ଭୁବନେଶ୍ୱର,୨୦/୦୧: ଶୁଭମ୍‌ ସିନେ ପ୍ରଡକ୍ସନ୍‌ ବ୍ୟାନରରେ ପ୍ରଥମ ଅବଦାନରେ ନିର୍ମିତ ସଂଘମିତ୍ରା ବେହେରାଙ୍କ ପ୍ରଯୋଜିତ  ସସ୍ପେନ୍ସ, ଥ୍ରିଲର୍‌ ଭରା ଓଡ଼ିଆ ଚଳଚ୍ଚିତ୍ର  "ଆଞ୍ଜେଲ୍‌’ର ଟିଜର୍‌ ଏବଂ ମ୍ୟୁଜିକ୍‌ ରିଲିଜ୍‌  ହୋଇଯାଇଛି । ଚଳଚ୍ଚିତ୍ରଟି ଆସନ୍ତା ଜାନୁଆରୀ  ୩୧ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ  କରିବ ବୋଲି ଏହି ଅବସରରେ ଘୋଷଣା  ହୋଇଛି । 

ଏହାର କାହାଣୀ ଜଣେ ସାହସୀ  ପୁଲିସ୍‌ ଅଧିକାରୀ ସୂର୍ଯ୍ୟକାନ୍ତ ସାମନ୍ତରାୟଙ୍କୁ ନେଇ । ଫିଲ୍ମରେ ତାଙ୍କ ୮ ବର୍ଷର ଝିଅକୁ  ତାଙ୍କ ବାସଭବନରୁ ଅପହରଣ କରାଯାଇଛି  ଏବଂ ବିଭାଗର ଖ୍ୟାତିକୁ ବଞ୍ଚାଇ ରଖିବା ପାଇଁ  ୨୪ ଘଣ୍ଟା ମଧ୍ୟରେ ମାଷ୍ଟରମାଇଣ୍ଡ୍‌କୁ ଧରିବା  ପୁଲିସକୁ ବଡ଼ ଚ୍ୟାଲେଞ୍ଜ ହୋଇଯାଇଛି ।  ତେବେ ନୂଆ ବର୍ଷ ଆରମ୍ଭରୁ ଏଭଳି ଏକ  ମର୍ମସ୍ପର୍ଶୀ ଆକ୍ସନ୍‌ଧର୍ମୀ ଓଡ଼ିଆ ସିନେମା ଏକ  ନୂଆ ଧାରା ସୃଷ୍ଟି କରିବ ବୋଲି ପୂରା ଟିମ୍‌  ଆଶାବାଦୀ ଅଛନ୍ତି । ଫିଲ୍ମର ଲେଖକ ଏବଂ  ନିର୍ଦ୍ଦେଶକ ରହିଛନ୍ତି ଜିତେନ୍ଦ୍ରୀୟ ପ୍ରଧାନ । ମୁଖ୍ୟ  ଅଭିନୟରେ ନାୟକ ପାର୍ଥସାରଥୀ ରାୟ, ନାୟିକା  କାବ୍ୟା କିରଣ ଏବଂ ପ୍ରସନ୍ନଜିତ୍‌ ମହାପାତ୍ର ।  ଅମିତାଭ ପାତ୍ର, ଜିତେନ୍ଦ୍ରୀୟ ପ୍ରଧାନ, ସୃଜନ,  ସୂର୍ଯ୍ୟକାନ୍ତ ଦଳେଇ, ଟୁକୁନ ଭଳି ଅନେକ  କଳାକାର ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।  

ବିଶେଷ ଭୂମିକାରେ ଅଛନ୍ତି ଶିଶୁ କଳାକାର ସାଇ  ତ୍ରିଷ୍ଣା ଯିଏ କି ଆଞ୍ଜେଲ୍‌ ଚରିତ୍ରରେ ଅଭିନୟ  କରିଛନ୍ତି । କାର୍ଯ୍ୟନିର୍ବାହୀ ପ୍ରଯୋଜକ ବିକାଶ ଚନ୍ଦ୍ର ପରିଡ଼ା, ଚିତ୍ରତ୍ତୋଳନ ଦାୟିତ୍ୱରେ ଯୁଧିଷ୍ଠିର  ବେହେରା ଓ ସମ୍ପାଦନାରେ ଭୀର କୁମାର ନନ୍ଦ,  ପ୍ରଡକ୍ସନ୍‌ ହେଡ୍‌ ସର୍ବେଶ୍ୱର ସୂତାର, ପ୍ରଡକ୍ସନ୍‌  ଡିଜାଇନ୍‌ କରିଛନ୍ତି ଅଜୟ ସୂତାର, ସାଉଣ୍ଡ୍‌  ଡିଜାଇନ୍‌ ଶକ୍ତିସ୍ୱରୂପ ଦ୍ୱିବେଦୀ, କଷ୍ଟ୍ୟୁମ୍ସ  ରବି, ଡିଆଇ ରାଜେଶ, ସଙ୍ଗୀତ ନିର୍ଦ୍ଦେଶନା ଏବଂ ପ୍ରଚ୍ଛଦପଟ ସଙ୍ଗୀତ ଅଶେଷ ଦାସ  ଦେଇଥିବା ବେଳେ ପବ୍ଲିସିଟି ଡିଜାଇନ୍‌ କରିଛନ୍ତି  ଏମ୍‌ ଫ୍ୟାକ୍ଟର୍‌ । ଫିଲ୍ମର ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡିଆ ପ୍ଲାନର୍‌ ପ୍ରଣୟ ଜେଠୀ  ରହିଛନ୍ତି । ଆଜି ଟିଜର୍‌ ଏବଂ ମ୍ୟୁଜିକ୍‌ ରିଲିଜ୍‌  କାର୍ଯ୍ୟକ୍ରମରେ ପୂରା ଟିମ୍‌ ସହ ଓଲିଉଡ୍‌ର କିଛି ଜଣାଶୁଣା ବ୍ୟକ୍ତି ଟିମ୍‌କୁ ଉତ୍ସାହିତ କରିଥିଲେ ।