ନୂଆଦିଲ୍ଲୀ,୧୭/୦୨; ବାଂଲାଦେଶରେ ଆଜି ନୂଆ ସରକାରର ଶପଥ ଗ୍ରହଣ ସମାରୋହ । ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଅଧ୍ୟକ୍ଷ ତାରିକ ରହମାନ । ବାଂଲାଦେଶ ନିର୍ବାଚନରେ ବିଏନ୍ପି ବିପୁଳ ବିଜୟ ହାସଲ କରି ସରକାର ଗଠନ କରିବାକୁ ଯାଉଛି । ଦଳର ମୁଖ୍ୟ ତାରିକ ରହମାନ ଆଜି (ମଙ୍ଗଳବାର) ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ସମାରୋହରେ ଭାରତ, ପାକିସ୍ତାନ ଏବଂ ଚୀନ ସମେତ ୧୩ ଦେଶକୁ ସ୍ୱତନ୍ତ୍ର ନିମନ୍ତ୍ରଣ ରହିଛି । ଢାକାରେ ହେବାକୁ ଥିବା ଶପଥ ସମାରୋହରେ ଭାରତୁ ଲୋକସଭା ବାଚସ୍ପତି ଓମ ବିର୍ଲା ସାମିଲ ହେବେ । ତାରିକଙ୍କ ଶପଥ ପୂର୍ବରୁ ସୋମବାର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଇସ୍ତଫା ଦେଇଛନ୍ତି ।
ଛାତ୍ର ଆନ୍ଦୋଳନ ଯୋଗୁ ଗତ ୨୦୨୪ ଅଗଷ୍ଟରେ ଶେଖ ହସିନାଙ୍କ ସରକାରର ପତନ ଘଟିବା ପରେ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ହୋଇଥିଲା । ସେ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ । ଦେଶବାସୀଙ୍କୁ ତାଙ୍କର ଶେଷ ସମ୍ବୋଧନରେ ୟୁନୁସ କହିଛନ୍ତି ଅନ୍ତରୀଣ ସରକାର ଆଜି ଇସ୍ତଫା ଦେଇଛନ୍ତି । କିନ୍ତୁ ଗଣତନ୍ତ୍ର, ବାକ୍ ସ୍ୱାଧୀନତା ଓ ମୌଳିକ ଅଧିକାର ପାଇଁ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା ତାହା ବନ୍ଦ ହେବା ଉଚିତ ନୁହେଁ । ୮୫ ବର୍ଷୀୟ ଏହି ନୋବେଲ ପୁରସ୍କାର ବିଜେତା ନୂଆ ସରକାରଙ୍କୁ କ୍ଷମତା ହସ୍ତାନ୍ତର କରିଛନ୍ତି ।
ଏହା ବି ପଢନ୍ତୁ...ପାକିସ୍ତାନୀ ସୈନିକଙ୍କୁ ଅଟକ ରଖିଲା BLA , ବଲୋଚ କଏଦୀଙ୍କୁ ଛାଡ଼ିବା ପାଇଁ ସ୍ଥିର କଲା ଡେଡଲାଇନ୍
ରହମାନଙ୍କ ନେତୃତ୍ୱରେ ଆଜିଠୁ ଦେଶରେ ନୂଆ ସରକାର ଗଠନ ହେବ । ରହମାନଙ୍କ ମନ୍ତ୍ରିମଣ୍ଡଳରେ ଏଥର ୩୦-୪୦ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ବିଏନ୍ପିର ଦୁଇଜଣ ହିନ୍ଦୁ ନେତା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସେମାନେ ହେଲେ ଗୋୟେଶ୍ୱର ଚନ୍ଦ୍ର ରାୟ (ଢ଼ାକା-୩) ଏବଂ ତାଙ୍କ ସମୁଦି ନିତାଇ ରାୟ ଚୌଧୁରୀ (ମାଗୁର-୨) । ଗୋୟେଶ୍ୱରଙ୍କୁ ମନ୍ତ୍ରୀ ପଦ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ୭୪ ବର୍ଷୀୟ ଗୋୟେଶ୍ୱର ଖାଲେଦା ଜିଆଙ୍କ ନେତୃତ୍ୱାଧୀନ ବିଏନ୍ପି ସରକାରରେ ପୂର୍ବରୁ (୧୯୯୧-୯୬) ମନ୍ତ୍ରୀ ଥିଲେ । ସେ ୧୯୭୮ରୁ ବିଏନ୍ପି ସହ ଯୋଡିହୋଇଛନ୍ତି । ବର୍ତ୍ତମାନ ସେ ଦଳର ସ୍ଥାୟୀ କମିଟିର ସଦସ୍ୟ ମଧ୍ୟ ଅଛନ୍ତି । ସେପଟେ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରରେ ମନ୍ତ୍ରୀଙ୍କ ସମ୍ପତ୍ତି ବୃଦ୍ଧି ପାଇବା ଘଟଣାର ଯାଞ୍ଚ କରିବା ଲାଗି ରହମାନ ସରକାର କମିଟି ଗଠନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।