ନୂଆଦିଲ୍ଲୀ: IPL 2025 ରେ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଶେଷ ହୋଇଛି। ଏହି ସିଜିନରେ ଚାରୋଟି ପ୍ଲେଅଫ୍ ମ୍ୟାଚ୍ ଖେଳାଯିବ, ଯାହା ମେ’ ୨୯ରୁ ଆରମ୍ଭ ହେବ । ପଞ୍ଜାବ କିଙ୍ଗସ୍, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୫ର ପ୍ଲେଅଫରେ ପହଞ୍ଚିବାରେ ସଫଳ ହୋଇଛନ୍ତି । ଲିଗ୍ ପର୍ଯ୍ୟାୟ ପରେ, ପଞ୍ଜାବ ଏବଂ ବେଙ୍ଗାଲୁରୁ ଶୀର୍ଷ-୨ ରେ ସ୍ଥାନ ସୁରକ୍ଷିତ କରିଥିବା ବେଳେ ଗୁଜରାଟ ଏବଂ ମୁମ୍ବାଇ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଅଛନ୍ତି । ଏହାର ଅର୍ଥ ହେଉଛି କ୍ୱାଲିଫାୟର ୧ ମ୍ୟାଚ୍ ପଞ୍ଜାବ ଏବଂ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ।
ଏହା ପରେ, ମୁମ୍ବାଇ ଏବଂ ଗୁଜରାଟ ଏଲିମିନେଟରରେ ମୁହାଁମୁହିଁ ହେବେ । ଏହାକୁ ନେଇ ଦୁଇ ଟିମ୍ର ଅଧିନାୟକ ଚିନ୍ତାରେ ପଡ଼ିଛନ୍ତି । IPL ଇତିହାସରେ ଏଲିମିନେଟର ଖେଳିଥିବା ଦଳ କେବଳ ଥରେ ଟାଇଟଲ ଜିତିଛି । ଏହା ପୂର୍ବରୁ ଏବଂ ପରେ କୌଣସି ଦଳ ଏଲିମିନେଟର ଖେଳି ଟାଇଟଲ ଜିତି ନାହାଁନ୍ତି । ସନରାଇଜର୍ସ ହାଇଦ୍ରାବାଦ ୨୦୧୬ରେ ଇତିହାସ ସୃଷ୍ଟି କରିଥିଲା ।
ଗୁଜରାଟ ଲାୟନ୍ସ, RCB, ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍ ରାଇଡର୍ସ ସେହି ସିଜନରେ ପ୍ଲେଅଫରେ ପହଞ୍ଚିଥିଲେ। ଏଲିମିନେଟରରେ ହାଇଦ୍ରାବାଦ କୋଲକାତାକୁ ପରାସ୍ତ କରିଥିଲା। ଏହା ପରେ କ୍ୱାଲିଫାୟର-୨ରେ ଗୁଜରାଟ ଲାୟନ୍ସ ଏବଂ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ । SRH ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା ଏବଂ ଫାଇନାଲରେ ପହଞ୍ଚିଥିଲା। ଫାଇନାଲରେ ଡେଭିଡ୍ ୱାର୍ଣ୍ଣରଙ୍କ ଅଧିନାୟକତ୍ୱରେ ଆରସିବିକୁ ୮ ରନରେ ହରାଇ ଚାମ୍ପିଅନ ହୋଇଥିଲା ହାଇଦ୍ରାବାଦ ।
IPLର ନିୟମ ଅନୁଯାୟୀ, ଲିଗ୍ ପର୍ଯ୍ୟାୟ ଶେଷ ହେବା ପରେ, ଶୀର୍ଷ-୨ ଦଳଗୁଡ଼ିକ କ୍ୱାଲିଫାୟର୍-୧ ଖେଳିବାର ସୁଯୋଗ ପାଆନ୍ତି। ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଥିବା ଦଳଗୁଡ଼ିକ ଏଲିମିନେଟର୍ ଖେଳନ୍ତି। କ୍ୱାଲିଫାୟର୍-୧ ଜିତିଥିବା ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରେ । ପରାଜିତ ଦଳ ଫାଇନାଲରେ ପହଞ୍ଚିବାର ଆଉ ଏକ ସୁଯୋଗ ପାଏ। କ୍ୱାଲିଫାୟର୍-୨ ମ୍ୟାଚ୍ ପ୍ରଥମ କ୍ୱାଲିଫାୟରର ପରାଜିତ ଦଳ ଏବଂ ଏଲିମିନେଟରର ବିଜେତା ଦଳ ମଧ୍ୟରେ ଖେଳାଯାଏ। ଏହି ମ୍ୟାଚ୍ ଜିତିଥିବା ଦଳ ଫାଇନାଲରେ ପହଞ୍ଚିବାରେ ସୁଯୋଗ ପାଏ।