ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍‌ଙ୍କ ହିନ୍ଦୀ ଭାଷକୁ ବିରୋଧ କରୁଛନ୍ତି । ସ୍ଥିତି ଏଭଳି ହୋଇଛ ଯେ, ସେ ରାଜ୍ୟରେ ହିନ୍ଦୀ ଉପରେ ରୋକ ଲଗାଇବାକୁ ବିଧାନସଭାରେ ବିଲ୍‌ ଆଣିବାକୁ ଯାଉଛନ୍ତି । ରାଜ୍ୟରେ ହିନ୍ଦୀ ଉପରେ ରୋକ ଲାଗିବା ସହ ବଲିଉଡ୍‌ ଫିଲ୍ମ ମଧ୍ୟ ଚାଲିପାରିବ ନାହିଁ । ଏହି ବିଲ୍‌ରେ ହିନ୍ଦୀରେ ଲେଖାଥିବା କୌଣସି ହୋର୍ଡିଂ କିମ୍ବା ବ୍ୟାନର ଉପରେ ରୋକ ଲଗାଇବା ଲାଗି ମଧ୍ୟ ପ୍ରାବଧାନ ରହିବ ବୋଲି ଜଣାପଡ଼ିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସରକାର ସମଗ୍ର ତାମିଲନାଡୁରେ ହିନ୍ଦୀ ବିଲବୋର୍ଡ,  ଫିଲ୍ମ ଏବଂ ଗୀତକୁ ନିଷେଧ କରିବାକୁ ଚାହୁଁଛନ୍ତି।  ବିଲ୍ ଉପରେ ଆଲୋଚନା କରିବା ପାଇଁ ସରକାର ମଙ୍ଗଳବାର ରାତିରେ ଆଇନ ବିଶେଷଜ୍ଞଙ୍କ ସହିତ ଏକ ଜରୁରୀକାଳୀନ ବୈଠକ କରିଛନ୍ତି । ତାମିଲନାଡୁ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଅକ୍ଟୋବର ୧୪ ରେ ଆରମ୍ଭ ହୋଇଛି ଏବଂ ଅକ୍ଟୋବର ୧୭ ରେ ଶେଷ ହେବ। ଅତିରିକ୍ତ ବଜେଟ୍ ଆକଳନ ମଧ୍ୟ ଉପସ୍ଥାପନ କରାଯିବାର ଆଶା କରାଯାଉଛି। 

ତାମିଲନାଡୁର ଷ୍ଟାଲିନ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ରାଜ୍ୟରେ ହିନ୍ଦୀ ଭାଷା ବ୍ୟବହାରକୁ ନେଇ ଦୀର୍ଘ ଦିନ ଧରି ମତଭେଦ ରହିଛି। ଚଳିତ ବର୍ଷ ମାର୍ଚ୍ଚ ମାସରେ, ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଟଙ୍କା ପ୍ରତୀକ ‘₹’ କୁ ତାମିଲ ଅକ୍ଷର ‘ரூ’ (ତାମିଲ ଶବ୍ଦ ‘ରୁବାଇ’ ର ପ୍ରଥମ ଅକ୍ଷର, ଯାହା ତାମିଲରେ ଟଙ୍କାକୁ ପ୍ରତିନିଧିତ୍ୱ କରେ) ରେ ବଦଳାଇଥିଲେ । ସିଏମ୍ ଷ୍ଟାଲିନ୍ କେନ୍ଦ୍ର ସରକାରଙ୍କ ତ୍ରିଭାଷା ନୀତିକୁ ବିରୋଧ କରି ଆସୁଛନ୍ତି। ସେ ବାରମ୍ବାର ବିଜେପି ଉପରେ ରାଜ୍ୟବାସୀଙ୍କ ଉପରେ ହିନ୍ଦୀ ଲଦି ଦେଉଥିବାର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟର ଦୁଇଭାଷା ନୀତି (ତାମିଲ ଏବଂ ଇଂରାଜୀ) ଶିକ୍ଷା, ଦକ୍ଷତା ବିକାଶ ଏବଂ ନିଯୁକ୍ତିକୁ ଲାଭଦାୟକ କରିଛି। ତିନି ଭାଷା ନୀତି ହେଉଛି ଭାରତର ଏକ ଶିକ୍ଷା ନୀତି ଯାହା ଛାତ୍ରଛାତ୍ରୀମାନଙ୍କୁ ସ୍କୁଲରେ ତିନୋଟି ଭାଷା ଶିକ୍ଷା ଦେବା ଉପରେ ଗୁରୁତ୍ବ ଦିଏ । 

