ନୂଆଦିଲ୍ଲୀ : ବିହାର ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟକୁ ନେଇ ଏବେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ, ଆଜି (ରବିବାର) ଆରଜେଡି (RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ଜନଶକ୍ତି ଜନତା ଦଳ ମୁଖ୍ୟ ତେଜ ପ୍ରତାପ ଯାଦବ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ Y-ପ୍ଲସ୍ ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି । ତଥାପି ତାଙ୍କ ଜୀବନ ବିପଦରେ ଅଛି। ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ଶତ୍ରୁ ମାନେ ତାଙ୍କୁ ହତ୍ୟା କରିପାରନ୍ତି। ସୂଚନାଥାଉକି, ତେଜ ପ୍ରତାପ ଯାଦବ ମହୁଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ୁଛନ୍ତି।

ପାଟନାରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ତେଜ ପ୍ରତାପ ଯାଦବ କହିଛନ୍ତି କି, "ମୋର ସୁରକ୍ଷା ବୃଦ୍ଧି କରାଯାଇଛି। ମୁଁ ବିପଦରେ ଅଛି। ମୋର ଶତ୍ରୁମାନେ ମୋତେ ମଧ୍ୟ ହତ୍ୟା କରିପାରନ୍ତି। ସମସ୍ତେ ଶତ୍ରୁ ପରି ମନେ ହେଉଛନ୍ତି ।" ତଥାପି, ସେ ତାଙ୍କ ଶତ୍ରୁ ମାନଙ୍କର ପରିଚୟ ପ୍ରକାଶ କରିନାହାଁନ୍ତି।

ପିତା ଲାଲୁ ପ୍ରସାଦଙ୍କ ଦ୍ୱାରା RJDରୁ ବହିଷ୍କୃତ ହେବା ପରେ ତେଜ ପ୍ରତାପ ଯାଦବ ନିଜର ଏକ ରାଜନୈତିକ ଦଳ ଗଠନ କରିଛନ୍ତି । ଯାହାର ନାଁ ସେ ଜନଶକ୍ତି ଜନତା ଦଳ ରଖିଛନ୍ତି । ତେଜ ପ୍ରତାପଙ୍କୁ ମେ ୨୫ ତାରିଖରେ ଛଅ ବର୍ଷ ପାଇଁ RJDରୁ ବହିଷ୍କାର କରାଯାଇଥିଲା। ତେଜ ପ୍ରତାପ ଜଣେ ମହିଳାଙ୍କ ସହିତ "ସମ୍ପର୍କ"ରେ ଥିବା ସ୍ୱୀକାର କରିଥିବା ଜଣାପଡ଼ିଛି।

ଲାଲୁ ପ୍ରସାଦ ଯାଦବ ତାଙ୍କ ଦାୟିତ୍ୱହୀନ ଆଚରଣ ଯୋଗୁଁ ଦଳରୁ ବହିଷ୍କାର କରିଥିଲେ। ବହିଷ୍କାର ହେବାର କିଛି ଦିନ ପରେ, ତେଜ ପ୍ରତାପ ଅଭିଯୋଗ କରିଥିଲେ ଯେ ସେ ଏବଂ ତାଙ୍କ ସାନ ଭାଇଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି। ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ କିଛି ପୋଷ୍ଟରେ ନିଜର ଭାବନା ପ୍ରକାଶ କରିଥିଲେ, ବ୍ୟଙ୍ଗାତ୍ମକ ଭାବରେ ଅଭିଯୋଗ କରିଥିଲେ ଯେ "ଜୟଚାନ୍ଦ" ଏଥିପାଇଁ ଦାୟୀ।

ଉଲ୍ଲେଖନୀୟ କି, ବିହାରରେ ଦ୍ୱିତୀୟ ଏବଂ ଶେଷ ପର୍ଯ୍ୟାୟ ଭୋଟ୍ ନଭେମ୍ବର ୧୧ ତାରିଖରେ ହେବାକୁ ଯାଉଛି, ଯାହାର ଫଳାଫଳ ନଭେମ୍ବର ୧୪ ତାରିଖରେ ଘୋଷଣା କରାଯିବ।