ନୂଆଦିଲ୍ଲୀ,୨୪।୩: ତେଲେଙ୍ଗାନା ସରକାର ଏକ ଅଦ୍ଭୁତ ଅଭିଯାନ ଆରମ୍ଭ କରିଛନ୍ତି। ଏହା ଅନୁସାରେ, ସରକାରୀ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ବାହନ ଉପରେ ୨୦% ପର୍ଯ୍ୟନ୍ତ ରିହାତି ଦିଆଯିବ। ଏହା ଦେଶର ପ୍ରଥମ ଏଭଳି ଯୋଜନା, ଯେଉଁଥିରେ ରାଜ୍ୟ ସରକାର ସିଧାସଳଖ ଭାବରେ କମ୍ପାନୀରୁ ଡିସକାଉଣ୍ଟ ଧାର୍ଯ୍ୟ କରିଛନ୍ତି। ତେଲେଙ୍ଗାନାର ପରିବହନ ମନ୍ତ୍ରୀ ପୋନ୍ନମ ପ୍ରଭାକର ମଙ୍ଗଳବାର ଏହାର ଘୋଷଣା କରିଛନ୍ତି।

ସରକାର ମହିନ୍ଦ୍ରା ଇଲେକ୍ଟ୍ରିକ୍,ଓଲା ଇଲେକ୍ଟ୍ରିକ୍, ଗ୍ରାଭଟନ୍ ମୋଟର୍ସ ଏବଂ ଏଥର ଏନର୍ଜୀ ଭଳି କମ୍ପାନୀ ସହ ଆଲୋଚନା କରି ଏହି ଛାଡ କରିଛନ୍ତି। ଏହି ଡିସ୍କାଉଣ୍ଟ ତେଲେଙ୍ଗାନାର ପ୍ରାୟ ୫ ଲକ୍ଷ ସରକାରୀ କର୍ମଚାରୀଙ୍କ ଉପରେ ଲାଗୁହେବ। ସରକାରଙ୍କ ଲକ୍ଷ୍ୟ ହେଉଛି ନିଜ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ଗାଡି ଚଳାଇବା ପାଇଁ ପ୍ରୋତ୍ସାହିତ କରିବା।

କ‘ଣ ଏହା କେବଳ ଟ୍ୟାକ୍ସ ଛାଡ ଠାରୁ ଅଲଗା ? ତେବେ ହଁ ଏହି ଯୋଜନା ପାରମ୍ପାରିକ ଟ୍ୟାକ୍ସ ରିହାତିଠାରୁ ଅଲଗା ରହିଛି। ଏଥିରେ କମ୍ପାନୀ ଗୁଡିକଠାରୁ ସିଧାସଳଖ ଛାଡ କରାଯିବ । ଏହା କୌଣସି ସରକାରୀ ସବସିଡି ନୁହେଁ ବଂର ନେଗୋସିଏଟେଡ୍ ଡିସକାଉଣ୍ଟ। ପୂର୍ବରୁ ତେଲେଙ୍ଗାନା ସରକାର ୨୦୨୪ ରେ ୧୦୦% ରୋଡ୍ ଟ୍ୟାକ୍ସ ଛାଡ କରିଥିଲେ। ଏହା ସହ ୧୦୦% ରେଜିଷ୍ଟେ୍ରସନ୍ ଫି’ ରିହାତି ଥିଲା। ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ମଧ୍ୟ ନିର୍ଦେଶ ଦେଇଛନ୍ତି ଯେ, ଏବେ ସବୁ ସରକାରୀ ବିଭାଗ କେବଳ ଇଭି ହିଁ କିଣିବେ। ଏପରକି ସହରରେ ସରକାରୀ କାମ ପାଇଁ ଭଡାରେ ନିଆଯାଉଥିବା ଗାଡି ବି ଇଲେକ୍ଟ୍ରିକ୍ ହେବ।