ହାଇଦ୍ରାବାଦ, ୧୭/୦୫: ୨୦୨୯ ଲୋକସଭା ନିର୍ବାଚନ ପାଇଁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ଚେହେରା ବୋଲି ଶନିବାର ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ କହିଛନ୍ତି । ତାଙ୍କ ଅନୁସାରେ, କଂଗ୍ରେସ ପ୍ରଥମେ ରାହୁଲଙ୍କ ନାମ ଘୋଷଣା କରିବ । ଏହାପରେ ‘ଇଣ୍ଡି’ ମେଣ୍ଟର ସହଯୋଗୀ ଦଳଗୁଡ଼ିକୁ ସମର୍ଥନ ଲାଗି କୁହାଯିବ । ରେୱନ୍ତ ରେଡ୍ଡୀ ଏକ ନ୍ୟୁଜ କନକ୍ଲେଭରେ ଏହି ବୟାନ ଦେଇଛନ୍ତି । ଏହି ସମୟରେ ସେ ରାଜନୀତିକୁ ନେଇ ଲୋକଙ୍କ ମଧ୍ୟରେ ବଦଳୁଥିବା ଭାବନାକୁ ନେଇ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି । କହିଛନ୍ତି, ଏବେ ଲୋକମାନେ ସ୍ୱିଗି-ଶୈଳୀର ରାଜନୀତି ଚାହୁଁଛନ୍ତି ଯେଉଁଥିରେ ତୁରନ୍ତ ଏବଂ ସିଧାସଳଖ ପରିଣାମ ମିଳିବ ।

ରେୱନ୍ତ କହିଛନ୍ତି, ରାହୁଲ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ହେବା ପାଇଁ ମହତ୍ତ୍ୱାକାଂକ୍ଷା ରଖିନାହାନ୍ତି । ତେବେ ବିକାରାବାଦରେ ସଦ୍ୟ ଅନୁଷ୍ଠିତ ଏକ ବୈଠକରେ ଏହି ଦାୟିତ୍ୱ ନେବା ଲାଗି ମୁଁ ତାଙ୍କୁ ରାଜି କରାଇଛି । ମୁଁ ୧୦ ବର୍ଷ ପର୍ଯ୍ୟନ୍ତ ଟିଡିପିରେ କାମ କରିଛି ଏବଂ ଆଜି ବି ଚନ୍ଦ୍ରବାବୁ ନାଇଡୁ ମୋ ସହ ସମ୍ମାନର ସହ ବ୍ୟବହାର କରନ୍ତି । ଟିଡିପି ଛାଡ଼ିବା ପୂର୍ବରୁ ମୁଁ ବିଜୟୱାଡ଼ାରେ ନିଜେ ନାଇଡୁଙ୍କୁ ଏ ବାବଦରେ ସୂଚନା ଦେଇଥିଲି । ବିରୋଧୀ ମେଣ୍ଟରେ ନେତୃତ୍ୱକୁ ନେଇ ପୃଥକ ସଙ୍କେତ ମିଳୁଥିବା ବେଳେ ରେୱନ୍ତ ରେଡ୍ଡୀଙ୍କ ଏଭଳି ବୟାନ ଆସିଛି ।

ଅଧିକ ପଢ଼ନ୍ତୁ :- 

ଏହା ପୂର୍ବରୁ ତୃଣମୂଳ କଂଗ୍ରେସ ଏବଂ ଡିଏମ୍‌କେ ନେତାମାନେ ମମତା ବାନାର୍ଜୀ ଓ ଏମ୍ କେ ଷ୍ଟାଲିନ୍‌ଙ୍କ ନାମ ପ୍ରଧାନମନ୍ତ୍ରୀ ଭାବେ ଆଗକୁ ବଢ଼ାଇବାର ସଙ୍କେତ ଦେଇଥିଲେ । ତେବେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ରାଜନୈତିକ ସମୀକରଣ ବଦଳି ଯାଇଥିବା ଚର୍ଚ୍ଚା ହେଉଛି । ବେଙ୍ଗଲରେ ମମତା ବାନାର୍ଜୀ କ୍ଷମତାଚ୍ୟୁତ ହୋଇଛନ୍ତି । ତାମିଲନାଡୁରେ ଷ୍ଟାଲିନ ବି ନିଜ ସରକାର ବଜାୟ ରଖିପାରି ନାହାନ୍ତି ।