ଫିରିଙ୍ଗିଆ, ୨୬/୭:  ଫିରିଙ୍ଗିଆ ବ୍ଲକ ପକାରୀ ପଞ୍ଚାୟତର ଶ୍ରାମ୍ବୁଗୁଡା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି  ଅବ୍ୟବସ୍ଥା ଲାଗି ରହିଛି। ଅଧିକାଂଶ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ଆସୁନଥିବା ଅଭିଯୋଗ ହେଉଛି। ଶନିବାର ବିଦ୍ୟାଳୟକୁ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ଆସିନଥିବାରୁ ବିଦ୍ୟାଳୟରେ ତାଲା ପଡିଥିଲା। ଫଳରେ  ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ହୋଇ ନଥିଲା l ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସି ନ ଖାଇ ଫେରି ଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। 

ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ବ୍ୟବସ୍ଥା ରହିଛି। ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୫ ଜଣ ଛାତ୍ରଛାତ୍ରୀ ଅଛନ୍ତି l ଶନିବାର ସକାଳୁଆ ବିଦ୍ୟାଳୟ ଥିଲା। ସକାଳ ଠାରୁ ବିଦ୍ୟାଳୟ ଛୁଟି ଯାଏଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ ସ୍କୁଲ ଆସି ନଥିଲେ।   ବିଦ୍ୟାଳୟକୁ ଶିକ୍ଷକ ଶିକ୍ଷୟିତ୍ରୀ ନ ଆସିବାରୁ ବିଦ୍ୟାଳୟକୁ ଆସିଥିବା ଛାତ୍ର ଛାତ୍ରୀ ଫେରି ଯାଇଥିବା କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଏଥି ସହ ମଧ୍ୟାହ୍ନ ଭୋଜନ ରୋଷେଇ ହୋଇ ନଥିବାରୁ ଅଭିଭାବକ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ବିଦ୍ୟାଳୟରେ ଥିବା ପାଚିକା ସହାୟିକାଙ୍କୁ ପଚାରିବାରୁ ପ୍ରଧାନ ଶିକ୍ଷୟତ୍ରୀ ନ ଆସିବାରୁ ଓ ଛାତ୍ର ଛାତ୍ରୀ ଆସିନଥିବାରୁ ମଧ୍ୟାହ୍ନ ଭୋଜନ ରୋଷେଇ ହୋଇ ନ ଥିବା କହିଛନ୍ତି l ବିଦ୍ୟାଳୟର ସଭାପତି ଗୌରାଙ୍ଗ କହଁର ମଧ୍ୟ ବିଦ୍ୟାଳୟ କୁ ଶିକ୍ଷକ ଶିକ୍ଷୟତ୍ରୀ ଆସି ନଥିଲେ, ଯାହାଦ୍ୱାରା ମଧ୍ୟାହ୍ନ ଭୋଜନ ରୋଷେଇ ହୋଇ ନଥିବା କହିଛନ୍ତି। 

ଏହି ଘଟଣାକୁ ନେଇ ଦାୟିତ୍ୱରେ ଥିବା ସିଆରସି ଦିଲ୍ଲୀପ ବେହେରାଙ୍କୁ ଯୋଗାଯୋଗ କରିବାରୁ ବିଦ୍ୟାଳୟକୁ କୌଣସି ଶିକ୍ଷୟିତ୍ରୀ କିମ୍ବା ଶିକ୍ଷକ ଆସିନଥିବା ସ୍ୱୀକାର କରିବା ସହ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି l ଏହି ଘଟଣାକୁ ନେଇଁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଲୋକ ପ୍ରଧାନଙ୍କୁ ଯୋଗାଯୋଗ କରିଥିଲେ ବି ସେ ଫୋନ ଉଠାଇନଥିଲେ l  ବିଦ୍ୟାଳୟରେ ୨ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଥିବା ବେଳେ ବିଦ୍ୟାଳୟକୁ ଆସୁନଥିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।