ନୂଆଦିଲ୍ଳୀ,୯।୫: ଚାଲିଛି ଆଇପିଏଲ ୨୦୨୬। କ୍ରିକେଟ ଫ୍ୟାନ୍ଙ୍କ ଭିତରେ ଫଟାଫଟ୍ କ୍ରିକେଟ୍କୁ ନେଇ କ୍ରେଜ ବି ଜୋରଦାର। ହେଲେ ଏହି ଷ୍ଟାର ଖେଳାଳି ଓ ତାଙ୍କର ଛକା-ଚୌକା ସଟ୍ ଭିତରେ ଏଭଳି କିଛି ଡାର୍କ ସାଇଟ୍ ରହିଛି, ଯାହାକି ଏବେ ଏହି ଲିଗ୍ର ମୂଳଦୁଆକୁ ଏକ ପ୍ରକାର ଦୋହଲାଇ ଦେଇଛି। କାରଣ ବିଶିଷ୍ଟ ଉଦ୍ୟୋଗପତି ଓ ଆରପିଜି ଏଣ୍ଟରପ୍ରାଇଜେସ୍ର ଚେୟାରମ୍ୟାନ୍ ହର୍ଷ ଗୋୟଙ୍କା ସୋସିଆଲ ମିଡିଆରେ ଏଭଳି କିଛି କହିଛନ୍ତି, ଯାହାକୁ ନେଇ ବିସିସିଆଇଠାରୁ ନେଇ ଫ୍ରାଞ୍ଚାଇଜ୍ ମାଲିକ୍ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଗୋଏଙ୍କା ସୋସିଆଲ ମିଡିଆରେ ଏଭଳି କିଛି ଖୁଲାସା କରିଛନ୍ତି, ଯାହାକି ଖୁବ୍ ଗମ୍ଭୀର। ଯାହାଦ୍ବାରା ଟିଭିରେ ଆଇପିଏଲ୍ ଦେଖିବାର ସଂଖ୍ୟା ୨୬% ପର୍ଯ୍ୟନ୍ତ ହ୍ରାସ କରିଦେଇଛି। ଏପରିକି କୋଟି କୋଟି ଟଙ୍କାର ଆୟ କରୁଥିବା ଏହି ଟୁର୍ଣ୍ଣାମେଣ୍ଟ ଏବେ ଦର୍ଶକଙ୍କୁ ବି କ’ଣ ବୋର୍ ଲାଗିଲାଣି କି ?ଗୋଏଙ୍କା କହିଛନ୍ତି, ପ୍ରତି ରାତିରେ ୨୨୫ ବନାମ ୨୨୫ର ସ୍କୋର ଦେଖିବା ଏବେ କ୍ରିକେଟ୍ ନୁହେଁ,ବଂର ଏକ ବୋରିଂ ଭରା ପ୍ରଦର୍ଶନ ପାଲଟିଛି।
ହର୍ଷ ଗୋଏଙ୍କା କହିଛନ୍ତି, ଆଇପିଏଲ୍ ମନୋରଞ୍ଜନ ନାଁରେ ଖେଳର ଅନିଶ୍ଚିତତାକୁ ଶେଷ କରିଦେଇଛି। ସେ ବିସିସିଆଇକୁ ପରାମର୍ଶ ଦେଇଛନ୍ତି ଯଦି ଏହି ହ୍ରାସ ପାଉଥିବା ଗ୍ରାଫ୍କୁ ରୋକିବାର ଅଛି, ତେବେ ସବୁଠାରୁ ପ୍ରଥମେ ଇମ୍ପାକ୍ଯ ପ୍ଲେୟାର ଭଳି ନିୟମକୁ ପୁଣିଥରେ ବିଚାର କରିବାରକୁ ହେବ। କ୍ରିକେଟ୍ ସେତେବେଳେ ରୋମାଞ୍ଚକର ଲାଗେ ଯେତେବେଳେ ବଲ୍ ଏବଂ ବ୍ୟାଟ୍ ଭିତରେ ସମାନ ଭାବରେ ଯୁଦ୍ଧ ଦେଖିବାକୁ ମିଳେ। ବର୍ତ୍ତମାନ ସ୍ଥିତିରେ ବୋଲିଂର ଭୂମିକା ମାତ୍ର କେବଳ ବଲ୍ ଫୋପାଡୁଥିବା ମେସିନ୍ ହୋଇଯାଇଛି। ସେଭଳି ଆଇପିଏଲ କେବଳ ଏକ ବ୍ୟାଟିଂର ପ୍ରଦର୍ଶନୀ ପାଲଟିଛି, ଯାହାଫଳରେ ଖେଳରେ ସନ୍ତୁଳନ ସମ୍ପୂର୍ଣ୍ଣ ଭାବରେ ବିଗିଡି ଯାଇଛି।
IPL TV viewership reportedly down 26%. @BCCI should take it seriously as IPL has become a batting exhibition instead of a cricket contest.
