ଚେନ୍ନାଇ, ୪।୫: ତାମିଲ ସିନେମାର ସୁପରଷ୍ଟାର ଥଲପତି ବିଜୟ ଏବେ ରାଜନୀତିର 'ସୁପରଷ୍ଟାର' ଭାବେ ଉଭା ହୋଇଛନ୍ତି । ଅଭିନେତାରୁ ନେତା ବନିଥିବା ବିଜୟଙ୍କ ନୂତନ ଦଳ 'ତାମିଲଗା ଭେଟ୍ରି କାଝାଗମ୍' (TVK) ବିଧାନସଭା ନିର୍ବାଚନରେ ବହୁମତ ଆଡ଼କୁ ଅଗ୍ରସର ହେଉଛି । ତାମିଲନାଡ଼ୁ ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇ ବିଜୟ ଏବେ ମୁଖ୍ୟମନ୍ତ୍ରୀ ଗାଦି ଅଳଙ୍କୃତ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଐତିହାସିକ ସଫଳତା ପରେ ବିଜୟଙ୍କ ବାସଭବନରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।
ଘରେ ଉତ୍ସବ, ପରିବାରରେ ଖୁସିର ଲହର:
ସୋସିଆଲ ମିଡିଆରେ ବିଜୟଙ୍କ ଘର ଭିତରର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ବିଜୟଙ୍କ ବାପା ଏସ.ଏ. ଚନ୍ଦ୍ରଶେଖର, ମା’ ଶୋଭା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ବିଜୟଙ୍କ ସଫଳତାରେ ଖୁସିରେ ଆତ୍ମହରା ହୋଇ ନାଚୁଥିବାର ଦେଖାଯାଉଛନ୍ତି । ବିଜୟଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବଲିଉଡ ଅଭିନେତା ଟାଇଗର ଶ୍ରଫ୍ ମଧ୍ୟ ଏକ ଟୁଇଟ୍ କରିଛନ୍ତି । ସେ ଲେଖିଛନ୍ତି, "ବଧାଇ ହୋ ଥାଲପତି ବିଜୟ, ଆପଣଙ୍କ ଉପରେ ଲୋକଙ୍କର ଥିବା ବିଶ୍ୱାସ ଦେଖିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଆପଣଙ୍କ ଜୀବନର ଏହି ନୂତନ ଅଧ୍ୟାୟ ପାଇଁ ଅନେକ ଶୁଭକାମନା ।"
କିଏ ଏହି ଜ୍ୟୋତିଷ ରାଧନ ପଣ୍ଡିତ ?
ବିଜୟଙ୍କ ବିଜୟ ପରେ ଜଣେ ବିଶେଷ ବ୍ୟକ୍ତିଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ ହେଉଛନ୍ତି ଜ୍ୟୋତିଷାଚାର୍ଯ୍ୟ ରାଧନ ପଣ୍ଡିତ । ସେ ବିଜୟଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଫୁଲତୋଡ଼ା ଓ ଶାଲ୍ ଧରି ତାଙ୍କ ଘରେ ପହଞ୍ଚିଥିଲେ । ରାଧନ ପଣ୍ଡିତ ପୂର୍ବରୁ ଦାବି କରିଥିଲେ ଯେ ବିଜୟ ଏହି ନିର୍ବାଚନରେ ବଡ଼ ବିଜୟ ହାସଲ କରିବେ, ଯାହା ଏବେ ସତ ପ୍ରମାଣିତ ହୋଇଛି ।
ରାଧନ ପଣ୍ଡିତଙ୍କ ପରିଚୟ:
ଜ୍ୟୋତିଷ ଶାସ୍ତ୍ରରେ ରାଧନ ପଣ୍ଡିତଙ୍କର ୪୦ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ରହିଛି । ସେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କିମ୍ବଦନ୍ତୀ ନେତ୍ରୀ ଦିବଙ୍ଗତ ଜୟଲଳିତାଙ୍କର ସ୍ପିରିଚୁଆଲ ମେଣ୍ଟର ବା ଆଧ୍ୟାତ୍ମିକ ଗୁରୁ ରହିଥିଲେ । କେବଳ ବିଜୟ ବା ଜୟଲଳିତା ନୁହଁନ୍ତି, ଦେଶର ଅନେକ ପ୍ରଭାବଶାଳୀ ନେତା ତାଙ୍କ ପାଖରୁ ପରାମର୍ଶ ନେଇଥାନ୍ତି ।
ସତ ହେଲା ଭବିଷ୍ୟବାଣୀ:
ବିଜୟ ଯେତେବେଳେ ନିଜର ରାଜନୈତିକ ଦଳ ଘୋଷଣା କରିଥିଲେ, ସେତେବେଳେ ରାଧନ ପଣ୍ଡିତ ତାଙ୍କ କୁଣ୍ଡଳୀ ଗଣନା କରି ତାଙ୍କ ସଫଳତା ବିଷୟରେ ସଙ୍କେତ ଦେଇଥିଲେ । ବିଜୟଙ୍କ ପରିବାର ମଧ୍ୟ ବିଜୟ ପାଇଁ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏବେ ଯେତେବେଳେ ଫଳାଫଳ ସାମ୍ନାକୁ ଆସିଛି, ରାଧନ ପଣ୍ଡିତଙ୍କ ଗଣନାକୁ ନେଇ ସମସ୍ତେ ଚକିତ ହୋଇଛନ୍ତି । ତାମିଲନାଡ଼ୁ ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ ହେବାକୁ ଯାଉଛି । ସିନେମା ପରଦାରେ ଲୋକଙ୍କ ମନ ଜିଣିଥିବା ବିଜୟ ଏବେ ବାସ୍ତବ ଜୀବନରେ ଜନସେବା କରିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ।
ଆହୁରି ପଢ଼ନ୍ତୁ... Thalapathy Vijay Networth: ସୁପରଷ୍ଟାରରୁ ରାଜନେତା, 'ଥାଲାପତି' ବିଜୟଙ୍କ ପାଖରେ କେତେ କୋଟିର ସମ୍ପତ୍ତି ?