ହାଇଦ୍ରାବାଦ: ତେଲଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ଏକ ପୋସ୍କୋ କୋର୍ଟ ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କୁ ୧୨ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡ ଘୋଷଣା କରିଛି। ଖବର ମୁତାବକ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତର ନାମ ଗଫ୍ଫର ଖାନ ହୋଇଥିବା ବେଳେ ସେ ବିହାର ଅଞ୍ଚଳର ଜଣେ ପ୍ରବାସୀ ଶ୍ରମିକ। ଅଭିଯୁକ୍ତ ଜଣକ ଗତ ବର୍ଷ ଅକ୍ଟୋବର ମାସ ୧୬ ତାରିଖରେ ଉକ୍ତ ନାବାଳିକାଙ୍କୁ କୋଲ୍ଡ ଡ୍ରିଙ୍କ ଦେବାର ପ୍ରଲୋଭନ ଦେଖାଇ ଏକ କପା କ୍ଷେତକୁ ନେଇ ଦୁଷ୍କର୍ମ କରିବା ସହ ଗଳା ଚିପି ହତ୍ୟା କରିଥିଲା। ତେବେ ନାବାଳିକା ଜଣକ ଦୀର୍ଘ ସମୟ ଧରି ନମିଳିବାରୁ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ପରିବାରର ଘର ମଧ୍ୟ ବିହାରର ହୋଇଥିବା ବେଳେ ସେମାନେ ଅଭିଯୁକ୍ତଙ୍କ ସହ ଏକାଠି ଶ୍ରମିକ ଭାବେ କାମ କରୁଥିଲେ। 

ସଙ୍ଗାରେଡ୍ଡୀ ଏସପି ଚ. ରୁପେଶ ଦେଇଥିବା ସୂଚନା ଅନୁଯାୟୀ, ନାବାଳିକା ନିଖୋଜ ହେବା ପରେ ସାକ୍ଷୀଙ୍କ ବୟାନ ଓ ସିସିଟିଭି ଫୁଟେଜ ଆଧାରରେ ଗଫ୍ଫର ଖାନଙ୍କୁ ଜେରା କରାଯାଇଥିଲା। ଜେରା ସମୟରେ ସେ ଅପରାଧ ସ୍ୱୀକାର କରି ପୋଲିସକୁ ଶବ ରହିଥିବା ସ୍ଥାନ ଦେଖାଇଥିଲେ। ପୋଲିସ ମଧ୍ୟ ନିଜଆଡୁ ଏହି ମାମଲାରେ ଦ୍ରୁତ ଟ୍ରାଏଲ ପାଇଁ ଅନୁରୋଧ କରିଥିଲା। ଯାହା ହାଇକୋର୍ଟ ଦ୍ୱାରା ଅନୁମୋଦିତ ହୋଇଥିଲା। ନାବାଳିକାଙ୍କ ପରିବାର ଆର୍ଥିକ ସ୍ତରରେ ଦୁର୍ବଳ ଥିବାରୁ ପୋଲିସ ଅନୁବାଦକଙ୍କ ସହାୟତାରେ ସେମାନଙ୍କୁ ମାମଲାରେ ସହଯୋଗ କରିଥିଲା। 

ସଙ୍ଗାରେଡ୍ଡୀ ପୋସ୍କୋ କୋର୍ଟର ବିଚାରପତି କେ. ଜୟନ୍ତୀ ଏକ ଏୌତିହାସିକ ରାୟ ଦେଇ ଗଫ୍ଫର ଖାନଙ୍କୁ ମୃତ୍ୟୁଦଣ୍ଡ ସହିତ ପୀଡ଼ିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଏସପି ରୁପେଶ କହିଛନ୍ତି ଯେ ସଙ୍ଗାରେଡ୍ଡୀରେ ୨୭ ବର୍ଷ ପରେ ପ୍ରଥମ ଥର ପାଇଁ ଏକ ମୃତ୍ୟୁଦଣ୍ଡ ଘୋଷଣା ହୋଇଛି। ଯାହା ସମଗ୍ର ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ମେସେଜ ପ୍ରଦାନ କରିଛି।