍ୟାମ୍ ପ୍ରକଳ୍ପ ସମେତ ରାଜ୍ୟ ସାମ୍ନା କରୁଥିବା ଅନେକ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଗମ୍ଭୀର ଆଲୋଚନା କରିଛନ୍ତି ଏବଂ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାମିଲନାଡୁ, କେରଳ ଏବଂ ପୁଡୁଚେରୀର ସମ୍ମତି ବିନା କର୍ଣ୍ଣାଟକର ପ୍ରସ୍ତାବିତ ମେକେଡାଟୁ ଡ୍ୟାମ୍ ପ୍ରକଳ୍ପକୁ ଅନୁମୋଦନ ନ କରିବାକୁ ଅନୁରୋଧ କରିଛନ୍ତି। ଏହି ଅନୁରୋଧର କାରଣ ଭାବରେ ସେ ଏହି ତିନୋଟି ରାଜ୍ୟର ଚାଷୀଙ୍କ ମଧ୍ୟରେ ଉଠାଯାଇଥିବା ଚିନ୍ତାକୁ ଉଲ୍ଲେଖ କରିଛନ୍ତି ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ କହିଛନ୍ତି,"କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ମେକେଡାଟୁ ଡ୍ୟାମ୍ ପ୍ରକଳ୍ପ ପାଇଁ ଶିଳାନ୍ୟାସ ସମାରୋହ ଆୟୋଜନ କରିବାର ଘୋଷଣା କାବେରୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ର ଚୂଡ଼ାନ୍ତ ନିଷ୍ପତ୍ତି ଏବଂ ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ।" ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଛନ୍ତି ଯେ, ସେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ ଜଳ କମିଶନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଯେ ସେମାନେ ତାମିଲନାଡୁ, କେରଳ ଏବଂ ପୁଡୁଚେରୀର ସମ୍ମତି ବିନା କର୍ଣ୍ଣାଟକର ନଦୀବନ୍ଧ ପ୍ରକଳ୍ପକୁ ଅନୁମୋଦନ ନ ଦିଅନ୍ତୁ ।
ମୁଖ୍ୟମନ୍ତ୍ରୀ ବିଜୟ ତାମିଲ ଥାଇ ଭାଜଥୁ ବିଷୟରେ କ’ଣ କହିଛନ୍ତି ?
ଏହା ବ୍ୟତୀତ, ମୁଖ୍ୟମନ୍ତ୍ରୀ ବିଜୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଆରମ୍ଭରେ ତାମିଲନାଡୁର ରାଜ୍ୟ ଗୀତ "ତାମିଲ ଥାଇ ଭାଜଥୁ" ଗାନ କରାଯିବା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ସେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଠାରୁ ସ୍ପଷ୍ଟୀକରଣ ଦାବି କରିଥିଲେ ଯେ, ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟକ୍ରମ ଆରମ୍ଭରେ ତାମିଲ ଥାଇ ଭାଜଥୁ ଗାନ ଜାରି ରହିବା ଉଚିତ କି ନାହିଁ।
ସେ କହିଛନ୍ତି ଯେ ପାରମ୍ପରିକ ଭାବରେ ତାମିଲନାଡୁରେ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଆରମ୍ଭରେ ରାଜ୍ୟ ଗୀତ ଗାନ କରାଯାଇଥାଏ, କିନ୍ତୁ ଚଳିତ ବର୍ଷ ଜାନୁଆରୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଏବେ ଠାରୁ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଆରମ୍ଭରେ ଜାତୀୟ ଗୀତ "ବନ୍ଦେ ମାତରମ୍" ଏବଂ ତା'ପରେ ଜାତୀୟ ସଙ୍ଗୀତ "ଜନ ଗଣ ମନ" ଗାନ କରାଯିବ।
ଏହା ସହ ପଢନ୍ତୁ : ରାସନ ବ୍ୟବସ୍ଥାରେ ବଡ ପରିବର୍ତ୍ତନ ଆଣିଲେ କେନ୍ଦ୍ର ସରକାର, ଲାଭାନ୍ବିତ ହେବେ ଦେଶର ୮୦ କୋଟି ଖାଉଟି…