ଭୁବନେଶ୍ୱର,୧୦/୦୩: ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉନାହାନ୍ତି । ଶିକ୍ଷକଙ୍କ ବହୁ ଦିନର ଦାବି ପୂରଣ  କରୁନାହାନ୍ତି । ବାରମ୍ବାର ପ୍ରତିଶ୍ରୁତି ଦେଉଛନ୍ତି । ହେଲେ କାର୍ଯ୍ୟକାରୀ କରୁନାହାନ୍ତି । ବରଂ ପ୍ରାଥମିକ ଶିକ୍ଷକଙ୍କ ଉପରେ କାର୍ଯ୍ୟଭାର ଲଦି ଚାଲୁଛନ୍ତି । ଆଉ ସହିବୁନି ।  ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରଖିବୁ । ଏପରି କ୍ଷୋଭ ପ୍ରକାଶ କରି ରବିବାର ବିଭିନ୍ନ ପ୍ରାଥମିକ  ଶିକ୍ଷକ ସଂଘ ଚେତାବନୀ ଦେଇଛନ୍ତି । 

ଆସନ୍ତା ୧୪ ତାରିଖରୁ  ଅହୋରାତ୍ର ଧାରଣା ଦେବେ ଶିକ୍ଷକ । ଆସନ୍ତା ୧୬ ତାରିଖରୁ ୩ ଦଫା ଦାବିରେ ଲୋୟର ପିଏମ୍‌ଜିରେ ମହାସମାବେଶ  ହେବ । ଲକ୍ଷାଧିକ ଶିକ୍ଷକ ଏକାଠି ହେବେ ବୋଲି ମହାସଂଘ  ପକ୍ଷରୁ କୁହାଯାଇଛି । ପାଠପଢ଼ାରେ ବାଧ୍ୟାପ୍ରାପ୍ତ ହେଲେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ମହାସଂଘ କହିଛି । ମହାସଂଘର କହିବା କଥା, ୨୦୧୦ ମସିହାରେ ଶିକ୍ଷା  ଅଧିକାର ଅଧିନିୟମ ଲାଗୁ ହୋଇଛି, ହେଲେ ଏହାକୁ  କାର୍ଯ୍ୟକାରୀ କରାଯାଉନି । ଶିକ୍ଷା ଅଧିକାର ଆଇନ ଅନୁଯାୟୀ  ଭିତ୍ତିଭୂମିର ବିକାଶ ହେଉନି । ଅନ୍ୟପଟେ ନିୟମିତ ଶିକ୍ଷକ  ନିଯୁକ୍ତ ନକରି ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି କରାଯାଉଛି ।  

ଆନ୍ଦୋଳନ ପାଇଁ ୧୪ ଜଣିଆ କମିଟି ଗଠନ  କରାଯାଇଛି । ଏଥିରେ ପିଷ୍ଟାର ସଭାପତି ବ୍ରହ୍ମାନନ୍ଦ  ମହାରଣା, ବିଭୁପ୍ରସାଦ ସାହୁ ଏଓପିଟିଏର ସୁଶାନ୍ତ  କୁମାର ବେହେରା, ପଦ୍ମଲୋଚନ ନାୟକ, ଗୀତାର  କହେୟା ଠାକୁର, ବିବେକାନନ୍ଦ ବେହେରା, ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚର ସୁନୀଲ କୁମାର ପ୍ରଧାନ,  ବିଏଡ୍‌ ସଂଘର ସରୋଜ କୁମାର ପଣ୍ଡା, ଅଲଓଷ୍ଟା ପକ୍ଷରୁ  ବିକ୍ରମ ଦାସ, ସୁକାନ୍ତ ବେହେରା, ସ୍କିମାଟିକ୍‌ ପକ୍ଷରୁ  ଶେଷଦେବ ଯଜ୍ଞକାମ ଦେଓ ପ୍ରମୁଖ ସଦସ୍ୟ ଅଛନ୍ତି।