 ଏହି ନୀତି ପ୍ରଥମେ ୧୯୬୮ ମସିହାରେ କାର୍ଯ୍ୟକାରୀ ହୋଇଥିଲା। ଏହାକୁ ଜାତୀୟ ଶିକ୍ଷା ନୀତି (୧୯୬୮) ନାମରେ ନାମିତ କରାଯାଇଥିଲା।୨୦୨୦ ମସିହାରେ, ଏହାକୁ ସଂଶୋଧନ କରାଯାଇଥିଲା ଏବଂ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ନୂତନ ଶିକ୍ଷା ନୀତି (NEP 2020) ପ୍ରଣୟନ କରିଥିଲେ। ଏନଇପି ଅନୁଯାୟୀ, ଛାତ୍ରଛାତ୍ରୀମାନଙ୍କୁ ତିନୋଟି ଭାଷା ଶିଖିବାକୁ ପଡିବ । କିନ୍ତୁ କୌଣସି ଭାଷାକୁ ବାଧ୍ୟତାମୂଳକ କରାଯାଇ ନାହିଁ। ରାଜ୍ୟ ଏବଂ ବିଦ୍ୟାଳୟଗୁଡ଼ିକ କେଉଁ ତିନୋଟି ଭାଷା ପଢ଼ାଇବାକୁ ଚାହୁଁଛନ୍ତି ତାହା ନିଷ୍ପତ୍ତି ନେବାର ସ୍ୱାଧୀନତା ଅଛି । ପ୍ରାଥମିକ ଶ୍ରେଣୀରେ (ଶ୍ରେଣୀ ୧ ରୁ ୫) ମାତୃଭାଷା କିମ୍ବା ସ୍ଥାନୀୟ ଭାଷାରେ ପାଠପଢ଼ାକୁ ସୁପାରିଶ କରାଯାଇଛି। 

ମଧ୍ୟମ ଶ୍ରେଣୀରେ (ଶ୍ରେଣୀ ୬ ରୁ ୧୦) ତିନୋଟି ଭାଷା ପଢ଼ିବା ବାଧ୍ୟତାମୂଳକ। ହିନ୍ଦୀ ଭାଷା ନ ଥିବା ରାଜ୍ୟଗୁଡ଼ିକରେ, ଏହା ଇଂରାଜୀ କିମ୍ବା ଏକ ଆଧୁନିକ ଭାରତୀୟ ଭାଷା ହେବ। ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ, ଶିକ୍ଷାନୁଷ୍ଠାନ ଚାହିଁଲେ ଏକ ବିଦେଶୀ ଭାଷାକୁ ବିକଳ୍ପ ଭାବରେ ଗ୍ରହଣ କରିପାରିବେ । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଫେବୃଆରୀ ୨୭ ତାରିଖରେ କହିଥିଲେ ଯେ, ହିନ୍ଦୀକୁ ଜୋର ଜବରଦସ୍ତ ଲାଗୁ କରିବା ଫଳରେ ୧୦୦ ବର୍ଷ ମଧ୍ୟରେ ୨୫ଟି ଉତ୍ତର ଭାରତୀୟ ଭାଷା ଲୋପ ପାଇଛି । ଏକ୍ସରେ ପୋଷ୍ଟ କରି ଷ୍ଟାଲିନ କହିଥିଲେ, ‘ଅନ୍ୟ ରାଜ୍ୟର ମୋର ପ୍ରିୟ ଭଉଣୀ ଏବଂ ଭାଇମାନେ, ଆପଣ କେବେ ଭାବିଛନ୍ତି କି ହିନ୍ଦୀ କେତେ ଭାରତୀୟ ଭାଷାକୁ ଗିଳି ଦେଇଛି ?’