ନୂଆଦିଳ୍ଲୀ,୧୬।୧୧: ବିହାର ରାଜନୀତିରେ ତେଜ ପ୍ରତାପ ଯାଦବଙ୍କ ନୂତନ ଦଳ, ଜନଶକ୍ତି ଜନତା ଦଳ (ଜେଜେଡି) ବଡ଼ ଘୋଷଣା କରିଛି। ଜେଜେଡି ଏହି ବୈଠକରେ ବର୍ତ୍ତମାନର ଏନଡିଏ ସରକାରଙ୍କୁ ନୈତିକ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି। ଏହି ପଦକ୍ଷେପକୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। କାରଣ ଏହା ଦ୍ବାରା ଲାଲୁ ପ୍ରସାଦ ଯାଦବ ପରିବାରଠାରୁ ତେଜପ୍ରତାପଙ୍କ ଦୂରତାକୁ ଆହୁରି ସ୍ପଷ୍ଟ କରୁଛି।

ଦଳର ଜାତୀୟ ମୁଖପାତ୍ର ପ୍ରେମ ଯାଦବ ଗଣମାଧ୍ୟମକୁ କହିଛନ୍ତି, ବୈଠକରେ ତେଜ ପ୍ରତାପ ଭଉଣୀ ରୋହିଣୀ ଆଚାର୍ଯ୍ୟଙ୍କୁ ଦଳର ରାଷ୍ଟ୍ରୀୟ ସଂରକ୍ଷକ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ପ୍ରେମ ଯାଦବ କହିଛନ୍ତି, ସେ ଖୁବ୍ ଶୀଘ୍ର ଏହି ବିଷୟରେ ରୋହିଣୀ ଦିଦିଙ୍କ ସହ କଥା ହେବେ ଏବଂ ତାଙ୍କୁ ଦଳର ରାଷ୍ଟ୍ରୀୟ ସଂରକ୍ଷକ ହେବାକୁ ଅନୁରୋଧ କରିବେ।’

ତେଜପ୍ରତାପ ପୂର୍ବରୁ ହିଁ ଲାଲୁ ପରିବାର ସହ ତାଙ୍କର ରାଜନୈତିକ ଓ ପାରିବାରିକ ମତଭଦେକୁ ସାର୍ବଜନୀନ କରିସାରିଛନ୍ତି। ସେ ଏବେ ଅଲଗା ବାଟରେ ଚାଲିବାର ଚେଷ୍ଟା କରୁଛନ୍ତି। ଏହି ନୈତିକ ସମର୍ଥନ ତାଙ୍କର ନୂଆ ପଲିଟିକାଲ ପରିଚୟକୁ ମଜବୁତ କରିପାରେ। ସେ ଆରଜେଡିକୁ ‘ନକଲି ପାର୍ଟି’ କହି ତାଙ୍କର ଜନଶକ୍ତି ଜନତା ଦଳକୁ ହିଁ ‘ଅସଲି ଲାଲୁ ଯାଦବ ପାର୍ଟି’ ବୋଲି କହିଛନ୍ତି।

ରାଜନୈତିକ ବିଶ୍ଲେଷକଙ୍କ ମତରେ ଏହି ପଦକ୍ଷେପ ତେଜ ପ୍ରତାପଙ୍କ ରଣନୀତିର ଏକ ଅଂଶ ହୋଇପାରେ। ଆରଜେଡିର ଭାଙ୍ଗି ଯାଇଥିବା ମେଣ୍ଟରୁ ବାହାର ହେବା ପରେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିବାକୁ ଚାହାଁନ୍ତି ତେଜପ୍ରତାପ। ପରିବାରରୁ ଅଲଗା ହେବାପରେ ଲାଲୁ ଯାଦବଙ୍କ ବଡ଼ ପୁଅ ଓ ଜନଶକ୍ତି ଜନତା ଦଳ(ଜେଜେଡି)ର ସଂସ୍ଥାପକ ତେଜପ୍ରତାପ ଯାଦବ ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଭାଗ ନେଇଥିଲେ। ଆରଜେଡିରୁ ବାହାର ହେବା ପରେ ସେ ନିଜର ନୂଆ ପାର୍ଟି ତିଆରି କରିଥିଲେ। ତାଙ୍କ ପାର୍ଟି ପୁରା ରାଜ୍ୟରେ ୨୧ ପ୍ରାର୍ଥୀ ଓହ୍ଲାଇଥିଲା, ଯେଉଁଥିରେ ସେ ନିଜେ ବି ସାମିଲ ଥିଲେ। ତେଜପ୍ରତାପ ମହୁଆରୁ ନିର୍ବାଚନ ଲଢୁଥିଲେ। କିନ୍ତୁ ତାଙ୍କ ଦଳ କିମ୍ବା ଜେଜେଡିର କୌଣସି ପ୍ରାର୍ଥୀ ନିର୍ବାଚନ ଜିତିପାରିନଥିଲେ।