ନୂଆଦିଲ୍ଲୀ,୧୩/୦୭; ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ଏକମାତ୍ର ମହିଳା ଟେଷ୍ଟ ନିର୍ଣ୍ଣାୟକ ମୋଡ଼ ନେଇଛି । ଇଂଲଣ୍ଡର ଦମ୍‌ ବାହାର କଲା ଭାରତ । ଲର୍ଡ୍ସ ଟେଷ୍ଟରେ ଦେଲା ଅସମ୍ଭବ ଲକ୍ଷ୍ୟ । ଭାରତ ସବୁ ବିଭାଗରେ ଶୃଙ୍ଖଳିତ ପ୍ରଦର୍ଶନ କରି ବିଜୟଠୁ ଆଉ ୪ ୱିକେଟ୍ ଦୂରରେ ରହିଛି । ୟସ୍ତିକା ଭାଟିଆଙ୍କ ଜବରଦସ୍ତ ଶତକ ମୁଖ୍ୟ ଆକର୍ଷଣ ରହିଥିଲା । ଲର୍ଡ୍ସରେ ସେ ପ୍ରଥମ ମହିଳା ବ୍ୟାଟର ଭାବେ ଶତକ ଅର୍ଜନ କରି ରେକର୍ଡ଼ ପୃଷ୍ଠାରେ ନିଜ ନାମ ଲେଖାଇଥିଲେ । ତୃତୀୟ ଦିବସରେ ଭାରତ ଦ୍ୱିତୀୟ ଇନିଂସ୍‌ରେ ୭/୩୪୧ରନ୍ କରି ପାଳି ଘୋଷଣା କରିବା ସହ ଇଂଲଣ୍ଡ ସାମ୍ନାରେ ୪୫୭ରନ୍‌ର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଜବାବରେ ଇଂଲଣ୍ଡ ଦ୍ୱିତୀୟ ପାଳି ବ୍ୟାଟିଂ ଆରମ୍ଭ କରି ବିପର୍ଯ୍ୟୟରେ ସମ୍ମୁଖୀନ ହେବା ସହ ୬ ୱିକେଟ୍ ହରାଇ ୧୩୦ ରନ୍ କରିଛି ।

ଦଳ ପକ୍ଷରୁ ଟାମି ବିଉମଣ୍ଟ ଖାତା ଖୋଲି ପାରିନଥିବାବେଳେ ମାୟା ବୌଚିର ୨, ହିଦର ନାଇଟ୍ ୧୩, ନାତାଲି ସ୍କିଭର-ବ୍ରଣ୍ଟ ୧୧, ଆଲିସ କ୍ୟାପସି ୨୧, ମାଡି ଭିଲିୟର୍ସ ୨୬ରନ୍ କରି ଆଉଟ୍ ହୋଇଥିବାବେଳେ ଆମି ଜୋନ୍ସ ୫୨ ଓ ଶୋଫି ଏକ୍ଲେଷ୍ଟୋନ ୧ରନ୍ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ସାୟଲୀ ସତଘରେ, କ୍ରାନ୍ତି ଗୌଡ଼ ଓ ସ୍ନେହ ରାଣା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ତୃତୀୟ ଦିବସରେ ଭାରତ ଅସମାପ୍ତ ଦ୍ୱିତୀୟ ଇନିଂସ୍ ୧/୧୫୪ରୁ ବ୍ୟାଟିଂ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅର୍ଦ୍ଧଶତକ ପୂରଣ କରି ଅପରାଜିତ ଥିବା ସ୍ମୃତି ମନ୍ଧନା ମାତ୍ର ୧ରନ୍ ଯୋଗ କରି ବ୍ୟକ୍ତିଗତ ୭୦ରନ୍‌ରେ ଆଉଟ୍ ହୋଇଥିଲେ । ମାତ୍ର ୟସ୍ତିକା ଦୃଢ଼ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । 

