ହରଭଙ୍ଗା,୩୦ା୧୧: ଶିକ୍ଷକଙ୍କ ସମୟ ଜ୍ଞାନ ନଥିଲା। ଯେତେବେଳେ ଇଛା ବିଦ୍ୟାଳୟକୁ ଆସୁଥିଲେ, ଇଛା ଅନୁସାରେ ଛୁଟି ସମୟ ପୁର୍ବରୁ ପୁଣି ଘରକୁ ଚାଲିଯାଉଥିଲେ। ପଚାରିବାକୁ କେହି ନାହିଁ । ପିଲେ ପାଠ ପଢ଼ିଲେ ପଢ଼ନ୍ତୁ ନହେଲେ ନାହିଁ। ଏଭଳି ଖାମଖିଆଲି ଶିକ୍ଷକଙ୍କ ମନଭାବରେ ଚାଲିିଥିଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଅନେକ ପ୍ରାଥମିକ ବିଦ୍ୟାଳୟ। ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀ ହାଡ଼ିବନ୍ଧୁ ବେହେରାଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ କରିବା ପରେ ସାମ୍ନାକୁ ଆସିଥିଲା ଶିକ୍ଷକଙ୍କ ମନମାନୀର ସମ୍ପୂର୍ଣ୍ଣ ଘଟଣା। ଫଳରେ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବେହେରା ୮ ଟି ସ୍କୁଲର ୧୦ ଜଣ ଶିକ୍ଷକଙ୍କୁ କାରାଣ ଦର୍ଶାଅ ନୋଟିସ ଜାରି କରିବା ସହ ଗୋଟିଏ ଦିନର ଦରମା ବନ୍ଦ କରିଥିବା ଜଣାପଡ଼ିଛି।

ସୂଚନାଥାଉକି, ସପ୍ତାହେ ତଳେ ଶିକ୍ଷାଧିକାରୀ କାହକୁ କିଛି ନଜଣାଇ ବ୍ଲକରେ ଥିବା ପ୍ରାଥମିକ ବିଦ୍ୟାଳୟ ଗୁଡିକରେ କିପରି ପାଠପଢ଼ା ଚାଲିଛି ଏବଂ ଶିକ୍ଷକ ମାନେ ନିଜ କର୍ତ୍ତବ୍ୟ ଠିକରେ ତୁଲାଉଛନ୍ତି କି ନାହିଁ ପରଖିବା ପାଇଁ ଝାରଖମଣ , ବାହାଳି , ସୁରୁଣ୍ଡି , ବଲଣ୍ଡା , ଖରସଂଙ୍କୁଲେଇ , ସାକୁଶିଙ୍ଗା , କଣ୍ଟିଆପଦର , ଗୋଠସାହି ଆଦି ସ୍କୁଲଗୁଡ଼ିକୁ ଯାଇଥିଲେ । ସେଠାରେ ସେ ଶିକ୍ଷକ ମାନେ ସ୍କୁଲ ଖୋଲିବାର ବହୁ ସମୟ ପରେ ଅସୁଥିବା ଦେଖିବାକୁ ପାଇଥିଲେ ଏବଂ କିଛି ବିଦ୍ୟାଳୟରେ ଛୁଟି ପୁର୍ବରୁ ପାଠପଢ଼ା ଛାଡ଼ି ଶିକ୍ଷକ ମାନେ ଘରକୁ ପଳାଇଥିବା ଜଣାପଡ଼ିଥିଲା। ବିଳମ୍ବରେ ଆସିବା କାରଣ ଏବଂ ଛୁଟି ସମୟ ପୁର୍ବରୁ କିପରି ବିଦ୍ୟାଳୟ ପରିତ୍ୟାଗ କଲ ବୋଲି ଆଦି କାରଣ ଦର୍ଶାଇବା ପାଇଁ ଶୁରମଣୀ ମଲ୍ଲିକ , ଦୟା କୁମାର ହଂସ, ପ୍ରଦୀପ କୁମାର ସାହୁ , ସାଧୁ ଚରଣ ଦେହୁରୀ , ବିରେନ୍ଦ୍ର ମହାକୁଡ , ରଂଜନ କୁମାର ପାତ୍ର , ବାବୁଲି ସାହୁ , ଜିତେନ୍ଦ୍ର କୁମାର ଡାଳୁଅ , ଜୋସ୍ନାରାଣୀ ମିଶ୍ର , ରାଜେନ୍ଦ୍ର କୁମାର ସାମଲ ଙ୍କୁ ନୋଟିସ ଜାରି କରିବା ସହ ଦିନକର ଦରମା ବନ୍ଦ କରାଯାଇଛି ।

କର୍ତ୍ତବ୍ୟରେ ଅବହେଳା କରୁଥିବା ଅନ୍ୟ ଶିକ୍ଷକଙ୍କ ପ୍ରତି ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ବେହେରା କହିଛନ୍ତି । ତେବେ ସହକାରୀ ଶିକ୍ଷକ ମାନେ ବିଦ୍ୟାଳୟକୁ ଠିକ ସମୟରେ ଆସୁନଥିବା ହେଉ କିମ୍ବା ବିନା ଛୁଟି ଦରଖାସ୍ତରେ ସ୍କୁଲ ନଯିବା ହେଉ କିମ୍ବା ଛୁଟି ପୁର୍ବରୁ ବିଦ୍ୟାଲୟ ଛାଡ଼ି ଘରକୁ ଆସିବା ଘଟଣା ପ୍ରଧାନ ଶିକ୍ଷକ କିପରି ଜାଣିଶୁଣି ନିରବ ରହୁଥିଲେ ତାହା ତଦନ୍ତ ସାପେକ୍ଷ।