ବେଙ୍ଗାଲୁରୁ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ବର୍ଷା ଯୋଗୁଁ ଖେଳ ହୋଇପାରି ନଥିଲା । ହେଲେ ଦ୍ବିତୀୟ ଦିନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଖେଳପ୍ରେମୀଙ୍କୁ ବ୍ୟଥିତ କରିଛି ।  ମାତ୍ର ୪୬ ରନ୍‌ରେ ଭାରତୀୟ ଦଳ ଅଲଆଉଟ୍‌ ହୋଇଯିବା ପରେ ସବୁଆଡ଼ୁ ସମାଲୋଚନାର ଶିକାର ହୋଇଛି । ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ ହେନରୀ ସର୍ବାଧିକ ୫ ଓ୍ବିକେଟ ଅକ୍ତିଆର କରିଛନ୍ତି । ସେହିଭଳି ଓ୍ବିଲିୟମ୍‌ ଓରୁରକେ ୪ ଏବଂ ଟିମ୍‌ ସାଉଥି ଗୋଟିଏ ଓ୍ବିକେଟ ନେଇଛନ୍ତି ।  ନ୍ୟୁଜିଲାଣ୍ଡ ବିପକ୍ଷରେ ମାତ୍ର ୪୬ ରନ୍‌ରେ ଅଲଆଉଟ୍‌ ହେବା ପରେ ଭାରତୀୟ ଟିମ୍‌ ନାଁରେ ୫ଟି ଅଲୋଡ଼ା ରେକର୍ଡ ଯୋଡ଼ି ହୋଇଯାଇଛି । 

ଘରୋଇ ମୈଦାନରେ ସବୁଠୁ କମ୍‌ ସ୍କୋର

ଭାରତୀୟ ଟିମ୍‌ ନିଜ ମାଟିରେ ସବୁଠାରୁ କମ୍‌ ରନ ସ୍କୋର କରିଛି । ଏହା ପୂର୍ବରୁ ଭାରତୀୟ ଦଳ ୧୯୮୭ରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୭୫ ରନ୍‌ରେ ଅଲଆଉଟ୍‌ ହୋଇଥିଲା । ଏହି ମ୍ୟାଚ୍‌ ଦିଲ୍ଲୀରେ ଖେଳାଯାଇଥିଲା । ହେଲେ ଟେଷ୍ଟ ଇତିହାସରେ ଭାରତର ସବୁଠୁ କମ୍‌ ସ୍କୋର ୩୬ ରନ୍‌   ଏବଂ ପରେ ୪୨ ରନ୍‌ ମଧ୍ୟ କରିଥିଲା ଭାରତ । ଆଉ ଏବେ ଭାରତର ୪୬ ରନ୍‌ ତୃତୀୟ ସବୁଠୁ ଖରାପ ସ୍କୋର ।

ଟପ୍‌-୪ ବ୍ୟାଟରଙ୍କ ଶୂନ ରନ୍‌ 

ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ପାଳିରେ ଭାରତର ଟପ୍‌-୭ ବ୍ୟାଟରଙ୍କ ମଧ୍ୟରୁ ୪ ଜଣ ନିଜ ଖାତା ଖୋଲିବାରେ ଅସମର୍ଥ ହୋଇଛନ୍ତି । ବିରାଟ କୋହଲିଙ୍କ ସମେତ ସର୍ଫରାଜ ଖାନ, କେଏଲ ରାହୁଲ ଏବଂ ରବୀନ୍ଦ୍ର ଜାଡେଜା ଶୂନରେ ଆଉଟ୍‌ ହୋଇଛନ୍ତି । ଟେଷ୍ଟ ଇତିହାସରେ ଏଭଳି ପ୍ରଥମ ଥର ହେଲା ଯେ, ଭାରତୀୟ ଟିମ୍‌ର ଶୀର୍ଷ ୭ ବ୍ୟାଟରଙ୍କ ମଧ୍ୟରୁ ୪ ଜଣ ଖାତା ନଖୋଲି ପାଭିଲିୟନ୍‌ ଫେରିଯାଇଛନ୍ତି ।  

ଶୀର୍ଷ-୪ ବ୍ୟାଟରଙ୍କ କମ୍‌ ସ୍କୋର

ଭାରତର ଶୀର୍ଷ ୪ ବ୍ୟାଟର ଯଶସ୍ବୀ ଜୟସ୍ବାଲ ୧୩ ରନ୍‌ ରୋହିତ ଶର୍ମା ୨, ବିରାଟ କୋହଲି ଏବଂ ସର୍ଫରାଜ ଖାନ କୌଣସି ରନ୍‌ ନକରି ଆଉଟ ହୋଇଛନ୍ତି । ଏହିଭଳି ଭାରତର ଶୀର୍ଷକ୍ରମର ୪ ବ୍ୟାଟର କେବଳ ୧୫ ରନ୍‌ କରିବାରେ ସକ୍ଷମ ହୋଇଚନ୍ତି ।  ଏହା ପୂର୍ବରୁ ୧୯୭୯ରେ ପାକିସ୍ତାନ ବିପକ୍ଷରେ ଶୀର୍ଷକ୍ରମର ୪ ଜଣ ବ୍ୟାଟର ମୋଟ ୧୦ ରନ୍‌ କରିଥିଲେ । 

୬ ଓ୍ବିକେଟରେ ଦଳୀୟ ସ୍କୋର କମ୍‌

ଭାରତର ଶୀର୍ଷକ୍ରମର ୬ ଓ୍ବିକେଟ ବେଳକୁ ଦଳୀୟ ସ୍କୋର ମାତ୍ର ୩୪ ରନ୍‌ ହୋଇଥିଲା ।  ଘରୋଇ ମୈଦାନରେ ଟିମ୍‌ ଇଣ୍ଡିଆର ଏହା ଦ୍ବିତୀୟ ସବୁଠୁ କମ୍‌ ସ୍କୋର । 

ଏସିଆ ଭୂମିରେ ସବୁଠୁ କମ ସ୍କୋର

ଏସିଆ ମାଟିରେ ଏହା ସବୁଠାରୁ କମ୍‌ ଟେଷ୍ଟ ସ୍କୋର । ଏହା ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ୍‌  ପାକିସ୍ତାନ ବିପକ୍ଷରେ ୧୯୮୬ରେ ୫୩ ରନ୍‌ କରିଥିଲା । ଆଉ ଏବେ ୪୬ ରନ୍‌ରେ ଅଲଆଉଟ ହୋଇ ଅଲୋଡା ରେକର୍ଡର ଅଧିକାରୀ ହୋଇଛି ଭାରତୀୟ ଟିମ୍‌ ।