ମଧ୍ୟଭାଗରେ ଜେମିମା ରୋଡ୍ରିଗ୍ସ (୩), ହର୍ମନପ୍ରୀତ କୌର (୧୬) ଓ ଦୀପ୍ତି ଶର୍ମା (୧୦) ଫେଲ୍ ମାରିଥିଲେ । ୟସ୍ତିକା ପ୍ରଭାବିତ ହୋଇନଥିଲେ । ସେ ୧୪୫ ବଲ୍ରେ ଶତକ ଅର୍ଜନ କରିଥିଲେ । ପଞ୍ଚମ ୱିକେଟର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ରିଚା ଘୋଷ ଦର୍ଶନୀୟ ସଟ୍‌ମାନ ଖେଳିଥିଲେ । ଦଳୀୟ ସ୍କୋର ୨୮୭ରେ ୟସ୍ତିକାଙ୍କ ୱିକେଟର ପତନ ଘଟିଥିଲା । ସେ ୧୪ଚୌକା ବଳରେ ୧୧୩ ରନ୍ କରିଥିଲେ । ନିମ୍ନକ୍ରମ ବ୍ୟାଟର ସ୍ନେହ ରାଣା (୧) ନିରାଶ କରିଥିଲେ । ମାତ୍ର ରିଚା ଅର୍ଦ୍ଧଶତକ ପୂରଣ କରିବା ସହ ସାୟଲୀଙ୍କୁ ସାଥୀ କରି ସ୍କୋରକୁ ୭/୩୪୧ରେ ପହଞ୍ଚାଇବା ପରେ ଭାରତ ପାଳି ଘୋଷଣା କରିଥିଲା । ରିଚା ୫୨ବଲ୍ରେ ୫୦ (୮ଚୌକା) ଓ ସାୟଲୀ ୧୮ ରନ୍ କରି ଅପରାଜିତ ଥିଲେ । ଇଂଲଣ୍ଡ ପକ୍ଷରୁ ଶୋଫି ଏକ୍ଲେଷ୍ଟୋନ ୫ଟି ୱିକେଟ୍ ଅକ୍ତିଆର କରିଥିଲେ ।

ଏହା ବି ପଢନ୍ତୁ...ବାବରଙ୍କୁ ମିଳିଲା ଅଧିନାୟକ ପଦ, ଇସ୍ତଫା ଦେଲେ କୋଚ୍ !   

ୟସ୍ତିକା-କ୍ରାନ୍ତିଙ୍କ ଦମଦାର ପ୍ରଦର୍ଶନ- ଏହି ଟେଷ୍ଟରେ ଭାରତୀୟ କ୍ରିକେଟରେ ସବୁଠାରୁ ଚର୍ଚ୍ଚାରେ ରହିଛନ୍ତି ୟସ୍ତିକା ଭାଟିଆ ଏବଂ କ୍ରାନ୍ତି ଗୌଡ଼ । ଦୁହେଁ ଲର୍ଡ୍ସର ଐତିହାସିକ 'ଅନର୍ସ ବୋର୍ଡ'ରେ ନିଜ ନାମ ଲେଖି ସାରିଛନ୍ତି । କ୍ରାନ୍ତି ଗୌଡ଼ ଏବଂ ୟସ୍ତିକା ଏହି ବୋର୍ଡରେ ନାମ ପଞ୍ଜୀକୃତ କରିଥିବା ପ୍ରଥମ ଭାରତୀୟ ମହିଳା କ୍ରିକେଟର ହୋଇଛନ୍ତି । କ୍ରାନ୍ତି ଇଂଲଣ୍ଡର ପ୍ରଥମ ଇନିଂସରେ ୫ ୱିକେଟ ନେଇଥିଲେ । ୟସ୍ତିକା ଭାଟିଆ ଲର୍ଡ୍ସରେ ଐତିହାସକ ଶତକ ହାସଲ କରି ପ୍ରଥମ ମହିଳା ଭାରତୀୟ କ୍ରିକେଟର ହୋଇଛନ୍ତି । ଆୟୋଜକ ଇଂଲଣ୍ଡର ସୋଫି ଏକ୍ଲେଷ୍ଟୋନ୍ ଭାରତ ବିପକ୍ଷ ଦ୍ୱିତୀୟ ଇନିଂସରେ ୫ ୱିକେଟ ନେଇ ଅନର୍ସ ବୋଡରେ ନିଜ ନାମ ଲେଖିଛନ୍ତି । ସେ ବି ଏହି ସଫଳତା ହାସଲ କରିଥିବା ଇଂଲଣ୍ଡର ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି ।

ଏହା ବି ପଢନ୍ତୁ...ICC ଟି-୨୦ ଟିମ୍ ରାକିଂରେ କ’ଣ ହୋଇଛି ପରିବର୍ତ୍ତନ ? ଦେଖନ୍ତୁ ଟପ୍-୧୦ରେ କିଏ କେଉଁ ସ୍ଥାନରେ