— Harsh Goenka (@hvgoenka) May 9, 2026
A few fixes:
- Balanced pitches where bowlers matter
- Rethink the Impact Player rule
- Stronger fan engagement by franchises
- Better…
ଗୋଏଙ୍କା କେବଳ ଟିଭି ଦର୍ଶକଙ୍କୁ ସମ୍ବୋଧିତ କରିନଥିଲେ, ବରଂ ଷ୍ଟାଡିୟମରେ ପହଞ୍ଚିବା ପାଇଁ ଅଧିକ ଟିକେଟ୍ ଦେଇ ଆସୁଥିବା ପ୍ରଶଂସକଙ୍କ ପାଇଁ ମଧ୍ୟ ସମର୍ଥନ କରିଥିଲେ। ସେ ଖରାପ ଷ୍ଟାଡିୟମ ଅଭିଜ୍ଞତାର ସମାଲୋଚନା କରି କହିଥିଲେ ଯେ ଖରାପ ଶୌଚାଳୟ, ବସିବା ସ୍ଥାନରେ ସମସ୍ୟା, ଖାଦ୍ୟ ନମିଳିବା ଏବଂ ପ୍ରବେଶ ଓ ପ୍ରସ୍ଥାନର ଅସୁବିଧା ଦର୍ଶକଙ୍କୁ ଦୂରେଇ ନେଉଛି। ଏହା ସହ ସେ ପ୍ରଶ୍ନ କରିଛନ୍ତି, ଯଦି ଦର୍ଶକମାନେ ମୌଳିକ ସୁବିଧା ମଧ୍ୟ ପାଆନ୍ତି ନାହିଁ ତେବେ ସେମାନେ କାହିଁକି ସେମାନଙ୍କର ସମୟ ଏବଂ ଟଙ୍କା ନଷ୍ଟ କରିବେ?
ଉଲ୍ଲେଖନୀୟ ଯେ, ଲକ୍ଷ୍ନୌ ସୁପର ଜାଏଣ୍ଟସ୍ର ମାଲିକ ସଞ୍ଜୀବ ଗୋଏଙ୍କା ଭାଇ ହେବା ଦୃଷ୍ଟିରୁ ହର୍ଷ ଗୋଏଙ୍କାଙ୍କ ଏହି କଥା କହିବା ନିହାତି ପକ୍ଷେ ବେଶ୍ ଗୁରୁତ୍ବପୂର୍ଣ୍ଣ। ଏହା ପ୍ରଥମ ଥର ଯେତେବେଳେ ଖେଳ ଦୁନିଆ ସହିତ ଜଡିତ କୌଣସି ବ୍ୟକ୍ତି ଏତେ ସାହାସର ସହିତ ଆଇପିଏଲର ତ୍ରୁଟି ବିଷୟରେ ମୁହଁ ଖୋଲିଛନ୍ତି। ଗୋଏଙ୍କା ସ୍ପଷ୍ଟ କରିଛନ୍ତି ଯେ ଯଦି ପିଚ୍ ଗୁଣବତ୍ତା, ନିୟମରେ ପରିବର୍ତ୍ତନ ଏବଂ ପ୍ରଶଂସକଙ୍କ ପ୍ରତି ସମ୍ମାନ ଉପରେ ଧ୍ୟାନ ଦିଆଯାଏନି ତେବେ, ଆଇପିଏଲ୍ ନିଜର ବିଶ୍ୱସନୀୟତା ହରାଇପାରେ। ଏବେ ଦେଖିବା ବାକି ଅଛି ଯେ ବିସିସିଆଇ ଏହି ୨୬% ହ୍ରାସକୁ କେବଳ ଏକ ପରିସଂଖ୍ୟାନ ବୋଲି ବିବେଚନା କରିବ ନା ଖେଳର ଉତ୍ସାହକୁ ବଜାୟ ରଖିବା ପାଇଁ ଅଧିକ କଠୋର ପଦକ୍ଷେପ ନେବ।